ଋତୁବ୍ରତ ହେଲେ ବିରୋଧୀ ଦଳନେତା
ପଶ୍ଚିମବଙ୍ଗର ବିରୋଧୀ ଦଳ ନେତା ଭାବେ ଋତୁବ୍ରତ ବନେ୍ଦାପାଧ୍ୟାୟ ମନୋନୀତ ହୋଇଛନ୍ତି ।
ତାଙ୍କୁ ବିରୋଧୀ ନେତା ଭାବେ ଗ୍ରହଣ କରିବାକୁ ବୁଧବାର ଅପରାହ୍ନରେ ବାଚସ୍ପତି ରଥୀନ୍ଦ୍ର ବସୁଙ୍କୁ ପତ୍ର ଦିଆଯାଇଥିଲା, ଯେଉଁଥିରେ ୫୮ଜଣ ତୃଣମୂଳ ବିଧାୟକଙ୍କ ସ୍ୱାକ୍ଷର ଥିଲା । ସେହି ପ୍ରସ୍ତାବ ପତ୍ରକୁ ଅନୁମୋଦନ ପ୍ରଦାନ କରି ଋତୁବ୍ରତଙ୍କୁ ପଶ୍ଚିମବଙ୍ଗ ବିରୋଧୀ ଦଳ ନେତା ଭାବେ ବଛାଯାଇଛି ।
ପରେ ବିଧାନସଭାରେ ବିରୋଧୀ ଦଳ ନେତାଙ୍କ ଗୃହକୁ ମଧ୍ୟ ଖୋଲି ଦିଆଯାଇଥିଲା । ପରେ ଶ୍ରୀ ବନେ୍ଦାପାଧ୍ୟାୟ ସାମ୍ବାଦିକ ବୈଠକ କରି କହିଥିଲେ ଯେ ଏହି ଦାୟିତ୍ୱପୂର୍ଣ୍ଣ ଭୂମିକା ଯେପରି ସୁଚାରୁରୂପେ ପାଳନ କରିପାରିବେ ସେଥିପାଇଁ ବିଶେଷ ଯତ୍ନବାନ ହେବେ । ସେ କହିଥିଲେ ଯେ ଆପାତତଃ ୫୮ଜଣିଆ ଏକ ଦଳ ମୋ ନିକଟରେ ରହିଛି । ପରେ ଆହୁରି ଦୁଇଜଣ ମଧ୍ୟ ଯୋଗ ଦେଇପାରନ୍ତି । ତେବେ ମୋର ନେତ୍ରୀ ହେଉଛନ୍ତି ମମତା ବାନାର୍ଜୀ । ଆମ୍ଭେମାନେ ମନେ କରୁ ସେ ସବୁଦିନ ଆମ୍ଭମାନଙ୍କ କାର୍ଯ୍ୟରେ ମାର୍ଗଦର୍ଶକ ଭୂମିକା ପାଳନ କରିବେ ।
ସେ ରହିଲେ ଆମ୍ଭେମାନେ ଭଲ କାର୍ଯ୍ୟ କରିପାରିବୁ । ସୂଚନାଯୋଗ୍ୟ ଯେ ବିଧାନସଭାରେ ନକଲି ସ୍ୱାକ୍ଷର ବିତର୍କରେ ଦୁଇଦିନ ପୂର୍ବେ ଋତୁବ୍ରତ ଓ ଏଂଟାଲି ବିଧାୟକ ସନ୍ଦୀପନ ଶାହାଙ୍କୁ ଦଳଠୁ ବହିଷ୍କାର କରାଯାଇଥିଲା । ସେମାନଙ୍କ ବିରୋଧରେ ଦଳ ବିରୋଧୀ ଅଭିଯୋଗ ଥିଲା ।
ତୃଣମୂଳ କଂଗ୍ରେସ ନେତ୍ରୀ ମମତା ବାନାର୍ଜୀ ଚାହିଁଥିଲେ ଯେ ବିରୋଧୀ ଦଳ ନେତା ଭାବେ ଶୋଭନଦେବ ଚଟ୍ଟୋପାଧ୍ୟାୟ, ଅସୀମା ପାତ୍ର ଏବଂ ନୟନା ବନେ୍ଦାପାଧ୍ୟାୟଙ୍କୁ ଉପ ଦଳନେତା ଏବଂ ଫିରହାଦ ହାକିମଙ୍କୁ ମୁଖ୍ୟ ସଚେତକ ଭାବେ ଦାୟିତ୍ୱ ଦେବେ । ଯାହାକି ହୋଇ ନଥିବା ପରିଲକ୍ଷିତ ହୋଇଛି ।
ତେଣୁ ଏହି କ୍ଷେତ୍ରରେ ତୃଣମୂଳ କଂଗ୍ରେସର ଭବିଷ୍ୟତ କେଉଁ ମାର୍ଗରେ ପରିଚାଳିତ ହେଉଛି ତାହା କେବଳ ଭବିଷ୍ୟତ ହିଁ କହିବ ।