ଶୀଘ୍ର ଆସିପାରେ ମୌସୁମୀ
ସମଗ୍ର ଦେଶରେ ଏବେ ଗ୍ରୀଷ୍ମପ୍ରବାହ ଜାରି ରହିଛି ।
ଦେଶର ଅଧିକାଂଶ ସହରର ତାପମାତ୍ରା ୪୦ରୁ ୪୫ଡିଗ୍ରୀ ମଧ୍ୟରେ ରହିଛି । ଏହି କ୍ଷେତ୍ରରେ ସନିଶାର ଝାରସୁଗୁଡ଼ା, ତାଳଚେର, ଅନୁଗୁଳ ଆଦି ସହର ମଧ୍ୟ ଦେଶର ଉତପ୍ତ ସହର ତାଲିକାରେ ସାମିଲ ହୋଇଛନ୍ତି ।
ତେବେ ଚଳିତବର୍ଷ ମୌସୁମୀ ଶୀଘ୍ର ଆସିପାରେ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରୁଛି । ବିଭିନ୍ନ ପାଣିପାଗ ସଂସ୍ଥାର ପୂର୍ବାନୁମାନ ଯେ ମେ ୨୫ ତାରିଖ ସୁଦ୍ଧା ହୁଏତ ମୌସୁମୀ କେରଳ ଛୁଇଁପାରେ । ତେବେ ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଏ ସଂକ୍ରାନ୍ତରେ କୌଣସି ସୂଚନା ଦେଇନାହିଁ ।
ସମଗ୍ର ଦେଶରେ ସଂପ୍ରତି ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଭାରତର ପାଣିପାଗ ରୀତି ଅନୁସାରେ ପ୍ରଥମେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜରେ ଦକ୍ଷିଣ-ପଶ୍ଚିମ ମୌସୁମୀ ବର୍ଷା ଆରମ୍ଭ ହୋଇଥାଏ । ଏହି ଦୃଷ୍ଟିରୁ ମେ ୧୮ରୁ ୨୫ ତାରିଖ ମଧ୍ୟରେ ଏହି ବର୍ଷା ଆଣ୍ଡାମାନ ନିକୋବରରେ ହେବା ଅନୁମାନ କରାଯାଉଛି ।
ପାଣିପାଗ ବିଶେଷଜ୍ଞଙ୍କ ଆକଳନ ଯେ ମେ ତୃତୀୟ ସପ୍ତାହ ଆଡ଼କୁ ଏକ ଟ୍ରପିକାଲ ପ୍ରଣାଳୀ ବିକଶିତ ହେବାର ୨୦ରୁ ୪୦% ସମ୍ଭାବନା ରହିଛି । ଏହି ପ୍ରଣାଳୀ ସୃଷ୍ଟି ହେଲେ ଏହା ଆଣ୍ଡାମାନ ନିକୋବରକୁ ଅଧିକରୁ ଅଧିକ ଆଦ୍ରତା ଟାଣିବାରେ ସାହାଯ୍ୟ କରିବ । ଫଳରେ ମେ ଶେଷ ସପ୍ତାହରେ ଦକ୍ଷିଣ ପଶ୍ଚିମ ଉପକୂଳ ଭାରତକୁ ମୌସୁମୀ ଛୁଇଁବାର ଆଶଙ୍କା ଦେଖାଦେଇଛି ।
ଅପରପକ୍ଷରେ ଶକ୍ତିଶାଳୀ ପଶ୍ଚିମାଝଡ଼ ପ୍ରଭାବରେ ଦକ୍ଷିଣପୂର୍ବ ଆରବ ସାଗରରୁ ଅଧିକ ପରିମାଣର ଆର୍ଦ୍ର ବାୟୁ କେରଳ ଓ ଦକ୍ଷିଣ ତାମିଲନାଡ଼ୁ ଅଂଚଳକୁ ପ୍ରବାହିତ ହେବ । ଯଦି ଏହା ହୁଏ ତେବେ କେରଳକୁ ୬ଦିନ ପୂର୍ବରୁ ମେ ୨୫ରେ ଦକ୍ଷିଣ ପଶ୍ଚିମ ମୌସୁମୀ ସ୍ପର୍ଶ କରିବ ।
ଭାରତ ମହାସାଗରରେ ଅନୁକୂଳ ପରିବେଶ ଓ ଦେଶର ସ୍ଥଳଭାଗରେ ଅତ୍ୟଧିକ ତାପମାତ୍ର ଦକ୍ଷିଣ-ପଶ୍ଚିମ ମୌସୁମୀକୁ ଶୀଘ୍ର ଆସିବାକୁ ବାଧ୍ୟ କରିବ ବୋଲି ପାଣିପାଗ ବିଶେଷଜ୍ଞମାନେ ଆକଳନ କରିଛନ୍ତି ।