କେସିସି ବ୍ୟାଙ୍କରେ ୧କୋଟି ଟଙ୍କା ଦୁର୍ନୀତି
ମାଲକାନଗିରି ଜିଲାର କେସିସି ବ୍ୟାଙ୍କରେ ହୋଇଥିବା ଦୁର୍ନୀତିର ପର୍ଦାଫାସ ହୋଇଛି ।
ଏହି ବ୍ୟାଙ୍କର ମ୍ୟାନେଜର ଶୁଭେନ୍ଦୁ ଖରା ୧କୋଟି ୭ଲକ୍ଷ ଟଙ୍କାର ଦୁର୍ନୀତି କରିଥିବା ଅଭିଯୋଗ ହୋଇଛି । ଏ ନେଇ ଅଧିକ ତଦନ୍ତ ଚାଲିଥିବା ଜଣାପଡ଼ିଛି । ଘଟଣା ଅନୁଯାୟୀ ମାଲକାନଗିରି ସଦର ମହକୁମାରେ ରହିଥିବା କେସିସି ବ୍ୟାଙ୍କ ପୋଟେରୁ ଏବଂ ମାଲକାନଗିରି ଲ୍ୟାମ୍ପକୁ ନେଇ ଚାଲୁଛି ।
ଏହି ଦୁଇ ଲ୍ୟାମ୍ପସ ତାର ଟଙ୍କା ଆଦା ପ୍ରଦାନ କାର୍ଯ୍ୟଏହି ବ୍ୟାଙ୍କରେ ନିୟମିତ କରି ଆସୁଛନ୍ତି । ମାଲକାନଗିରି ଭଳି ଜିଲାର ଚାରିଟି ସ୍ଥାନରେ କେସିସି ବ୍ୟାଙ୍କ ରହିଛି, ସେଗୁଡ଼ିକ ହେଲା ମାଲକାନଗିରି, ମାଥିଲି, କାଲିମେଳା ଏବଂ କୋରକୋଣ୍ଡା ।
ମାତିଲି କେସିସି ବ୍ୟାଙ୍କରେ ମାଥିଲି ଓ ଗୋବିନ୍ଦପାଲ୍ଲୀ ବଣ୍ଡା ଲ୍ୟାମ୍ପସ ନେଣଦେଢ଼ କରୁଥିବା ବେଳେ କାଲିମେଳା କେସିସି ବ୍ୟାଙ୍କରେ କାଲିମେଳା ଓ ପଡ଼ିଆ ଲ୍ୟାମ୍ପସ ଏବଂ କୋରକୋଣ୍ଡା କେସିସି ବ୍ୟାଙ୍କରେ କୋରକୋଣ୍ଡା ଏବଂ କୁଡୁମୁଲୁଗୁମ୍ମା ଲ୍ୟାମ୍ପସ ନେଣଦେଢ଼ କରୁଥିବା ଜଣାପଡ଼ିଛି ।
ତେବେ ମାଲକାନଗିରି ଲ୍ୟାମ୍ପସରେ ହୋଇଥିବା ଘୋଟାଲା ଏବେ ପଦାରେ ପଡ଼ିଛି । ମାଲକାନଗିରି ଲ୍ୟାକସର ବ୍ରାଂଚ ଇନଚାର୍ଜ ୭୭ଲକ୍ଷ ଟଙ୍କା କେସିସି ବ୍ୟାଙ୍କରେ ଟଙ୍କା ଜମା ନ ରଖି ମ୍ୟାନେଜରଙ୍କୁ ହସ୍ତାନ୍ତର କରିଥିଲେ । ମ୍ୟାନେଜର ଶ୍ରୀ ଖରା ମଧ୍ୟ ତାଙ୍କୁ ଏକ ଫେକ ରସିଦ ଧରାଇ ଦେଇଥିବା ଅଭିଯୋଗ ହୋଇଛି ।
ସେହିପରି ପୋଟେରୁ ଲ୍ୟାମ୍ପସ ଇନଚାର୍ଜ ପ୍ରଥମ ଥର ୮ଲକ୍ଷ ୧୦ହଜାର ଓ ପରେ ୨୧ଲକ୍ଷ ୯୫ହଜାର ଟଙ୍କା କେସିସି ବ୍ୟାଙ୍କର ମ୍ୟାନେଜରଙ୍କୁ ଦେଇଥିଲେ । ଏହି ଦୁଇ ଲ୍ୟାମ୍ପସ କେସିସି ବ୍ୟାଙ୍କର କ୍ୟାସିୟର ନିକଟରେ ପୈଠ ନ କରି କାହିଁକି ମ୍ୟାଜେନରଙ୍କୁ ଦେଲେ ତାହା ନେଇ ସନେ୍ଦହ ସୃଷ୍ଟି ହେବା ସହ ମାର୍ଚର କ୍ଲୋଜିଂ ବେଳେ ମେଳ ଖାଇ ନଥିଲା ।
ଏହା ପରେ ଡିଆରସିଏସ କାର୍ଯ୍ୟାଳୟ ପକ୍ଷରୁ ଖୋଳତାଡ଼ ଆରମ୍ଭ ହୋଇଥିଲା ।
କେସିସି ବ୍ୟାଙ୍କର ମ୍ୟାନେଜର ଏହି ଟଙ୍କାକୁ ବିଭିନ୍ନ ଦିଗରେ ଖର୍ଚ କରି ଦେଇଥିବା ଜଣାପଡ଼ିଥିଲା । ତୁରନ୍ତ ଏ ନେଇ ଉଚ୍ଚସ୍ତରୀୟ ତଦନ୍ତ ହେବା ପରେ ତୁରନ୍ତ ଶ୍ରୀ ଖରାଙ୍କୁ ନିଳମ୍ବିତ କରାଯାଇଥିବା ଡିଆରସିଏସ ଥିଓଫିଲ ଶବର ପ୍ରକାଶ କରିଥିଲେ ।
ପରେ କୋରାପୁଟ ବ୍ୟାଙ୍କର ଉଚ୍ଚ ପଦାଧିକାରୀ ଏବଂ ବର୍ତମାନର କେସିସି ବ୍ୟାଙ୍କର ନୂତନ ବିଏମ ମାଲକାନଗିରି ଥାନରେ ଏତଲା ଦାଏର କରିଥିବା ଜଣାପଡ଼ିଛି ।
ତେବେ ଏ ନେଇ କୋରାପୁଟରୁ ଆସିଥିବା ଉଚ୍ଚ ପଦାଧିକାରୀ ଏବଂ ସ୍ଥାନୀୟ ନୂତନ ବିଏମଙ୍କୁ ପଚରାଯିବାରୁ ସେ ଏ ସମ୍ପର୍କରେ କିଛି କହିବାକୁ ମନା କରିଛନ୍ତି ।