ତାମିଲନାଡ଼ୁ : ୨୨୦ ବିଧାୟକଙ୍କୁ ମିଳିଛି ୫୦%ରୁ କମ ଭୋଟ
ନିକଟରେ ସରିଥିବା ତାମିଲନାଡ଼ୁ ବିଧାନସଭା ନିର୍ବାଚନରେ ନିର୍ବାଚିତ ହୋଇଥିବା ବିଧାୟକଙ୍କ ମଧ୍ୟରୁ ୨୨୦ଜଣ ବିଧାୟକଙ୍କୁ ୫୦%ରୁ କମ ଭୋଟ ପାଇଥିବା ଜଣାପଡ଼ିଛି ।
ମଙ୍ଗଳବାର ପ୍ରକାଶିତ ଆସୋସିଏସନ ଫର ଡେମୋକ୍ରାଟିକ ରିଫର୍ମସ (ଏଡିଆର)ର ରିପୋର୍ଟ ଅନୁସାରେ ନିର୍ବାଚନରେ ବିଜୟୀ ହୋଇଥିବା ୨୩୪ଜଣ ବିଧାୟକ ମୋଟ ୩୮.୯୯ ପ୍ରତିଶତ ଭୋଟ ପାଇଛନ୍ତି । ୨୦୨୧ ନିର୍ବାଚନ ସମୟରେ ବିଜୟୀ ବିଧାୟକମାନେ ମୋଟ ୪୮.୩୭% ଭୋଟ ପାଇଥିଲେ ।
ଗତ ଏପ୍ରିଲ ୨୩ରେ ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଭୋଟ ଗ୍ରହଣ ହୋଇଥିଲା । ଏହି ନିର୍ବାଚନରେ ୮୫.୯୧% ଭୋଟ ଗ୍ରହଣ ହୋଇଥିଲା । ମେ ୪ରେ ନିର୍ବାଚନ ଫଳ ପ୍ରକାଶ ପାଇଥିଲା । ୨୦୨୧ ବିଧାନସଭା ନିର୍ବାଚନରେ ୭୩.୪୫% ଭୋଟ ଗ୍ରହଣ ହୋଇଥିଲା । ୨୦୨୧ ମସିହା ନିର୍ବାଚନରେ ଡିଏମକେ ଓ ଏଆଇଏଡିଏମକେ ନେତୃତ୍ୱାଧୀନ ଦୁଇ ମେଂଟ ମଧ୍ୟରେ ଦ୍ୱିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହୋଇଥିଲା । ମାତ୍ର ୨୦୨୬ ନିର୍ବାଚନରେ ଏହି ଦୁଇ ମେଂଟ ସହିତ ଅଭିନେତା ଯୋଶେଫ ବିଜୟଙ୍କ ନେତୃତ୍ୱାଧୀନ ତାମିଲାଗା ଭେଟ୍ରି କାଝାଗମ (ଟିଭିକେ) ତୃତୀୟ ଦଳ ଭାବେ ଉଭା ହୋଇଥିଲା ।
ନିର୍ବାଚନରେ ଦ୍ୱିମୁଖୀ ବଦଳରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାରୁ ଭୋଟ ବିଭାଜନ ହୋଇଥିଲା । ତେଣୁ ପ୍ରାର୍ଥୀମାନେ କମ ଭୋଟ ପାଇ ବିଜୟୀ ହୋଇଥିଲେ । ରିପୋର୍ଟ ଅନୁସାରେ ବିଧାନସଭାର ୯୪% ବିଧାୟକ ୫୦%ରୁ କମ ଭୋଟ ପାଇଥିବାବେଳେ ମାତ୍ର ୧୪ଜଣ ଅର୍ଥାତ ୬% ବିଧାୟକ ୫୦%ରୁ ଅଧିକ ଭୋଟ ପାଇଛନ୍ତି ।
ଭାରତର ନିର୍ବାଚନ ବ୍ୟବସ୍ଥା ଅନୁଯାୟୀ ଜଣେ ପ୍ରାର୍ଥୀଙ୍କୁ ଜିତିବା ପାଇଁ ୫୦% ଭୋଟ ପାଇବା ଜରୁରୀ ନୁହେଁ, ବରଂ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ଅନ୍ୟ ପ୍ରାର୍ଥୀମାନଙ୍କ ଠାରୁ କେବଳ ଗୋଟିଏ ଭୋଟ ଅଧିକ ପାଇଲେ ମଧ୍ୟ ସେ ବିଜୟୀ ହୁଅନ୍ତି । ଏଡିଆର ଏହାର ସୁଧାର ପାଇଁ ପୂର୍ବରୁ କେତେକ ପ୍ରସ୍ତାବ ଦେଇଛି ।
ଯେପରିିକି ଯଦି କୌଣସି ପ୍ରାର୍ଥୀ ୫୦% ଭୋଟ ନ ପାଆନ୍ତି, ତେବେ ଶୀର୍ଷ ଦୁଇ ପ୍ରାର୍ଥୀଙ୍କ ମଧ୍ୟରେ ପୁଣି ଥରେ ନିର୍ବାଚନ କରାଯାଉ । ଏହାଦ୍ୱାରା ଜନ ପ୍ରତିନିଧିମାନେ ପ୍ରକୃତ ସଂଖ୍ୟାଗରିଷ୍ଠତାର ସହ ଗୃହକୁ ନିର୍ବାଚିତ ହୋଇପାରିବେ ।