୪୦ଡିଗ୍ରୀ ଉପରେ ୮ ସହର
ରାଜ୍ୟର ଗୋଟିକ ପରେ ଗୋଟିଏ ସହରର ପାରଦ ୪୦ଡିଗ୍ରୀ ଅତିକ୍ରମ କରିଛି । ଟିଟିଲାଗଡ଼ ତାପମାତ୍ରା ଆଜ ରାଜ୍ୟରେ ଶୀର୍ଷ ସ୍ଥାନରେ ରହିବା ସହ ୪୧.୭ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ସମ୍ବଲପୁର ଓ ହୀରାକୁଦରେ ୪୧.୫ଡିଗ୍ରୀ, ଝାରସୁଗୁଡ଼ା ଓ ଭବାନୀପାଟଣାରେ ୪୧ଡିଗ୍ରୀ, ସୋନପୁରରେ ୪୦.୬ଡିଗ୍ରୀ, ବଲାଙ୍ଗିରରେ ୪୦.୩ଡିଗ୍ରୀ, ତାଳଚେରରେ ୪୦ଡିଗ୍ରୀ ଥିଲା ।
ଆଗାମୀ ତିନି ଦିନ ମଧ୍ୟରେ ସର୍ବୋଚ୍ଚ ତାପମାତ୍ରା ଆଉ ୨ରୁ ୪ଡିଗ୍ରୀ ପର୍ଯ୍ୟନ୍ତ ବଢ଼ିବାର ପାଣିପାଗ ବିଭାଗ ଆଶଙ୍କା କରୁଛି । ପଶ୍ଚିମ ଓଡ଼ିଶା ସହରଗୁଡ଼ିକରେ ତାପମାତ୍ରା ୪୫ଡିଗ୍ରୀ ଉପରେ ଗତି କରୁଛି । ଆଗକୁ ଏହା ଅଧିକ ହେବାର ସମ୍ଭାବନା ରହିଛି ।
ଟିଟିଲାଗଡ଼, ବଲାଙ୍ଗୀର, ଝାରସୁଗୁଡ଼ା, ସୁନ୍ଦରଗଡ଼ର ତାପମାତ୍ରାରେ ମଧ୍ୟ ହେରଫେର ହେବାର ସମ୍ଭାବନା ଦେଖାଦେଇଛି ।
ବିଭାଗ ପକ୍ଷରୁ କୁହାଯାଇଛି ଯେ ୧୬, ୧୭ ଓ ୧୮ତାରିଖରେ ଗ୍ରୀଷ୍ମ ପ୍ରବାହ ରାଜ୍ୟର ବିଭିନ୍ନ ସହରରେ ଜାରି ରହିବ । ଭୁବନେଶ୍ୱର, କଟକ, ଯାଜପୁର, ଭଦ୍ରକ, ବାଲେଶ୍ୱର ଭଳି ଉପକୂଳବର୍ତୀ ଅଂଚଳରେ ତାପମାତ୍ରା ୪୦ଡିଗ୍ରୀରେ ପହଂଚିବ ବୋଲି ଭାରତୀୟ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି ।
ଅନ୍ୟପକ୍ଷରେ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ ଆଗାମୀ କିଛି ଦିନ ମଧ୍ୟରେ ରାଜ୍ୟରେ କାଳବୈଶାଖୀ ପ୍ରଭାବ ଦେଖାଯାଉ ନାହିଁ । ତେବେ ଦିନ ଓ ରାତ୍ରି ତାପମାତ୍ରା ମଧ୍ୟରେ ବିଶେଷ ଫରକ ପରିଲକ୍ଷିତ ହେବ ।
ରୌଦ୍ରତାପ ସାଙ୍ଗକୁ ଅଧିକ ପରିମାଣର ଗୁଳୁଗୁଳି ଯୋଗୁଁ ଅନେକେ ସମସ୍ୟାରେ ପଡ଼ିପାରନ୍ତି । ସେଥିପାଇଁ ସତର୍କତାମୂଳକ ବ୍ୟବସ୍ଥା ଗ୍ରହଣ କରିବାକୁ ପରାମର୍ଶ ଦିଆଯାଇଛି ।
ତେବେ ଯେଉଁ ଆଠଟି ସହର ୪୦ଡିଗ୍ରୀ ଉପରେ ରହିଛି ସେଗୁଡ଼ିକ ହେଲା ଟିଟିଲାଗଡ଼, ଝାରସୁଗୁଡ଼ା, ଭବାନୀପାଟଣା, ସମ୍ବଲପୁର, ହୀରାକୁଦ, ବୌଦ, ବଲାଙ୍ଗୀର ଏବଂ ବରଗଡ଼ ।