୪ ଉଗ୍ରବାଦୀ ନିପାତ
ଓଡ଼ିଶା ସୁନ୍ଦରଗଡ଼ ଜିଲା ସୀମାନ୍ତ ଝାଡ଼ଖଣଡର ହଜାରିବାଗ ଜିଲା ପିପରୱାର-କେରେଡାରୀ ଅଂଚଳସ୍ଥିତ ଖପିଆ ଜଙ୍ଗଲରେ ଶୁକ୍ରବାର ସୁରକ୍ଷା ବାହିନୀ ଏବଂ ସିଏସପିସି ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ହୋଇଛି ।
ସୁରକ୍ଷା ବାହିନୀର ଯବାନମାନେ ଉଗ୍ରବାଦୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାର୍ଯ୍ୟାନୁଷ୍ଠାନରେ ଉଗ୍ରବାଦୀ ସଂଗଠନର ୪ଜଣ ସଦସ୍ୟ ନିପାତ ହୋଇଛନ୍ତି ।
ନିପାତ ହୋଇଥିବା ଉଗ୍ରବାଦୀଙ୍କ ମଧ୍ୟରେ ସଂଗଠନର ଜୋନାଲ କମାଣ୍ଡର ଏବଂ ୧୫ଲକ୍ଷ ଟଙ୍କା ପୁରସ୍କାର ଘୋଷିତ ଶାହଦେବ ମଧ୍ୟ ସାମିଲ ରହିଛି, ଯାହାକୁ ସୁରକ୍ଷା ବାହିନୀର ଯବାନମାନେ ଦୀର୍ଘଦିନରୁ ଖୋଜୁଥିଲେ । ପୁଲିସକୁ ସୂଚନା ମିଳିଥିଲା ଯେ ଟିଏସପିସିର ଉଗ୍ରବାଦୀମାନେ ଏକ ବଡ଼ ଧରଣର ଷଡ଼ଯନ୍ତ୍ର କରୁଛନ୍ତି ।
ଏଥିପାଇଁ ସେମାନେ ଖପିଆ କୋଟି ଝରଣା ଅଂଚଳରେ ଏକତ୍ର ହୋଇଥିଲେ । ଏହି ସୂଚନା ଆଧାରରେ କୋବ୍ରା ବାଟାଲିୟନ ଏବଂ ଚତରା ଜିଲା ପୁଲିସ ମିଳିତ ଭାବେ ସର୍ଚ ଅପରେସନ କରିଥିଲେ ।
ଘଟଣାସ୍ଥଳରେ ଯେତେବେଳେ ସୁରକ୍ଷା ବାହିନୀ ପହଂଚିଥିଲେ, ଉଗ୍ରବାଦୀମାନେ ହିଂସ୍ର ହୋଇଥିଲେ ଏବଂ ଅତର୍କିତ ଭାବେ ଗୁଳି ଚଳାଇଥିଲେ । ଜବାବୀ କାର୍ଯ୍ୟାନୁଷ୍ଠାନ ବଳରେ ସୁରକ୍ଷା ବାହିନୀର ଗୁଳିମାଡ଼ରେ ୪ଜଣ ଉଗ୍ରବାଦୀ ନିପାତ ହୋଇଥିବା ଜଣାପଡ଼ିଛି ।
ନିହତ ଉଗ୍ରବାଦୀଙ୍କ ମଧ୍ୟରେ ଶାହଦେବର ପତ୍ନୀ ସାମିଲ ଥିବା ଜଣାପଡ଼ିଛି । ପୁଲିସ ଏବଂ ଉଗ୍ରବାଦୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୁରକ୍ଷା ବାହିନୀ ଯବାନମାନେ ସର୍ଚ ଅପରେସନ ଜାରି ରଖିଛନ୍ତି ।