ସହଜ ହେବ ନୂଆ ବିଦ୍ୟୁତ ସଂଯୋଗ
ଜଣାପଡ଼ିଛି ଯେ ଦିଲ୍ଲୀବାସୀଙ୍କ ପାଇଁ ବିଦ୍ୟୁତ୍ ସେବା ପାଇବା ଏଥର ସହଜ ହେବ ।
ଦିଲ୍ଲୀ ବିଦ୍ୟୁତ୍ ନିୟାମକ ଆୟୋଗ (ଡିଇଆରସି) ଦ୍ୱାରା ଜାରି କରାଯାଇଥିବା ଏକ ନୋଟିସ ଅନୁଯାୟୀ, ନୂତନ ବିଦ୍ୟୁତ୍ ସଂଯୋଗ ପାଇବା ପ୍ରକ୍ରିୟାରେ ଏକ ବୈପ୍ଲବିକ ପରିବର୍ତନ କରାଯାଇଛି ।
ରେଖା ଗୁପ୍ତାଙ୍କ ନେତୃତ୍ୱରେ ପ୍ରଶାସନିକ ଢାଂଚାରେ ଗ୍ରାହକମାନଙ୍କୁ ଆଉ ସରକାରୀ କାର୍ଯ୍ୟାଳୟକୁ ଯିବାକୁ ପଡ଼ିବ ନାହିଁ । କିମ୍ବା ସରକାରୀ ପରିଦର୍ଶନ ପାଇଁ ଅପେକ୍ଷା କରିବାକୁ ହେବ ନାହିଁ । ପୂର୍ବରୁ ନୂଆ ମିଟର ପାଇଁ ଆବେଦନ କରିବା ପରେ, ବିଦ୍ୟୁତ୍ କମ୍ପାନୀର କର୍ମଚାରୀମାନେ ସ୍ଥାନ ଯାଂଚ ପାଇଁ ଘରକୁ ଯାଇଥାଆନ୍ତି । କିନ୍ତୁ ଏହି ପ୍ରକ୍ରିୟା ପ୍ରାୟତଃ ସମୟ ସାପେକ୍ଷ ଏବଂ ବିଳମ୍ବର କାରଣ ହେଉଥିଲା ।
ବର୍ତମାନ ଏହାକୁ ସମ୍ପୂର୍ଣ୍ଣ ଭାବେ ଉଚ୍ଛେଦ କରାଯାଇଛି । ନୂଆ ନିୟମର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବୈଶିଷ୍ଟ୍ୟ ହେଉଛି ଯେ ଆବେନ କରିବା ସମୟରେ ଆପଣଙ୍କୁ ଆଉ କୌଣସି ଅଗ୍ରୀମ ଫି ଦେବାକୁ ପଡ଼ିବ ନାହିଁ ।
ପୂର୍ବରୁ ନୂଆ ବିଦ୍ୟୁତ ସଂଯୋଗ ପାଇଁ ହଜାର ହଜାର ଟଙ୍କା ଆଗୁଆ ଦେବାକୁ ପଡ଼ୁଥିଲା । କିନ୍ତୁ ଏହି ଫି ଏବେ ଆପଣଙ୍କ ପ୍ରଥମ ବିଦ୍ୟୁତ୍ ବିଲ ସହିତ ଯୋଡ଼ାଯିବ ।
ଏହା ମଧ୍ୟବିତ ବର୍ଗ ଏବଂ କ୍ଷୁଦ୍ର ବ୍ୟବସାୟୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଆଶ୍ୱସ୍ତି ପ୍ରଦାନ କରିବ । ଏହା ଦୁର୍ନୀତିକୁ ରୋକିବା ସହିତ ମଧ୍ୟସ୍ଥିଙ୍କ ଭୂମିକାକୁ ମଧ୍ୟ ଦୂର କରିବ ।
ଏବେ ଗ୍ରାହକମାନେ ନିଜ ଘରେ ବସି ଅନଲାଇନରେ ଆବେଦନ କରିପାରିବେ ।