ଆଉ ନୁହେଁ, ଏଥର ଲଢ଼ିବୁ : ସାଉଦିଆରବ
ମଧ୍ୟପ୍ରାଚ୍ୟ ଯୁଦ୍ଧର ଅବସାନ ଏବେ ବି ଘଟିପାରିଲା ନାହିଁ । ଇରାନ ପକ୍ଷରୁ ସାଉଦି ଆରବ, କାତାର, ବାହାରିନ, କୁଏତ ଭଳି ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଉପରେ ଆକ୍ରମଣ କରାଯାଉଥିବାରୁ ମଧ୍ୟପ୍ରାଚ୍ୟ ଯୁଦ୍ଧ କ୍ରମଶଃ ଉଗ୍ରରୂପ ଧାରଣ କରିବାରେ ଲାଗିଛି ।
ତେବେ ଏହି ଆକ୍ରମଣ ପରିପ୍ରେକ୍ଷୀରେ ସାଉଦି ଆରବ ପକ୍ଷରୁ ଇରାନକୁ କଡ଼ା ଚେତାବନୀ ଦିଆଯାଇଛି ।
ସାଉଦି ବିଦେଶ ମନ୍ତ୍ରୀ ପ୍ରିନ୍ସ ଫୈଜଲ ବିନ୍ ଫରହାନ୍ ଅଲ୍ ସାଉଦ୍ କହିଛନ୍ତି ଯେ ଇରାନ ଆକ୍ରମଣକୁ ଆମର ଧୈର୍ଯ୍ୟଚ୍ୟୁତି ଘଟିଲାଣି ।
ଯଦି ଇରାନ ଆକ୍ରମଣ ବନ୍ଦ ନ କରେ, ତେବେ ସାଉଦି ଆରବ ଏହି ଯୁଦ୍ଧରେ ସାମିଲ ହେବାକୁ ବାଧ୍ୟ ହେବ । ଇରାନ ପକ୍ଷରୁ ରିୟାଦସ୍ଥିତ ତୈଳ ଭଣ୍ଡାର ଉପରେ ଆକ୍ରମଣ ଜାରି ରହିଛି ।
ପୁନଶ୍ଚ ରିୟାଦରେ ଇସଲାମିକ ରାଷ୍ଟ୍ରର ବିଦେଶ ମନ୍ତ୍ରୀଙ୍କ ସମ୍ମିଳନୀ ଚାଲିଥିବାବେଳେ ଇରାନ ଚାରିଟି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ମାଡ଼ କରିଛି ।
ସାଉଦି ଆରବ ଅବଶ୍ୟ ଆକାଶମାର୍ଗରେ ଏଗୁଡ଼ିକୁ ନଷ୍ଟ କରିଥିବାରୁ ବିଶେଷ କ୍ଷୟକ୍ଷତି ଘଟିନାହିଁ । ଏଭଳି ଆକ୍ରମଣଦ୍ୱାରା ଇରାନ ଆମକୁ ଯୁଦ୍ଧରେ ସାମିଲ ହେବାକୁ ଉସ୍କାଉଛି ବୋଲି ଫୈଜଲ କହିଛନ୍ତି ।
ଆମେରିକା ଓ ଇସ୍ରାଏଲ ଉପରେ ପ୍ରତିଶୋଧ ପରାୟଣ ହୋଇ ମଧ୍ୟପ୍ରାଚ୍ୟ ରାଷ୍ଟ୍ର ଉପରେ ଇରାନ ଆକ୍ରମଣ କରିବାର କୌଣସି ଯଥାର୍ଥତା ନାହିଁ ବୋଲି ଫୈଜଲ କହିଛନ୍ତି ।
ଯଦିଓ ସାଉଦି ଆରବ ଓ ଏହାର ପଡ଼ୋଶୀ ରାଷ୍ଟ୍ରଗୁଡ଼ିକ ସାମରିକ ଦୃଷ୍ଟିକୋଣରୁ ଏତେଟା ଶକ୍ତିଶାଳୀ ନୁହଁନ୍ତି, ତଥାପି ଏମାନେ ଏକାଠି ହେଲେ ଇରାନ ଉଚିତ୍ ଶିକ୍ଷା ପାଇବ ବୋଲି ଫୈଜଲ କହିଛନ୍ତି ।