ଜଟିଳ ପରିସ୍ଥିତିରେ ପାଣିପାଗ
‘ଏଲ ନିନୋ’କୁ ନେଇ ସଂପ୍ରତି ଆତଙ୍କ ସୃଷ୍ଟି ହୋଇଛି ।
ସାଧାରଣତଃ ମେ ଓ ଜୁନ ମାସରେ ଯେଉଁ ପ୍ରକାର ଗରମ ଅନୁଭୂତ ହେଉଛି ତାହା ନେଇ ଅନେକେ ହନ୍ତସନ୍ତ । କେତେକ ସ୍ଥାନରେ ପାରଦ ୪୫ଡିଗ୍ରୀ ଅତିକ୍ରମ କରିଛି । ପାଣିପାଗ ବିଜ୍ଞାନୀମାନେ ଚେତାବନୀ ଦେଇଛନ୍ତି ଯେ ବର୍ତମାନ ଯେଉଁ ଗରମ ଅନୁଭୂତ ହେଉଛି, ତାହା ଏହି ତୁଳନାରେ କିଛି ନୁହେଁ ।
ସୁପର କମ୍ପ୍ୟୁଟର ଏବଂ ବିଶ୍ୱ ପାଣିପାଗ ମଡେଲରୁ ନୂତନ ତଥ୍ୟ ସମଗ୍ର ବିଶ୍ୱକୁ ଆଶ୍ଚର୍ଯ୍ୟ କରିଛି । କାରଣ ଚଳିତବର୍ଷର ଏଲ ନିନୋ ସମସ୍ତ ଗରମ ରେକର୍ଡକୁ ଭାଙ୍ଗିଦେବ । ଚଳିତବର୍ଷ ଓ ଆଗାମୀ ୨୦୨୭ ମସିହାରେ ବିଶ୍ୱ ଏକ ବଡ଼ ପାଗ ସଂକଟର ସମ୍ମୁଖୀନ ହେବାର ସମ୍ଭାବନା ଦେଖାଦେଇଛି । ପାଣିପାଗ ବିଶେଷଜ୍ଞମାନେ ଚେତାବନୀ ଦେଇଛନ୍ତି ଯେ ଏହି ବର୍ଷର ଏଲ ନିନୋ ସବୁଠାରୁ ଶକ୍ତିଶାଳୀ ଓ ବିପଦଜ୍ଜନକ ହେବାର ସମ୍ଭାବନା ଦେଖାଦେଇଛି ।
ଲାଇଭ ସାଇନ୍ସ ଅନୁଯାୟୀ ୟୁରୋପୀୟ ସେଂଟର ଫର ମିଡିୟମ ରେଞ୍ଜ ୱେବର ଫୋରକାଷ୍ଟସ (ଇସିଏମଡବ୍ଲ୍ୟୁଏଫ) ଆକଳନ କରିଛି ଯେ ଏଲ ନିନୋ ଯୋଗୁଁ କେନ୍ଦ୍ରୀୟ ବିଷୁବରେଖା ପ୍ରଶାନ୍ତ ମହାସାଗରରେ ସମୁଦ୍ର ପୃଷ୍ଠର ତାପମାତ୍ରା ଚଳିତବର୍ଷ ଡିସେମ୍ବର ସୁଦ୍ଧା ହାରାହାରିଠାରୁ ୫.୪ଡିଗ୍ରୀ ଫାରେନହାଇଟ ବା ୩ଡିଗ୍ରୀ ସେଲ୍ସିୟସ ବୃଦ୍ଧି ପାଇପାରେ ।
କିଛି ଆକଳନ ଅନୁଯାୟୀ ତାପମାତ୍ରା ୭.୨ ଡିଗ୍ରୀ ଫାରେନହାଇଟ ବା ୪ ଡିଗ୍ରୀ ସେଲସିୟସ ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ । ଏହି ଏଲ ନିନୋ ଦ୍ୱାରା ସମୁଦ୍ର ପୃଷ୍ଠରେ ତାପମାତ୍ରା ଦ୍ରୁତ ଗତିରେ ବୃଦ୍ଧି ପାଇଥାଏ । ଫଳରେ ପବନର ଦିଗ ପରିବର୍ତନ କରେ । ଯାହାଦ୍ୱାରା ବିଶ୍ୱର ବିଭିନ୍ନ ସ୍ଥାନରେ ମରୁଡି, ବନ୍ୟା ଇତ୍ୟାଦି ଭଳି ପ୍ରାକୃତିକ ବିପର୍ଯ୍ୟୟ ସୃଷ୍ଟି ହୋଇଥାଏ ।
ବୈଜ୍ଞାନିକଙ୍କ ବକ୍ତବ୍ୟ ଯେ ଚଳିତବର୍ଷର ଏଲ ନିନୋ ଘଟଣା ସେପ୍ଟେମ୍ବର ସୁଦ୍ଧା ୮୦% ଓ ନଭେମ୍ବର ସୁଦ୍ଧା ୯୦% ଘଟିବାର ସମ୍ଭାବନା ରହିଛି । ଯାହାଦ୍ୱାରା ଫସଲ ଉତ୍ପାଦନ କ୍ଷେତ୍ରରେ କ୍ଷତି ଘଟିବାର ସମ୍ଭାବନା ରହିଛି ।