ଟିଭିକେରେ ଯୋଗ ଦେଲେ ଏଆଇଏଡିଏମକେର ୩ ବିଧାୟକ
ତାମିଲନାଡୁ ରାଜନୀତିରେ ସୋମବାର ବଡ଼ ହଟଚମଟ ସୃଷ୍ଟି ହୋଇଛି । ବିରୋଧୀ ଏଆଇଏଡିଏମକେର ୩ଜଣ ବିଧାୟକ ଦଳ ଛାଡ଼ି ଶାସକ ଦଳ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ)ରେ ଯୋଗ ଦେଇଛନ୍ତି ।
ଦଳ ଛାଡ଼ିବା ପୂର୍ବରୁ ବିଧାୟକମାନେ ସେମାନଙ୍କ ବିଧାୟକ ପଦରୁ ଇସ୍ତଫା ଦେଇଛନ୍ତି । ସେମାନଙ୍କ ଇସ୍ତଫାକୁ ବାଚସ୍ପତି ଜେଡିସି ପ୍ରଭାକର ଅନୁମୋଦନ କରିଛନ୍ତି । ବିଧାୟକ ପଦ ଛାଡ଼ି ଟିଭିକେରେ ଯୋଗ ଦେଇଥିବା ଏଆଇଏଡିଏମକେର ବିଧାୟକମାନେ ହେଲେ ମାର୍ଗାଥାମ କୁମାରାଭେଲ, ଜୟକୁମାର ଓ ସତ୍ୟଭାମା ।
ଏହି ନେତାମାନେ ଆଗାମୀ ଦିନରେ ଟିଭିକେ ଟିକଟରେ ନିଜ ନିଜ ଆସନରୁ ଉପ ନିର୍ବାଚନ ଲଢ଼ିବେ । ଏଥିପାଇଁ ଟିଭିକେ ପକ୍ଷରୁ ସେମାନଙ୍କୁ ପ୍ରତିଶ୍ରୁତି ଦିଆଯାଇଛି । ତିନି ବିଧାୟକଙ୍କ ଇସ୍ତଫା ପରେ ଇକେ ପଲାନିସ୍ୱାମୀଙ୍କ ନେତୃତ୍ାବଧୀନ ଏଆଇଏଡିଏକେକୁ ବଡ଼ ଧକ୍କା ଲାଗିଛି । ଏହା ପୂର୍ବରୁ ମେ ୧୩ରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ ଯୋଶେଫ ବିଜୟ ବିଧାନସଭାରେ ଆସ୍ଥା ଭୋଟର ସମ୍ମୁଖୀନ ହେବା ସମୟରେ ଏଆଇଏଡିଏକେର ୨୫ଜଣ ବିଧାୟକ ଟିଭିକେ ସରକାର ସପକ୍ଷରେ ଭୋଟ ଦେଇଥିଲେ ।
ତାମିଲନାଡ଼ୁ ବିଧାନସଭା ନିର୍ବାଚନ ଫଳ ପ୍ରକାଶ ପରଠାରୁ ଏଆଇଏଡିଏମକେରେ ବିଭାଜନ ଆରମ୍ଭ ହୋଇଛି । ଏଆଇଏଡିଏମକେର ଗୋଟିଏ ଗୋଷ୍ଠୀ ସିଭି ସନମୁଗମଙ୍କଦ୍ୱାରା ପରିଚାଳିତ ହେଉଛି । ସନମୁଗମଙ୍କ ଦ୍ୱାରା ପରିଚାଳିତ ଗୋଷ୍ଠୀର ବିଧାୟକମାନେ ଟିଭିକେ ପ୍ରତି ସମର୍ଥନ ଘୋଷଣା କରିଛନ୍ତି ।
ସନମୁଗମଙ୍କ ସପକ୍ଷରେ ୩୦ ବିଧାୟକ ରହିଥିବାବେଳେ ପଲାନିସ୍ୱାମୀଙ୍କ ସପକ୍ଷରେ ୧୭ ବିଧାୟକ ଅଛନ୍ତି । ଚଳିତମାସରେ ଶେଷ ହୋଇଥିବା ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ଏଆଇଏଡିଏକେ ୪୭ଟି ଆସନରେ ବିଜୟୀ ହୋଇଛି ।