ଏୟାର ଇଣ୍ଡିଆର ୨୨ହଜାର କୋଟି କ୍ଷତି
ଗୁଜୁରାଟର ଅହମଦାବାଦରେ ଗତବର୍ଷ ଏକ ମର୍ମନ୍ତୁଦ ବିମାନ ଦୁର୍ଘଟଣା ଘଟିଥିଲା ।
ଅପରେସନ ସିନ୍ଦୁର ପରେ ପାକିସ୍ତାନ ଆକାଶ ମାର୍ଗରେ କଟକଣା ଓ ଚଳିତବର୍ଷ ଇରାନ ଯୁଦ୍ଧ ଟାଟା ଗ୍ରୁପ ଅଧିନରେ ପରିଚାଳିତ ହେଉଥିବା ଏୟାରଲାଇନ ଏୟାର ଇଣ୍ଡିଆର ଆର୍ଥିକ ମେରୁଦଣ୍ଡକୁ ଦୋହଲାଇ ଦେଇଛି । ୨୦୨୫-୨୬ ଆର୍ଥିକ ବର୍ଷରେ କମ୍ପାନୀ ୨୨ହଜାର କୋଟି ଟଙ୍କାର କ୍ଷତି ସହିଛି ।
ତେଣୁ ପରିଚାଳନା ଜାରି ରଖିବା ପାଇଁ କମ୍ପାନୀ ଏହାର ଦୁଇ ମାଲିକ ଟାଟା ଗ୍ରୁପ ଓ ସିଙ୍ଗାପୁର ଏୟାରଲାଇନ୍ସକୁ ପାଣ୍ଠି ମାଗିଛି । ଏୟାର ଇଣ୍ଡିଆରେ ସିଙ୍ଗାପୁର ଏୟାରଲାଇନ୍ସର ୨୫.୧ ପ୍ରତିଶତ ଅଂଶଧନ ରହିଛି । ତେବେ ଏୟାର ଇଣ୍ଡିଆ ମାଗିଥିବା ସବୁ ପାଣ୍ଠି ଦେବାକୁ ଦୁଇ ମାଲିକ ପ୍ରସ୍ତୁତ ନାହାଁନ୍ତି । ସେମାନେ ଅଳ୍ପ ପରିମାଣର ପାଣ୍ଠି ଦେଇପାରନ୍ତି, ଅବଶିଷ୍ଟ ପାଣ୍ଠିକୁ କମ୍ପାନୀ ଅନ୍ୟାନ୍ୟ ଫାଇନାନ୍ସ ବିକଳ୍ପ ଜରିଆରେ ସଂଗ୍ରହ କରିବ ବୋଲି ଆଶା କରାଯାଉଛି ।
କମ୍ପାନୀ ବିପୁଳ କ୍ଷତିରେ ଚାଲୁଥିବାବେଳେ ଏହାର ସିଇଓ କ୍ୟାମ୍ପବେଲ ୱିଲସନ ଇସ୍ତଫା ଦେଇଛନ୍ତି । ୨୦୨୨ ମସିହାରେ ସରକାରଙ୍କଠାରୁ ୧୮ହଜାର କୋଟି ଟଙ୍କାରେ ଏୟାର ଇଣ୍ଡିଆକୁ ଟାଟା ଗ୍ରୁପ କିଣିଥିଲା । ସେହି ସମୟରେ ଗ୍ରୁପ ଅଧିନରେ ଅନ୍ୟ ଦୁଇଟି ଏୟାରଲାଇନ୍ସ ଏୟାର ଏସିଆ ଇଣ୍ଡିଆ ଓ ଭିସ୍ତାରା ଥିଲା ।
ମାଲେସିଆର ଏୟାର ଏସିଆ ଓ ସିଙ୍ଗାପୁରର ସିଙ୍ଗାପୁର ଏୟାରଲାଇନ୍ସ ସହ ମିଶି ଭିସ୍ତାରାକୁ ଟାଟା ଗ୍ରୁପ ଚଳାଉଥିଲା । ଏୟାର ଇଣ୍ଡିଆକୁ କିଣିବା ପରେ ସବୁ ଏୟାରଲାଇନ୍ସକୁ ମିଶାଇ ଏହା ଏୟାର ଇଣ୍ଡିଆ ଗ୍ରୁପ ଗଠନ କରିଥିଲା । ୨୦୨୫ ଏପ୍ରିଲ ବେଳକୁ କମ୍ପାନୀ ପରିଚାଳନା କ୍ଷେତ୍ରରେ ଲାଭଜନକ ସ୍ଥିତିରେ ପହଂଚିଥିଲା । ତାପରେ କିନ୍ତୁ ଏହାର ଖରାପ ବେଳା ଆରମ୍ଭ ହୋଇଥିଲା ।
ଅପରେସନ ସିନ୍ୁଦର ପରେ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ କରିଦେବା ପରେ ୟୁରୋପକୁ ଯାଉଥିବା କମ୍ପାନୀର ବିମାନଗୁଡ଼ିକୁ ଅଧିକ ଦୂର ଯାତ୍ରା କରିବାକୁ ପଡ଼ିଥିଲା, ଯାହା ଇନ୍ଧନ ଓ ପରିଚାଳନା ଖର୍ଚ ବୃଦ୍ଧିର କାରଣ ହୋଇଥିଲା । ଏହା ପରେ ସେହି ବର୍ଷ ଜୁନରେ ଅହମଦାବାଦରେ କମ୍ପାନୀର ଏକ ବିମାନ ଦୁର୍ଗଟଣା ଘଟିବାରୁ ୨୪୦ରୁ ଅଧିକ ଯାତ୍ରୀ ପ୍ରାଣ ହରାଇଥିଲେ ।
ଏହି ଘଟଣାର କିଛି ଦିନ ପରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବିଭିନ୍ନ ଦେଶ ଉପରେ ଶୁଳ୍କ ଲଗାଇବାରୁ ବିଦେଶୀ ଭିସା ପ୍ରଭାବିତ ହୋଇଥିଲା ।
ଗୋଟିକ ପରେ ଗୋଟିଏ ଘଟଣା କମ୍ପାନୀର ଆର୍ଥିକ ସ୍ଥିତିକୁ ଦୁର୍ବଳରୁ ଆହୁରି ଦୁର୍ବଳ କରିଥିଲା ।