ଓଲଟିଲା ପଶ୍ଚିମବଙ୍ଗ ରାଜନୈତିକ ସ୍ଥିତି : କ’ଣ କହୁଛି ‘ଏଆଇ’ ମଡେଲ
ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କ ନେତୃତ୍ୱାଧୀନ ଟିଏମସି ବିପକ୍ଷରେ ବିଜେପିର ବିଜୟ ନେଇ ବିଭିନ୍ନ ଏଆଇ ମଡେଲ ରାଜନୈତିକ ପରିବର୍ତନକୁ ନିଜ ନିଜ ଦୃଷ୍ଟିକୋଣରୁ ବର୍ଣ୍ଣନା କରିଛନ୍ତି ।
ଚାଟଜିପିଟି-ଜେମିନି-ଗ୍ରୋକ ପରିସ୍ଥିତିକୁ କିପରି ଦେଖୁଛନ୍ତି ତାହା ନେଇ ସାମାଜିକ ଗଣମାଧ୍ୟମରେ ଚର୍ଚା ଆରମ୍ଭ ହୋଇଛି । ଚାଟଜିପିଟିର ବକ୍ତବ୍ୟ ଯେ ଏହି ପରିବର୍ତନ କୌଣସି ଏକ ସମସ୍ୟା ଯୋଗୁଁ ନୁହେଁ, ବରଂ ଅନେକ କାରଣରୁ ମିଶ୍ରଣ ଯୋଗୁଁ ହୋଇଛି ।
ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କାରଣ ହେଉଛି ପ୍ରାୟ ୧୫ବର୍ଷର ଶାସନ ପରେ ବଢ଼ୁଥିବା ଶାସନ ବିରୋଧୀ କାରକ ତଥା ଟିଏମସି ସରକାରଙ୍କ ବିରୋଧରେ ଅସନ୍ତୋଷ ପ୍ରକାଶ । ସରକାରଙ୍କ ଅନେକ ପଦକ୍ଷେପ ସତ୍ୱେ ଜନସାଧାରଣଙ୍କ ଅସନ୍ତୋଷ ସ୍ପଷ୍ଟ ଭାବେ ଦେଖାଯାଉଛି ।
ଏହା ସହିତ ବିଜେପି ଗ୍ରାମାଂଚଳ ଓ ଛୋଟ ସହରଗୁଡ଼ିକରେ ନିଜର ଦଖଲକୁ ଯଥେଷ୍ଟ ମଜବୁତ କରିଛି ଏବଂ ପରିର୍ବତନର ପ୍ରସଙ୍ଗକୁ ଦୃଢ଼ ଭାବେ ଉଠାଇଛି । ଏହା ଟିଏମସିର ଗଡ଼ରେ ମଧ୍ୟ ସ୍ଥିତିକୁ ଜଟିଳ କରିଛି । ସେହିପରି ଛୋଟଦଳଗୁଡ଼ିକ ମଧ୍ୟ ଭୋଟକୁ ବିଭାଜିତ କରିଛି, ଯାହାଦ୍ୱାରା ସଫଳତା ବିଜେପି ମୁହାଁ ହୋଇଛି ।
ସେହିପରି ଗୁଗୁଲ ଜେମିନ ଅନୁସାରେ ଭୋଟର ଶାସନ ଏବଂ ବ୍ୟବସ୍ଥାଗତ ପ୍ରସଙ୍ଗ ଉପରେ ଅଧିକ ଧ୍ୟାନ ଦେଇଛନ୍ତି । ଲଗାତର ତିନି ଥର କ୍ଷମତାରେ ରହିବା ପରେ ଟିଏମସି ବିରୋଧରେ ଅସନ୍ତୋଷ ଶୀର୍ଷରେ ପହଂଚିଛି । ଦୁର୍ନୀତିର ଅଭେିଯାଗ ବିଶେଷ କରି ସ୍କୁଲ ନିଯୁକ୍ତି ଦୁର୍ନୀତି ଏବଂ ସ୍ଥାନୀୟ ଚାନ୍ଦ ଆଦାୟ, ସରକାରଙ୍କ ଭାବମୂର୍ତିକୁ ଖରାପ କରିଛି ।
ଆଇନ ଶୃଙ୍ଖଳା, ମହିଳା ସୁରକ୍ଷା ଏବଂ ରାଜନୈତିକ ହିଂସା ମଧ୍ୟ ପ୍ରମୁଖ ପ୍ରସଙ୍ଗ ରହିଛି । ଅର୍ଥନୈତିକ କ୍ଷେତ୍ରରେ ଚାକିରି ଏବଂ ଶିଳ୍ପ ଅଭାବରୁ ଜନସାଧାରଣ ଅସନ୍ତୋଷ ପ୍ରକାଶ କରିଛନ୍ତି । ଭୋଟର ତାଲିକା ଏବଂ ମତଦାତାଙ୍କୁ ସକ୍ରିୟ କରିବା ରଣନୀତିରେ ପରିବର୍ତନ ମଧ୍ୟ ନିର୍ବାଚନକୁ ପ୍ରଭାବିତ କରିଛି ।
ଗ୍ରୋକ୍ ଏହି ପ୍ରସଙ୍ଗକୁ ରାଜନୀତି, ଶାସନ ଏବଂ ଜନସଂଖ୍ୟା ଦୃଷ୍ଟିକୋଣରୁ ଦେଖିଛି । ଗ୍ରୋକ ଶାସନ ବିରୋଧୀ ମନୋଭାବକୁ ଏକ ପ୍ରମୁଖ କାରଣ ବୋଲି ମଧ୍ୟ ବିବେଚନା କରିଛି । ଏହାକୁ ଦୁର୍ନୀତି, ବେକାରୀ ଏବଂ ଧୀର ଶିଳ୍ପ ଅଭିବୃଦ୍ଧି ସହିତ ଯୋଡ଼ିଛି । ଏହା ବ୍ୟତୀତ ଗ୍ରୋକ ଏସଆଇଆରରେ କରାଯାଇଥିବା ପରିବର୍ତନକୁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରିଛି ।
କାରଣ ଏହା କିଛି ଅଂଚଳରେ ଭୋଟ ଧାରାକୁ ପ୍ରଭାବିତ କରିଛି । ଗ୍ରୋକ୍ ଅନୁଯାୟୀ ବିଜେପି ବୁଥ ସ୍ତରରେ ଏହା ପ୍ରସ୍ତୁତିକୁ ମଜବୁତ କରିଛି ଏବଂ ଉତର ବଙ୍ଗ ଭଳି ଅଂଚଳରେ ଭଲ ପ୍ରଦର୍ଶନ କରୁଛି । ସହରାଂଚଳ ଭୋଟର ଏବଂ ବିଭିନ୍ନ ସମ୍ପ୍ରଦାୟ ମଧ୍ୟରେ ଭୋଟ ଧାରାରେ ପରିବର୍ତନ ମଧ୍ୟ ଏକ ପ୍ରମୁଖ କାରଣ ।
ଏହା ବ୍ୟତୀତ ବିଜେପିର ଆକ୍ରମଣାତ୍ମକ ପ୍ରଚାର ଏବଂ କେନ୍ଦ୍ରୀୟ ନେତୃତ୍ୱର ଗୁରୁତ୍ୱ ଟିଏମସିର ଯୋଜନା ଅପେକ୍ଷା ଏକ ଭିନ୍ନ କାହାଣୀ ସୃଷ୍ଟି କରିଛି । ଏହି ତିନିଟି ଏଆଇ ମଡେଲର ବିଶ୍ଲେଷଣରେ କେତେକ ସମାନ କାରଣ ଦର୍ଶାଯାଇଥିବାବେଳେ କେତେକ କ୍ଷେତ୍ରରେ ଅସାମାଞ୍ଜସ୍ୟ ମଧ୍ୟ ଥିବା ପରିଲକ୍ଷିତ ହୁଏ ।