ଜଳଭଣ୍ଡାରରେ ବୁଡ଼ିଗଲେ ୨ ଛାତ୍ର
ଗଞ୍ଜାମ ଜିଲା ଭଞ୍ଜନଗର ଅଂଚଳରେ ରବିବାର ସନ୍ଧ୍ୟାରେ ଏକ ଅଭାବନୀୟ ଘଟଣା ଘଟିଛି ।
ସହର ଉପକଣ୍ଠ ଜଳଭଣ୍ଡାରରେ ବୁଡ଼ି ଦୁଇ ଛାତ୍ରଙ୍କ ମୃତ୍ୟୁ ଘଟିଛି । ଉଭୟ ସ୍ଥାନୀୟ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟର ଯୁକ୍ତ ଦୁଇର ଛାତ୍ର ବୋଲି ଜଣାପଡ଼ିଛି ।
ମୃତକମାନେ ହେଲେ ଭଞ୍ଜନଗର ଥାନା ଅଧିନ ଲାଲସିଂ ଗ୍ରାମର ଶରତ ପ୍ରଧାନଙ୍କ ପୁତ୍ର କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ । ଦୁଇ ସାଙ୍ଗ ଜଳଭଣ୍ଡାରରେ ବୁଡ଼ିଯିବା ଖବର ପାଇ ଅଗ୍ନିଶମ ବାହିନୀ ଏବଂ ପୁଲିସ ଘଟଣାସ୍ଥଳରେ ପହଂଚିଥିଲା ।
ଉଭୟଙ୍କୁ ପୁଲିସ ଏବଂ ଅଗ୍ନିଶମ କର୍ମୀଙ୍କ ସହାୟତାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତି କରାଯାଇଥିଲେ ସୁଦ୍ଧା ଡାକ୍ତର ସେମାନଙ୍କୁ ମୃତ ବୋଲି କହିଥିଲେ । ପରେ ଉଭୟଙ୍କ ମୃତଦେହ ଶବବ୍ୟବଚ୍ଛେଦ ପାଇଁ ପୁଲିସ ପଠାଇଛି । ଏହି ଘଟଣାରେ ଅନ୍ୟ ୪ଜଣ ଯୁବକ ବର୍ତିଯାଇଥିବା ଜଣାପଡ଼ିଛି ।
ପୁଲିସ ପକ୍ଷରୁ ତଦନ୍ତ ଜାରି ରହିଛି । ରବିବା ଅପରାହ୍ନ କାହ୍ନା ପ୍ରଧାନ ଓ ଆଶୁତୋଷ ଭୂୟାଁ ସମେତ ଉକ୍ତ ଇଲାକାର ୬ଜଣ ସାଙ୍ଗ ମିଶି ଭଞ୍ଜନଗର ବେଲେଶ୍ୱର ମନ୍ଦିର ନିକଟ ଶ୍ମଶାନ ନିକଟସ୍ଥ ଜଳଭଣ୍ଡାରକୁ ଗାଧୋଇବାକୁ ଯାଇଥିଲେ । ଏହି ସମୟରେ ସବୁ ସାଙ୍ଗ ହସମଜା ହୋଇ ଖେଳୁଥିବାବେଳେ କାହ୍ନା ଓ ଆଶୁତୋଷ ପାଣିରେ ବୁଡ଼ିଯାଇଥିବା ଅଭିଯୋଗ ହୋଇଛି ।
ପିଲାମାନେ ପାଣିରେ ବୁଡ଼ିଯାଉଥିବା ଦେଖି ସେଠାରେ ଗାଧୋଉଥିବା ଜଣେ ବ୍ୟକ୍ତି ଉଦ୍ଧାର କରିଥିବାରୁ ମୃତ୍ୟୁ ମୁଖରୁ କେତେକ ବର୍ତି ଯାଇଛନ୍ତି ।
ତେବେ କାହ୍ନା ଓ ଆଶୁତୋଷଙ୍କ ନିଖୋଜ ଥିଲେ । ପରେ ପୁଲିସ ଓ ଅଗ୍ନିଶମ ବିଭାଗ କର୍ମୀମାନେ ଆସି ସେମାନଙ୍କୁ ଉଦ୍ଧାର କରିଥିଲେ ।