ଯୁଦ୍ଧରେ ପାକିସ୍ତାନ ସାମିଲ ଆଶଙ୍କା!
ମଧ୍ୟପ୍ରାଚ୍ୟରେ ଲାଗିରହିଥିବା ଯୁଦ୍ଧ ଆଜିକୁ ତିନି ସପ୍ତାହ ହେବାକୁ ବସିଛି ।
ଯୁଦ୍ଧରେ ଆମେରିକା, ଇସ୍ରାଏଲ ଓ ଇରାନ ସାମିଲ ଥିବାବେଳେ ଅନ୍ୟ କେତେକ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଅଯଥାରେ ଇରାନର ଶତ୍ରୁ ପାଲଟିଥିବା ପରିଲକ୍ଷିତ ହୋଇଛି । ତେବେ ଇରାନ ପକ୍ଷରୁ କ୍ଷେପଣାସ୍ତ୍ର ଆକ୍ରମଣ କରାଯିବା ପରେ ସାଉଦି ଆରବ ପ୍ରତିଶୋଧ ପରାୟଣ ହୋଇ ଉଠିଥିବା ପରିଲକ୍ଷିତ ହୋଇଛି ।
ଗୁରୁବାର ରିୟାଦରେ ଏକାଧିକ ଇସଲାମିକ ରାଷ୍ଟ୍ରର ବୈଦେଶିକ ମନ୍ତ୍ରୀଙ୍କ ବୈଠକ ଚାଲିଥିବାବେଳେ ଇରାନ ପକ୍ଷରୁ ଏଭଳି ଆକ୍ରମଣ କରାଯାଇଛି । ଏହି ପରିପ୍ରେକ୍ଷୀରେ ସାଉଦି ବିଦେଶୀ ମନ୍ତ୍ରୀ ଇରାନକୁ ଧମକ ଦେଇଛନ୍ତି । ସେ କହିଛନ୍ତି ଯେ ଯଦି ଏଭଳି ଚାଲେ ତେବେ ବାଧ୍ୟ ହୋଇ ସାଉଦି ଆରବ ଯୁଦ୍ଧନୀତି ଅବଲମ୍ବନ କରିବ ।
ଅପରପକ୍ଷରେ ଯଦି ସାଉଦି ଆରବ ଯୁଦ୍ଧରେ ସାମିଲ ହୁଏ, ତେବେ ପାକିସ୍ତାନ ମଧ୍ୟ ଯୁଦ୍ଧରେ ସାମିଲ ହେବାର ସମ୍ଭାବନା ରହିଛି ବୋଲି କୁଟନୈତିକ ମହଲ ପକ୍ଷରୁ ଆଶଙ୍କାବ୍ୟକ୍ତ କରାଯାଇଛି । କାରଣ ସାଉଦି ଆରବ ଓ ପାକିସ୍ତାନ ମେଧ୍ୟରେ ପୂର୍ବରୁ ପ୍ରତିରକ୍ଷା ଚୁକ୍ତି ସ୍ୱାକ୍ଷରିତ ହୋଇଥିବା ଜଣାଯାଏ ।
ସେହି ଚୁକ୍ତି ଅନୁସାରେ ଯଦି ପାକିସ୍ତାନ କିମ୍ବା ସାଉଦି ଆରବ ଉପରେ ଆକ୍ରମଣ କରାଯାଏ, ତେବେ ଏହାକୁ ପରସ୍ପର ଉପରେ ଆକ୍ରମଣ ଭାବେ ବିବେଚନା କରାଯିବ । ପାକିସ୍ତାନ ବର୍ତମାନ ଆଫଗାନିସ୍ତାନ ସହ ଆଂଶିକ ଯୁଦ୍ଧରେ ବ୍ୟସ୍ତ ରହିଥିବା ପରିଲକ୍ଷିତ ହୁଏ ।
ତେବେ ସାଉଦି ଆରବ ଯଦି ମଧ୍ୟପ୍ରାଚ୍ୟ ଯୁଦ୍ଧରେ ସାମିଲ ହୁଏ, ତେବେ ସାଉଦୀ ଆରବକୁ ସାମରିକ ସହାୟତା ଯୋଗାଇବା କ୍ଷେତ୍ରରେ ପାକିସ୍ତାନ ମଧ୍ୟ ଅବତୀର୍ଣ୍ଣ ହେବାର ସମ୍ଭାବନା ଅଧିକ ରହିଛି ।
ଯାହାଦ୍ୱାରା ପଡ଼ୋଶୀଦେଶଗୁଡ଼ିକ ପ୍ରଭାବିତ ହେବାର ଆଶଙ୍କା ରହିଛି ।