କଂଗ୍ରେସ, ବାମମୋର୍ଚା ସହ ମେଂଟ ଚାହେଁ ଟିଭିକେ!
ରାଜନେତା ଥାଲାପତି ବିଜୟଙ୍କ ଟିଭିକେ (ତାମିଲଗା ଭେଟ୍ଟ୍ରି କାଝାଗମ) ତାମିଲନାଡ଼ୁରେ ୧୦୮ ଆସନରେ ଜିତି ଏକ ଚମକ୍ରାର ପ୍ରଦର୍ଶନ କରିଛି । କିନ୍ତୁ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଟିଭିକେ ପାଖରେ ନଥିବାରୁ ଏହା ଏବେ ମେଂଟ ସରକାର ଗଠନ ପାଇଁ କଂଗ୍ରେସ, ବାମ ଓ ଅନ୍ୟ ଛୋଟ ଦଳ ସହ କଥାବାର୍ତା କରିବାକୁ ଯୋଜନା କରୁଛି ।
ସୂଚନା ଅନୁସାରେ ବିଜୟ କଂଗ୍ରେସ ସମେତ ବିଦୁଥଲାଇ ଚିରୁଥିଗଲ କାଚି (ଭିସିକେ), ସିପିଏମ, ସିପିଆଇ, ଇଣ୍ଡିଆନ ୟୁନିୟନ ମୁସଲିମ ଲଗି ସହ ଆଲୋଚନା କରିବେ । ଏହି ଦଳମାନଙ୍କୁ ଖୁବଶୀଘ୍ର ଏକ ନିମନ୍ତ୍ରଣ ପଠାଯିବ । ତେବେ କଂଗ୍ରେସ, ଭିସିକେ, ସିପିଆଇ, ସିପିଆଇଏମ, ଆଇୟୁଏମଏଲ ହେଉଛନ୍ତି ଡିଏମକେ ନେତୃତ୍ୱାଧୀନ ଏସପିଏ (ସେକ୍ୟୁଲାର ପ୍ରୋଗ୍ରେସିଭ ମେଂଟ)ର ଏକ ଅଂଶ ।
ଚଳିତ ବିଧାନସଭା ନିର୍ବାଚନରେ କଂଗ୍ରେସ ୫ ଆସନରେ ଜିତିଥିବାବେଳେ ଆଇୟୁଏମଏଲ, ସିପିଆଇ, ସିପିଆଇଏମ ଓ ଭିସିକେ ୨ଟି ଲେଖାଁ ଆସନରେ ବିଜୟୀ ହୋଇଛନ୍ତି । ଯଦି କଂଗ୍ରେସ ଓ ଅନ୍ୟ ମେଂଟ ସହଯୋଗୀ ଟିଭିକେ ସହ ମେଂଟ କରିବା ପାଇଁ ନିଷ୍ପତି ନିଅନ୍ତି, ତେବେ ବିଜୟଙ୍କ ନେତୃତ୍ୱାଧୀନ ଦଳ ସହଜରେ ମ୍ୟାଜିକ ନମ୍ବର ଅତିକ୍ରମ କରି ସରକାର ଗଠନ କରିପାରିବ ।
ଉଲ୍ଲେଖଯୋଗ୍ୟ ଟିଭିକେ ଏମ କେ ଷ୍ଟାଲିନଙ୍କ ନେତୃତ୍ୱାଧୀନ ଡିଏମକେକୁ ଗାଦିରୁ ହଟାଇ ଦେଇଛନ୍ତି, ଯିଏ କି କେବଳ ୫୯ ଆସନରେ ବିଜୟୀ ହୋଇଛନ୍ତି ଏବଂ ବିରୋଧୀ ଦଳ ଭାବେ ଉଭା ହୋଇଛନ୍ତି ।
ବିଜୟ ଆଜି ପରେ ନବନିର୍ବାଚିତ ବିଧାୟକମାନଙ୍କ ଏକ ବୈଠକ କରିଛନ୍ତି ଏବଂ ସର୍ବସମ୍ମତିକ୍ରମେ ବିଧାୟକ ଦଳ ନେତା ଭାବେ ନିର୍ବାଚିତ ହୋଇଛନ୍ତି ।