୩ ବିଲ ଆଗତ, ମହିଳା ସଂରକ୍ଷଣ ଉପରେ ବିତର୍କ
ସଂସଦର ତିନିଦିନିଆ ସ୍ୱତନ୍ତ୍ର ଅଧିବେଶନରେ ଆଜି ଏନଡିଏ ସରକାର ଦୀର୍ଘଦିନରୁ ବିଳମ୍ବିତ ୩୩ ପ୍ରତିଶତ ମହିଳା ସଂରକ୍ଷଣକୁ କାର୍ଯ୍ୟକାରୀ କରିବା ପାଇର୍ ବଡ଼ ପଦକ୍ଷେପ ନେବା ସହ ଲୋକସଭରେ ତିନିଟି ଗୁରୁତ୍ୱପୂଣର୍ଣ ବିଲ ଆଗତ କରିଛନ୍ତି ।
ଏହି ପ୍ରକ୍ରିୟାକୁ ନୂତନ ନିର୍ବାଚନମଣ୍ଡଳୀ ପୁନଃନିର୍ଦ୍ଦାରଣ ସହିତ ଯୋଡ଼ା ଯାଇଛି, ଯାହାଦ୍ୱାରା ଲୋକସଭା ଆସନ ସଂଖ୍ୟା ୫୪୩ରୁ ପ୍ରାୟ ୮୫୦କୁ ବୃଦ୍ଧି ପାଇବ ।
ଶାସକ ମେଣ୍ଡ ଏହାକୁ ନାରୀ ଶକ୍ତି ପାଇଁ ଏକ ଐତିହାସିକ ପଦକ୍ଷେପ ବୋଲି ଅଭିହିତ କରିଥିବାବେଳେ ଇଣ୍ଡି ମେଂଟ ଏହା ଏକ ରାଜନୈତିକ ଚାଲ ବୋଲି କହି ବିରୋଧ କରିଛି । ବିରୋଧୀଙ୍କ ଅଭିଯୋନ ଅନୁସାରେ ସରକାର ସୀମା ପୁନଃ ନିର୍ଦ୍ଦାରଣକୁ ଅସ୍ତ୍ର କରି ଉତର ଭାରତର ଜନସଂଖ୍ୟାବହୁଳ ରଜା୍ୟଗୁଡ଼ିକୁ ଫାଇଦା ପହଂଚାଇବାକୁ ଚେଷ୍ଟା କରୁଛନ୍ତି । ଗୁରୁବା ପୂର୍ବାହ୍ନ ୧୧ଟାରେ ଆରମ୍ଭ ହୋଇଥିବା ଅଧିବେଶନ ଉଭୟ ଶାସକ ଓ ବିରୋଧୀଙ୍କ ପ୍ରବଳ ଯୁକ୍ତିତର୍କ ଭିତରେ ସରଗରମ ରହିଥିଲା ।
କେନ୍ଦ୍ର ଆଇନ ମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ଓ ଗୃହମନ୍ତ୍ରୀ ଅମିତ ଶାହ ମହିଳା ସଂରକ୍ଷଣ କାର୍ଯ୍ୟକାରୀ କରିବା ନିମନ୍ତେ ଆସନ ବୃଦ୍ଧ ିପାଇଁ ସମ୍ବିଧାନ ସଂଶୋଧନ (୧୩୧ତମ) ବିଲ, ସୀମା ପୁନଃନିର୍ଦ୍ଦାରଣ ବିଲ ଓ କେନ୍ଦ୍ରଶାସିତ ଅଂଚଳ ଆଇନ (ସଂଶୋଧନ) ବିଲ୍ ଆଗତ କରିଥିଲେ ।
ସମ୍ବିଧାନ ସଂଶୋଧନ ବିଲ ଆସନ ସଂଖ୍ୟା ଉପରେ ଥିବା ପ୍ରତିବନ୍ଧକ ହଟାଇବା ସହ ଗୃହରେ ୮୫୦ ଆସନ ବୃଦ୍ଧି ପାଇଁ ଉଦ୍ଦିଷ୍ଟ ।
ସୀମା ନିର୍ଦ୍ଦାରଣ ବିଲରେ ୨୦୧୧ ତଥ୍ୟ ବ୍ୟବହାର କରି ସୀମା ପୁନଃ ନିର୍ଦ୍ଦାରଣ ନିମନ୍ତେ କମିସନ ଗଠନ ପାଇଁ ପ୍ରାବଧାନ ରହିଥିବାବେଳେ କେନ୍ଦ୍ରଶାସିତ ଅଂଚଳ ଆଇନ (ସଂଶୋଧନ) ବିଲରେ ଦିଲ୍ଲୀ, ପଡ଼ୁଚେରୀ ଓ ଜମ୍ମୁ-କଶ୍ମୀର ଭଳି କେନ୍ଦ୍ରଶାସିତ ଅଂଚଳରେ ମହିଳା ସଂରକ୍ଷଣ ଲାଗୁ କରିବା ପାଇଁ ପ୍ରାବଧାନ ରହିଛି ।
ବିଲ୍ ଆଗତ ପାଇଁ ଦୁଇଟି ପର୍ଯ୍ୟାୟ ଭୋଟ ପରେ ସମ୍ବିଧାନ ସଂଶୋଧନ ବିଲ୍ ପ୍ରାରମ୍ଭିକ ସ୍ତର ଅତିକ୍ରମ କରିଥିଲା । ଦ୍ୱିତୀୟ ପର୍ଯ୍ୟାୟରେ ବିଲ ଆଗତ ପାଇଁ ଏହା ସପକ୍ଷରେ ୨୫୧ଟି ଭୋଟ ଓ ବିପକ୍ଷରେ ୧୮୫ଟି ଭୋଟ ପଡ଼ିଥିଲା । ଏନଡିଏର ୮୬ଜଣ ସଦସ୍ୟ ଅନୁପସ୍ଥିତ ଥିଲେ ମଧ୍ୟ ସରକାର ଆବଶ୍ୟକ ବହୁମତ ସୀମାକୁ ସହଜରେ ଅତିକ୍ରମ କରିଥିଲେ ।
ଲୋକସଭାରେ ବିଲ୍ ଉପରେ ଭୋଟ ଗ୍ରହଣ କରାଯିବ, ଯଦି ବିଲ ପାସ ହୁଏ, ତେବେ ପୁନଃନିର୍ଦ୍ଦାରଣ କମିସନ ତାଙ୍କର କାର୍ଯ୍ୟ ଆରମ୍ଭ କରିବେ ଏବଂ ୨୦୨୯ ସାଧାରଣ ନିର୍ବାଚନରେ ପ୍ରଥମ ଥର ପାଇଁ ମହିଳାମାନେ ସଂରକ୍ଷଣର ସୁବିଧା ପାଇବେ ।
ସଂସଦରେ ବର୍ତମାନ ସଂଖ୍ୟା ସୂଚାଇ ଦେଉଛି ଯେ ଯଦି ବିରୋଧୀ ଦଳଗୁଡ଼ିକ ଏକାଠି ହୁଅନ୍ତି, ତେବେ ସରକାର ଏକ କଠିନ ସ୍ଥିତିର ସମ୍ମୁଖୀନ ହୋଇପାରନ୍ତି । ଏଭଳି ବିତର୍କରେ ସମାଜବାଦୀ ପାର୍ଟି ନେତା ଅଖିଲେଶ ଯାଦବ ଓ ଡିମ୍ପଲ ଯାଦବ ତୁରନ୍ତ ଜାତିଗତ ଜନଗଣନା ସହିତ ଓବିସି ଓ ମୁସଲିମ ମହିଳାଙ୍କ ପାଇଁ ଉପ-ସଂରକ୍ଷଣ ଦାବି କରିଛନ୍ତି ।
କଂଗ୍ରେସ ସାଂସଦ ଗୌରବ ଗୋଗେଇ କହିଛନ୍ତି ଯେ ପୁନଃନିର୍ଦ୍ଦାରଣକୁ ଅପେକ୍ଷା ନ କରି ବର୍ତମାନର ୫୪୩ଟି ଆସନରେ ହିଁ ସଂରକ୍ଷଣ ଲାଗୁ କରାଯାଉ । ଟିଏମସି ନେତା ଡେରେକ ଓବ୍ରାଏନ ପୁନଃ ନିର୍ଦ୍ଦାରଣ କାର୍ଯ୍ୟସୂଚୀକୁ ଷଡ଼ଯନ୍ତ୍ର ବୋଲି କହିଛନ୍ତି । ଏହାର ପରିପ୍ରେକ୍ଷରେ ଗୃହମନ୍ତ୍ରୀ ଅମିତ ଶାହ କହିଛନ୍ତି ଯେ ଜନଗଣନା ପ୍ରକ୍ରିୟା ଆରମ୍ଭ ହୋଇସାରିଛି । ଏଥିରେ ଜାତିଗତ ଗଣନାକୁ ସାମିଲ କରାଯିବ ।
ସେ ସ୍ପଷ୍ଟ କରିଛନ୍ତି ଯେ ଧର୍ମଭିତିକ ସଂରକ୍ଷଣ ଅସାମ୍ବିଧାନିକ । ଦକ୍ଷିଣ ଭାରତୀୟ ରାଜ୍ୟଗୁଡ଼ିକ ପ୍ରତି ହେଉଥିବା ପକ୍ଷପାତ ଅଭିଯୋଗକୁ ଖଣ୍ଡନ କରି ବିଜେପି ସାଂସଦ ତେଜସ୍ୱୀ ସୂର୍ଯ୍ୟ କହିଛନ୍ତି ଯେ ଦକ୍ଷିଣ ଭାରତ ପାଇଁ ଏହାଠାରୁ ଭଲ ସୁବିଧା ଆଉ କିଛି ହୋଇନପାରେ ।