ମୋଦୀଙ୍କୁ ଯୁବପିଢ଼ି ବିଶ୍ୱାସ କରନ୍ତି ନାହିଁ : ରାହୁଲ
କଂଗ୍ରେସ ନେତା ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପୁଣି ଟାର୍ଗେଟ କରିଥିବା ପରିଲକ୍ଷିତ ହୋଇଛି ।
ସେ ଅଭିଯୋଗ କରିଛନ୍ତି ଯେ ନରେନ୍ଦ୍ର ମୋଦୀ ଦେଶର ଶିକ୍ଷା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ନଷ୍ଟ କରି ଦେଇଛନ୍ତି । ଶନିବାର ଏକ୍ସରେ ଏକ ପୋଷ୍ଟରେ ସେ ଉଲ୍ଲେଖ କରିଛନ୍ତି ଯେ ‘ବିଶ୍ୱ ଗୁରୁ’ ହେବାର ଦାବି କରୁଥିବା ସରକାର ଗୋଟିଏ ବି ପରୀକ୍ଷା ସଠିକ ଭାବେ ପରିଚାଳନା କରିବାରେ ଅସମର୍ଥ ।
ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ରିପୋର୍ଟ କରିବା ପରେ ରାହୁଳ ଗାନ୍ଧୀଙ୍କ ମନ୍ତବ୍ୟ ଆସିଛି ଯେ ଦେଶବ୍ୟାପୀ ସ୍ନାତକ ଡିଗ୍ରୀ କାର୍ଯ୍ୟକ୍ରମରେ ପ୍ରବେଶ ପାଇଁ ଅନୁଷ୍ଠିତ ସିୟୁଇଟି-ୟୁଜି ୨୦୨୬ ପରୀକ୍ଷା କିଛି କେନ୍ଦ୍ରରେ ବୈଷୟିକ ତ୍ରୁଟି ଯୋଗୁଁ ଶନିବାର ବିଳମ୍ବିତ ଆରମ୍ଭ ହୋଇଥିଲା । ସେ ଆହୁରି କହିଥିଲେ ଯେ ନିଟ, ସିବିଏସଇ ଏବଂ ସିୟୁଇଟି ଭଳି ଚାରିଟି ପରୀକ୍ଷାମଧ୍ୟରୁ ଗୋଟିଏ ବି ସଠିକ ଭାବେ ପରିଚାଳନା କରାଯାଉ ନାହିଁ ।
ସେ ମୋଦୀଙ୍କୁ ସମାଲୋଚନା କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ସମଗ୍ର ଶିକ୍ଷା ବ୍ୟବସ୍ଥାକୁ ନଷ୍ଟ କରି ଦେଇଛନ୍ତି । ତାଙ୍କର ଅଭିଯୋଗ ଥିଲା ଯେ ଯେଉଁ ପିଢ଼ିର ଭବିଷ୍ୟତ ଆପଣ ନଷ୍ଟ କରୁଛନ୍ତି, ସେମାନେ ଆପଣଙ୍କୁ ଦାୟୀ କରିବେ । ତେଣୁ ନିଟ୍ ଛାତ୍ରଛାତ୍ରୀଙ୍କ ସହ ତାଙ୍କ ସାକ୍ଷାତରୁ ଗୋଟିଏ ସ୍ପଷ୍ଟ ହୋଇଛି ଯେ ଭାରତର ଯୁବପିଢ଼ି ନରେନ୍ଦ୍ର ମୋଦୀଙ୍କୁ ବିଶ୍ୱାସ କରନ୍ତି ନାହିଁ ।
ଲୋକସଭାରେ ବିରୋଧୀ ଦଳ ନେତା ଆହୁରି କହିଛନ୍ତି ଯେ ସେମାନେ ମୋତେ କହିଥିଲେ ଯେ ପେପରଗୁଡ଼ିକ ହ୍ୱାଟସଆପ ଏବଂ ଟେଲିଗ୍ରାମରେ ଖୋଲାଖୋଲି ବିକ୍ରି ହେଉଛି । କେଉଁ ମୂଲ୍ୟରେ, କିଏ ସେଗୁଡ଼ିକକିଣୁଛି, ମାଫିଆମାନେ କିପରି କାର୍ଯ୍ୟ କରୁଛନ୍ତି – ଏହି ପିଲାମାନେ ଏସବୁ ଜାଣନ୍ତି ।