୩୦୦ ବେଆଇନ୍ ଜୁଆ, ବେଟିଂ ଆପ୍ ନିଷିଦ୍ଧ
କେନ୍ଦ୍ର ସରକାର ୩୦୦ ଅନ୍ଲାଇନ୍ ଜୁଆଖେଳ ଓ ବେଟିଂ ଆପ୍ ଏବଂ ୱେବ୍ସାଇଟ୍କୁ ନିଷିଦ୍ଧ କରିଛନ୍ତି । ଆଇନ୍ ଉଲ୍ଲଂଘନ କରିଥିବା ଅନ୍ଲାଇନ୍ କ୍ରୀଡ଼ା ବେଟିଂ ୱେବ୍ସାଇଟ୍, ଡିଜିଟାଲ କାସିନୋ ଆଦିକୁ ବନ୍ଦ କରାଯାଇଛି । ସଟ୍ଟା, ମଟ୍କା ଜୁଆ ଖେଳ ଉପରେ ମଧ୍ୟ ରୋକ ଲଗାଯାଇଛି ।
ଅନ୍ଲାଇନ୍ ଗେମିଂ ନିୟମ ଅଧିନରେ ବର୍ତମାନ ସୁଦ୍ଧା ୮୪୦୦ ପାଖାପାଖୀ ୱେବ୍ସାଇଟ ନିଷିଦ୍ଧ କରାଯାଇଛି । ସେଥିରୁ ୪୯୦୦ଟି ୱେବ୍ସାଇଟ୍କୁ ସମ୍ପୂର୍ଣ୍ଣ ଉଠାଇ ଦିଆଯାଇଛି ।
ସୂତ୍ରରୁ ଜଣାପଡ଼ିଛି ଯେ ଏଭଳି ବେଆଇନ୍ ଅନ୍ଲାଇନ୍ ଜୁଆ, ବେଟିଂ ଆପ୍ ଓ ୱେବ୍ସାଇଟ୍କୁ ନିଷିଦ୍ଧ କରାଯିବାଦ୍ୱାରା ଅନେକେ ଉପକୃତ ହେବା ସମ୍ଭବ । ଯଦି ଏହାକୁ କେହି ଉଲଙ୍ଘନ କରନ୍ତି ତେବେ ଅଭିଯୁକ୍ତଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ବିଶେଷ କରି ଯୁବପିଢ଼ୀ ଏହାର ସଂସ୍ପର୍ଶରେ ଆସି ସର୍ବସ୍ୱ ହରାଉଛନ୍ତି । ତେଣୁ ସେମାନଙ୍କ ଭବିଷ୍ୟତକୁ ଗୁରୁତ୍ୱ ଦେଇ କେନ୍ଦ୍ର ସରକାର ଏଭଳି ପଦକ୍ଷେପ ଗ୍ରହଣ କରିଥିବା ବୁଦ୍ଧିଜୀବୀ ମହଲର ବକ୍ତବ୍ୟ ।
ବିଦ୍ୟାଳୟଠୁ ଆରମ୍ଭ କରି ସାହି, ବଜାର, ମାର୍କେଟ ପର୍ଯ୍ୟନ୍ତ ଏହାର ସଂସ୍ପର୍ଶରେ ଆସି ଅନେକେ ତଳିତଳାନ୍ତ ହେଉଛନ୍ତି । ତେଣୁ ଏହି କ୍ଷେତ୍ରରେ କେନ୍ଦ୍ରର ରୋକ ଲାଗିବା ସ୍ୱାଗତଯୋଗ୍ୟ ବିଷୟ ।