କାର-ବସ ଧକ୍କା, ୬ ଜୀବନ୍ତ ଦଗ୍ଧ
କର୍ଣ୍ଣାଟକର ୟାଦଗିର ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ୬ଜଣଙ୍କ ପ୍ରାଣହାନୀ ଘଟିଛି ।
ଶୁକ୍ରବାର ଏକ କାର ଏବଂ ଏକ ଘରୋଇ ବସ୍ ମୁହାଁମୁହିଁ ଧକ୍କା ହେବା ଫଳରେ କାରଟିରେ ନିଆଁ ଲାଗି ଯାଇଥିଲା । ଫଳରେ କାରଟି ସମ୍ପୂର୍ଣ୍ଣ ଜଳିଯାଇଥିଲା ।
କାରର ସମସ୍ତ (୬ଜଣ) ଯାତ୍ରୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ଜଣାପଡ଼ିଛି । ସ୍ଥାନୀୟ ଲୋକମାନେ ଗାଡ଼ିକରୁ ଅନ୍ୟ ଦୁଇଜଣଙ୍କୁ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି । ସେମାନଙ୍କୁ ହାସପାତାଳରେ ଭର୍ତି କରାଯାଇଛି । ଆହତଙ୍କ ମଧ୍ୟରୁ ଜଣଙ୍କ ଅବସ୍ଥା ଗୁରୁତର ରହିଛି ।
ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ ଘଟଣାଟି ସୁରପୁର ପୁଲିସ ଷ୍ଟେସନ ଅଧୀନସ୍ଥ ସୁରପୁର ତାଲୁକର ଦେବପୁର ନିକଟରେ ଘଟିଛି । ପ୍ରାଥମିକ ରିପୋର୍ଟରୁ ଜଣାପଡ଼ିଛି ଯେ କାରଟି ୟାଦଗିରରୁ ରାଇଚୁର ଅଭିୁଖେ ଯାତ୍ରା କରୁଥିବା ସମୟରେ ବେଙ୍ଗାଲୁରୁ କଳାମୁରାଗି ଅଭିମୁଖେ ଯାତ୍ରା କରୁଥିବା ଏକ ଘରୋଇ ବସ୍ ସହିିତ ଧକ୍କା ହୋଇଥିଲା ।
ଧକ୍କାର ପ୍ରଭାବ ଏତେଟା ତୀବ୍ର ଥିଲା ଯେ କାର ଏବଂ ବସ ଉଭୟରେ ତୁରନ୍ତ ନିଆଁ ଲାଗି ଯାଇଥିଲା ।
ଅଗ୍ନିକାଣ୍ଡ ଯୋଗୁଁ କାରଟି ସମ୍ପୂର୍ଣ୍ଣ ପାଉଁଶ ହୋଇଯାଇଥିଲା । ଯାହାଦ୍ୱାରା ଭିତରେ ଥିବା ୬ଜଣ ଯାତ୍ରୀ ଘଟଣାସ୍ଥଳରେ ପୋଡ଼ି ମୃତ୍ୟୁ ଘଟିଛି । ଅଗ୍ନିଶମ ଓ ଜରୁୀକାଳୀନ ସେବା କର୍ମଚାରୀମାନେ ଘଟଣାସ୍ଥଳକୁ ଆସି ନିଆଁ ଲିଭାଇଥିଲେ ।
ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଥିଲେ ମଧ୍ୟ କେଉଁ କାରଣରୁ ଧକ୍କା ଓ ନିଆଁ ଲାଗିଲା, ସେ ସମ୍ପର୍କରେ ସଠିକ୍ ଜାଣିପାରି ନାହିଁ । ପୁଲିସ ପକ୍ଷରୁ ଅନୁସନ୍ଧାନ ଜାରି ରହିଛି ।