ସୁପ୍ରିମ କୋର୍ଟଙ୍କ ନିଷ୍ପତି : ଏବେ ଅଦାଲତରେ ‘ଏଆଇ’ରେ କାମ
ଏଣିକି ଦେଶର ବିଭିନ୍ନ ଅଦାଲତରେ ନ୍ୟାୟ୍ରିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ଉନ୍ନତ କରିବା ସକାଶେ ‘ଏଆଇ’ ବ୍ୟବହାର କରାଯାଇପାରିବ ।
ସୁପ୍ରିମକୋର୍ଟର କୃତ୍ରିମ ବୁଦ୍ଧିମତା କମିଟି ‘ଅଦାଲତରେ କୃତ୍ରିମ ବୁଦ୍ଧିମତାର ବ୍ୟବହାର ୨୦୨୬’ ବିଲର ଏକ ଡ୍ରାଫ୍ଟ ପ୍ରକାଶ କରିଛି । ସମଗ୍ର ଦେଶର ଓକିଲ, ଜନସାଧାରଣ, ନ୍ୟାୟିକ ଅଧିକାରୀ ଏବଂ ଆଇନ ବିଶେଷଜ୍ଞମାନଙ୍କୁ ଜୁନ୍ ୨୦ ତାରିଖ ସୁଦ୍ଧା ସେମାନଙ୍କ ପରାମର୍ଶ ଦାଖଲ କରିବାକୁ ନିର୍ଦେଶ ହୋଇଛି, ଯାହାଦ୍ୱାରା ତ୍ରୁଟିଗୁଡ଼ିକୁ ଦୂର କରିବା ପରେ ଏହାକୁ କାର୍ଯ୍ୟକାରୀ କରାଯାଇପାରିବ ।
ଡ୍ରାଫ୍ଟ ଅନୁଯାୟୀ ଦେଶର ବିଭିନ୍ନ କୋର୍ଟରେ ନ୍ୟାୟିକ ପ୍ରକ୍ରିୟାକୁ ତ୍ୱରାନ୍ୱିତ ଏବଂ ଉନ୍ନତ କରିବା ପାଇଁ ଏଆଇ ବ୍ୟବହାର କରାଯାଇପାରିବ । ଏହା ମାମଲା ପରିଚାଳନା, କାରଣ ତାଲିକା ପ୍ରସ୍ତୁତ କରିବା, ଶୁଣାଣି ତାରିଖ ସ୍ଥିର କରିବା ଏବଂ ମାମଲାଗୁଡ଼ିକୁ ପ୍ରାଥମିକତା ଦେବାରେ ସହାୟତା କରିବ ।
କୋର୍ଟ କାର୍ଯ୍ୟର ଟ୍ରାନ୍ସକ୍ରିପସନ, ରାୟ ଏବଂ ଆବେଦନର ଅନୁବାଦ, ଆଇନଗତ ଗବେଷଣା, ଉଦ୍ଧୃତି ଯାଂଚ ଏବଂ ପ୍ରଶାସନିକ କାର୍ଯ୍ୟ ମଧ୍ୟ ‘ଏଆଇ’ ସାହାଯ୍ୟରେ କରାଯାଇପାରିବ । ଡ୍ରାଫ୍ଟ ପ୍ରକାଶ କରିବାରେ ସୁପ୍ରିମ କୋର୍ଟ ସ୍ପଷ୍ଟ କହିଛନ୍ତି ଯେ ଏଆଇ କୌଣସି ମାମଲାର ଫଳାଫଳ ପୁର୍ବାନୁମାନ କରିପାରିବ ନାହିଁ, କିମ୍ବା ବିଚାରପତିଙ୍କ ଭୂମିକା ଗ୍ରହଣ କରିପାରିବ ନାହିଁ । ତେଣୁ ଏକ ମାମଲାର ଚୂଡ଼ାନ୍ତ ନିଷ୍ପତି କେବଳ ବିଚାରପତିମାନଙ୍କ ଉପରେ ନିର୍ଭର କରିବ । ଏହା କେବଳ କୋର୍ଟରେ ସହାୟକ ଭାବେ କାର୍ଯ୍ୟ କରିବ ।
ଏଆଇଦ୍ୱାରା ଲିଖିତ ଯେକୌଣସି ବିଷୟବସ୍ତୁ, ପରାମର୍ଶ, ଅନୁବାଦ ଏବଂ ଏହାଦ୍ୱାରା କରାଯାଇଥିବା ଟ୍ରାନ୍ସକ୍ରିପସନଗୁଡ଼ିକୁ କେବଳ ଯାଂଚ ପରେ ବ୍ୟବହାର କରାଯିବ, ଅନ୍ୟଥା ଭୁଲ ହେବାର ସମ୍ଭାବନା ରହିଛି । ଡ୍ରାଫ୍ଟର କିଛି ନିର୍ଦ୍ଦିଷ୍ଟ କ୍ଷେତ୍ରରେ ଏଆଇ ବ୍ୟବହାର ଉପରେ ପ୍ରତିବନ୍ଧକ ମଧ୍ୟ ବ୍ୟବସ୍ଥା କରାଯାଇଛି ।
ବିଶେଷ କରି ଏଆଇ ଡ୍ରାଫ୍ଟରେ ସ୍ୱଚ୍ଛତା ଏବଂ ଦାୟିତ୍ୱ ଉପରେ ଗୁରୁତ୍ୱ ଦିଆଯାଇଛି । ତଥ୍ୟ ସୁରକ୍ଷା, ଗୋପନୀୟତା ଏବଂ ନ୍ୟାୟିକ ସ୍ୱାଧୀନତା ହେଉଛି ମୂଳଦୁଆ ।
ଏଆଇ ସହ ଜଡ଼ିତ ଯେକୌଣସି ତ୍ରୁଟି, ପକ୍ଷପାତ କିମ୍ବା ଭୁଲ ସୂଚନା ଉପରେ ନଜର ରଖିବା ପାଇଁ ଏକ କମିଟି ମଧ୍ୟ ପ୍ରସ୍ତାବିତ ହୋଇଛି ।