ମହାପ୍ରଭୁଙ୍କ ଗଣତିମଣତି କାର୍ଯ୍ୟ ଭଲରେ ହେଉ : ଗଜପତି
ରାଜ୍ୟ ସରକାରଙ୍କ ଅନୁମୋଦିତ ମାର୍ଗଦର୍ଶିକା ଆଧାରରେ ରତ୍ନଭଣ୍ଡାର ଗଣତିମଣତିର ଦ୍ୱିତୀୟ ପର୍ଯ୍ୟାୟ ବୁଧବାର ସକାଳୁ ଆରମ୍ଭ ହୋଇଛି ।
ଶ୍ରୀମନ୍ଦିର ରତ୍ନଭଣ୍ଡାରରେ ଗଚ୍ଛିତ ଅଳଙ୍କାର ଓ ମୂଲ୍ୟବାନ ସାମଗ୍ରୀର ଗଣତି କାର୍ଯ୍ୟ ଆରମ୍ଭ ହୋଇଛି । ଦ୍ୱିତୀୟ ପର୍ଯ୍ୟାୟର ପ୍ରଥମ ଦିନର ଗଣତିମଣତି ପରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି କହିଛନ୍ତି ଯେ ମହାପ୍ରଭୁଙ୍କ ଆଶୀର୍ବାଦରୁ ସବୁ କିଛି ଠିକଠାକ ଚାଲିଛି ।
ଆଜି ରତ୍ନଭଣ୍ଡାରର ବାହାର ଭଣ୍ଡାର ଗଣତିମଣତି ଆରମ୍ଭ ହୋଇଛି । ମହାପ୍ରଭୁଙ୍କ ଦର୍ଶନ ସରିଲା ପରେ ବାହାର ରତ୍ନଭଣ୍ଡାର ଅନୁଧ୍ୟାନ କରିଥିଲୁ ।
ସରକାରଙ୍କଦ୍ୱାରା ଗଠିତ କମିଟି, ଅଧିକାରୀ ଏବଂ ସେବାୟତ ଏଥିରେ ଉପସ୍ଥିତ ଥିଲେ । ଏସଓପି ଅନୁସାରେ ଗଣତିମଣତି ଆରମ୍ଭ ହୋଇଛି ।
ପ୍ରତ୍ୟେକ ମୂଲ୍ୟବାନ ଜିନିଷ ୩ଡି ମ୍ୟାପିଂ କରାଯାଉଛି । ମହାପ୍ରଭୁଙ୍କ ଗହଣାର ବିସ୍ତୃତ ବିବରଣୀ ରଖାଯାଉଛି, ଯାହାଦ୍ୱାରା ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ ।
ବାହାର ରତ୍ନଭଣ୍ଡାର ଗଣତିମଣତି ପରେ ଭିତର ରତ୍ନଭଣ୍ଡାର ଗଣତିମଣତି ହେବ । ଏହାଦ୍ୱାରା ଆଜି ମହାପ୍ରଭୁଙ୍କ ଦର୍ଶନରେ କୌଣସି ଅସୁବିଧା ହୋଇନାହିଁ ।
ମହାପ୍ରଭୁଙ୍କ ଇଚ୍ଛାରେ ଏହି କାମ ସମ୍ପାଦିତ ହେବ, ତେବେ ପର୍ବଦିନଗୁଡ଼ିକରେ ଗଣତିମଣତି ହୋଇପାରିବ ନାହିଁ । ଯେଉଁଦିନ ଭକ୍ତଙ୍କ ଭିଡ଼ ରହିବ, ସେହିଦିନଗୁଡ଼ିକରେ ଏହି କାର୍ଯ୍ୟ ସ୍ଥଗିତ ରଖାଯିବ ।
ତେବେ ଏହି କାର୍ଯ୍ୟ ଯେପରି ସୁଚାରୁରୂପେ ସମ୍ପାଦନ ହୁଏ ସେଥିପ୍ରତି ଗୁରୁତ୍ୱ ଦିଆଯିବ ।