ଟିଏମସି ନେତା ଜୟପ୍ରକାଶ ଗିରଫ
ତୃଣମୂଳ କଂଗ୍ରେସ ନେତା ଜୟପ୍ରକାଶ ମଜୁମଦାର ଆଜି ଗିରଫ ହୋଇଥିବା ଜଣାପଡ଼ିଛି ।
ବୁଧବାର ଅସଦାଚରଣ ଅଭିଯୋଗରେ ଏହି ବରିଷ୍ଠ ତୃଣମୂଳ ନେତାଙ୍କୁ ଗିରଫ କରାଯାଇଛି ।
ଅଭିଯୋଗ ଯେ ଜନୈକ ମହିଳାଙ୍କ ଘର ଦଖଲ କରି ସେ ରଖିଛନ୍ତି । ବିଧାନନଗର ଥାନା ପୁଲିସ ତାଙ୍କୁ ଗିରଫ କରିଛି । ସୂଚନାଯୋଗ୍ୟ ଯେ ତୃଣମୂଳ କଂଗ୍ରେସର ମୁଖପାତ୍ର ଜୟପ୍ରକାଶ ମଜୁମଦାର ଦୀର୍ଘ ୧୪ବର୍ଷ ଧରି ସଲ୍ଟଲେକର ଏହି ୩୩୭ ଠିକଣାସ୍ଥିତ ଘରଟିକୁ ଦଖଲ କରି ରଖିଥିଲେ ବୋଲି ଅଭିଯୋଗ ହୋଇଛି ।
ଆଇନ ନୋଟିସ ଦିଆଯିବା ସତ୍ୱେ ସେ ଘରଟିକୁ ଛାଡ଼ି ନଥିଲେ । ଏପରିକି ଘର ମାଲିକାଣୀଙ୍କୁ ମଧ୍ୟ ଜୟପ୍ରକାଶ କୌଣସି ଘର ଭଡ଼ା ଦେଉ ନଥିଲେ ବୋଲି ଅଭିଯୋଗ ହୋଇଛି । ବୁଧବାର ଘରର ମାଲିକାଣୀ ଘର ଫେରସ୍ତ ଦେବା ପାଇଁ ଜୟପ୍ରକାଶ ମଜୁମଦାରଙ୍କ ଦପ୍ତରକୁ ଯାଇଥିଲେ, ସେସମୟରେ ଜୟପ୍ରକାଶଙ୍କ ସହ ଘର ମାଲିକାଣୀଙ୍କ ବଚସା ହୋଇଥିଲା ।
ଘର ମାଲିକାଣୀଙ୍କ ଅଭିଯୋଗ ଯେ ଜୟପ୍ରକାଶ ତାଙ୍କୁ ମାରଧର ମଧ୍ୟ କରିଥିଲେ । ସେହି ଅଭିଯୋଗ ଭିତିରେ ତୃଣମୂଳ କଂଗ୍ରେସ ମୁଖପାତ୍ର ଜୟପ୍ରକାଶ ମଜୁମଦାରଙ୍କୁ ବିଧାନନଗର ଥାନା ପୁଲିସ ଗିରଫ କରିଥିବା କୁହାଯାଇଛି ।
ଆସନ୍ତାକାଲି ଅର୍ଥାତ ଗୁରୁବାର ତାଙ୍କୁ ବିଧାନନଗର ଅଦାଲତରେ ପେଶ କରାଯିବ ବୋଲି ଜଣାପଡ଼ିଛି । ତେବେ ଜୟପ୍ରକାଶ ଗଣମାଧ୍ୟମକୁ କିଛି କହି ନଥିବା କୁହାଯାଇଛି ।