ହର୍ମୁଜ ପାରି ହେଲା ଆଉ ୨ ଭାରତୀୟ ଜାହାଜ
୯୨ ହଜାର ୬୧୨ ମେଟି୍ରକ ଟନ ଏଲପିଜି ଭାରତ ପହଂଚିବ
ମଧ୍ୟପ୍ରାଚ୍ୟରେ ଇରାନ ଓ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟାବହ ଯୁଦ୍ଧର ପ୍ରଭାବ ସାରା ବିଶ୍ୱ ଉପରେ ପଡ଼ିଛି । ବିଶେଷ କରି ଏହି ଯୁଦ୍ଧରେ ଇରାନ ତା’ର ରଣନୀତି ବଦଳାଇ ଇସ୍ରାଏଲ ଓ ଆମେରିକା ଏବଂ ଏହାର ସମର୍ଥିତ ରାଷ୍ଟ୍ରଙ୍କ ବିରୋଧରେ ତୈଳଯୁଦ୍ଧ ଆରମ୍ଭ କରିଛି ।
ଏଥିସହ ଓମାନ ଏବଂ ଇରାନ ମଧ୍ୟରେ ଥିବା ଏକମାତ୍ର ସଂକୀର୍ଣ୍ଣ ଜଳପଥ ଷ୍ଟ୍ରେଟ ଅଫ ହର୍ମୁଜକୁ ଇରାନ ଦୀର୍ଘ ୨୪ ଦିନ ହେବ ବନ୍ଦ କରି ରଖିଥିବାରୁ ସମଗ୍ର ବିଶ୍ୱରେ ଅଶୋଧିତ ତୈଳ, ପେଟ୍ରୋଲ ଓ ଡିଜେଲ ଏବଂ ରନ୍ଧନ ଏଲପିଜି ଗ୍ୟାସର ସଂକଟ ଦେଖାଯିବା ସହ ଅହେତୁକ ଦର ବଢ଼ିଚାଲିଛି ।
ଏବେ ଭାରତ ମଧ୍ୟ ଏହାଦ୍ୱାରା ପ୍ରଭାବିତ ହୋଇଛି । ବିଭିନ୍ନ ରାଜ୍ୟରେ ଥିବା ବଡ଼ ବଡ଼ ହୋଟେଲ ଓ ରେଷ୍ଟୁରାଂଟଗୁଡ଼ିକ ବନ୍ଦ ହୋଇଯାଇଥିବାବେଳେ ଅନେକ ରାଜ୍ୟରେ ଏଲପିଜି ସିଲିଣ୍ଡରକୁ କଳାବଜାରରେ ଅଧିକ ୨ରୁ ୩ ହଜାର ଟଂକା ଦେବାକୁ ପଡ଼ୁଛି ।
ତେବେ କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟର ଉଦ୍ୟମକ୍ରମେ ଇରାନ କେତେକ ଭାରତୀୟ ପଣ୍ୟବାହୀ ଜଳଜାହାଜଗୁଡ଼ିକୁ ଛାଡ଼ିଛି ।
ପୂର୍ବରୁ ଶୈବାଳିକ ଓ ନନ୍ଦାଦେବୀ ଭାରତରେ ଏଲପିଜି ଓ ତୈଳ ନେଇ ପହଂଚିସାରିଥିବାବେଳେ ମଂଗଳବାର ଆଉ ୨ଟି ଭାରତୀୟ ଜାହାଜ ଏଲପିଜି ନେଇ ଜାହାଜ ଜଗ ବସନ୍ତ ଓ ପାଇନ ଗାସ ଜାହାଜ ହର୍ମୁଜ ଟପିଥିବା କେନ୍ଦ୍ର ନୌପରିବହନ ମନ୍ତ୍ରଣାଳୟ କହିଛି ।
ଏହି ଦୁଇ ଜାହାଜରେ ପ୍ର୍ରାୟ ୯୨ ହଜାର ୬୧୨ ମେଟି୍ରକ ଟନ ଏଲପିଜି ଭାରତ ପହଂଚିବ ।