ଇରାନକୁ ଯୁଦ୍ଧାସ୍ତ୍ର ପଠାଇବ ନାହିଁ ବେଜିଂ : ଟ୍ରମ୍ପ
ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ଏକ ବଡ଼ ଦାବି କରିଛନ୍ତି ।
ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ ବ୍ୟକ୍ତିଗତ ଭାବେ ନିଶ୍ଚିତ କରିଛନ୍ତି ଯେ ବେଜିଂ କୌଣସି ପ୍ରକାରର ଯୁଦ୍ଧାସ୍ତ୍ର ଇରାନକୁ ପଠାଇବ ନାହିଁ । ଦୁଇ ନୋତଙ୍କ ମଧ୍ୟରେ ହୋଇଥିବା ଚିଠି ଆଦାନ ପ୍ରଦାନ ବେଳେ ଜିନପିଙ୍ଗ ଏପରି ପ୍ରତିଶ୍ରୁତି ଦେଇଥିବା ଟ୍ରମ୍ପ କହିଛନ୍ତି ।
ସେ କହିଛନ୍ତି ଯେ ମୁଁ ତାଙ୍କୁ (ଜିନପିଙ୍ଗ) ଚିଠି ଲେଖି ଏପରି ନ କରିବାକୁ କହିଥିଲି । ସେ ମୋତେ ଚିଠି ଲେଖି ଏମିତି କରିବେ ନାହିଁ ବୋଲି କହିଛନ୍ତି । ଇରାନ ଦୀର୍ଘ ସପ୍ତାହ ଧରି ଆମେରିକା ଓ ଇସ୍ରାଏଲର କଡ଼ା ମୁକାବିଲା କରୁଥିବାରୁ ଏହା ପଛରେ ବିଦେଶୀ ରାଷ୍ଟ୍ରର ସାମରିକ ସହାୟତା ରହିଥିବା ଚର୍ଚା ହେଉଥିଲା ।
ଇରାନକୁ ଯୁଦ୍ଧାସ୍ତ୍ର ପଠାଉଥିବା ବିଦେଶୀ ରାଷ୍ଟ୍ରଗୁଡ଼ିକୁ ମଧ୍ୟ ଟ୍ରମ୍ପ ଚେତାବନୀ ଦେଇଥିଲେ । ଯଦି କୌଣସି ଦେଶ ଇରାନକୁ ଯୁଦ୍ଧାସ୍ତ୍ର ପଠାଉଥିବା ଜଣାପଡ଼ିବ, ତେବେ ଆମେରିକା ସେମାନଙ୍କ ଉପରେ ୫୦% ଟାରିଫ ଲଗାଇବେ ବୋଲି କହିଥିଲେ ।
କିଛି ଦିନ ତଳେ ଗୁଇନ୍ଦା ରିପୋର୍ଟ ପ୍ରକାଶ ପାଇଥିଲା ଯେ ଆମେରିକା ଓ ଇସ୍ରାଏଲ ସହ ଲଢ଼ିବା ପାଇଁ ଚୀନ ପକ୍ଷରୁ ଇରାନକୁ ଯୁଦ୍ଧାସ୍ତ୍ର ପଠାଇବାକୁ ପ୍ରସ୍ତୁତି ଚାଲିଛି । ବିଶେଷ କରି ଚୀନ ନିଜର ଏୟାର ଡିଫେନ୍ସ ସିଷ୍ଟମ ଓ କାନ୍ଧରେ ରଖି ଆକାଶକୁ ମାଡ଼ କରାଯାଇ ପାରୁଥିବା ମିସାଇଲ ଆଦି ଇରାନକୁ ଦେବାକୁ ଯାଉଛି ।
ସେହିପରି ଚୀନ ସିଧାସଳଖ ନୁହେଁ, ବରଂ ତୃତୀୟ ଦେଶ ସହାୟତାରେ ଇରାନକୁ ଏସବୁ ପଠାଇବାକୁ ସଜବାଜ ହେଉଥିବା ରିପୋର୍ଟ ପ୍ରକାଶ ପାଇଥିଲା । ହର୍ମୁଜ ପ୍ରଣାଳୀକୁ ନେଇ ଚୀନର ଆଭିମୁଖ୍ୟ ସମ୍ପର୍କରେ ମଧ୍ୟ ଟ୍ରମ୍ପ ଆଉ ଗୋଟିଏ ଦାବି କରିଛନ୍ତି ।
ସେ କହିଛନ୍ତି ଯେ ମୁଁ ସ୍ଥାୟୀ ଭାବେ ଷ୍ଟ୍ରେଟ ଅଫ୍ ହର୍ମୁଜ ଖୋଲିବାକୁ ଯାଉଥିବାରୁ ଚୀନ ବିଶେଷ ଖୁସି । ମୁଁ ଏସବୁ ସେମାନଙ୍କ ପାଇଁ ଓ ପୁରା ବିଶ୍ୱ ପାଇଁ କରୁଛି ।
ତେଣୁ ସେମାନେ ଇରାନକୁ ଯୁଦ୍ଧାସ୍ତ୍ର ନ ପଠାଇବାକୁ ରାଜି ହୋଇଛନ୍ତି ।