ତାମିଲନାଡୁ ଗ୍ୟାସ ଟ୍ରାଜେଡି
ସହାୟତା ରାଶି ୧୦ ଲକ୍ଷକୁ ବୃଦ୍ଧି
ଗ୍ୟାସ ଟ୍ରାଜେଡିରେ ଓଡ଼ିଆ ଶ୍ରମିକଙ୍କ ସଂଖ୍ୟା ୭କୁ ବୃଦ୍ଧି ପାଇଛି ।
ମୃତକମାନେ ହେଲେ ସଦର ଥାନା କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ ଓ କେନ୍ଦୁଝର ଜିଲାର ଜାମୁନି ଜୁଆଙ୍ଗ ।
ଏହି ଗ୍ୟାସ ଟ୍ରାଜେଡିରେ ଆଉ ୩ ଜଣ ଯୁବତୀ ଗୁରୁତର ହୋଇ ହସ୍ପିଟାଲରେ ଚିକିତ୍ସା ପାଇଁ ଭର୍ତି ହୋଇଛନ୍ତି ।
ଏଥିରେ ପ୍ରାଣ ହାରିଥିବା ମୃତ ଓଡ଼ିଆ ଶ୍ରମିକଙ୍କ ପାରିବାରକୁ ୧୦ ଲକ୍ଷ ଟଙ୍କା ଲେଖାଏଁ ଶ୍ରମିକ ସହାୟତା ରାଶି ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଘୋଷଣା କରିଛନ୍ତି ।
ତେବେ ଦାଦନ ଖଟିବାକୁ ଯାଇ ପ୍ରାଣ ହରାଇଥିବା ଓଡ଼ିଆ ଶ୍ରମିକଙ୍କ ବିଷୟରେ ଅଧିକ ଜାଣିବା ପାଇଁ ଓଡ଼ିଶା ସରକାରଙ୍କ ୪ ଜଣିଆ ଟିମ୍ ତାମିଲନାଡ଼ୁ ରେ ଅଛନ୍ତି ।
ସୂଚନାଥାଉ କି, ତାମିଲନାଡୁର ତିରୁକଲ୍ଲୁର ଜିଲା ପେରିୟାପାଲାମ ନିକଟରେ ଥିବା ଏକ ସାମୁଦ୍ରିକ ଖାଦ୍ୟ ପ୍ରକ୍ରିୟାକରଣ ଓ ରପ୍ତାନୀ କାରଖାନାରେ ଆମୋନିଆ ଗ୍ୟାସ ଲିକ ହେବାରୁ ଗତ ସୋମବାର ଓଡ଼ିଶାର ୫ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଆଜି ଆଉ ୨ ଜଣଙ୍କ ମୃତ୍ୟୁ ଘଟିଛି । ଫଳରେ ଏହି ଘଟଣାରେ ଏଯାବତ ୭ ଜଣ ଓଡ଼ିଆ ଶ୍ରମିକଙ୍କ ମୃତ୍ୟୁ ଘଟିଛି ।
ମୃତକଙ୍କ ମଧ୍ୟରେ ତେଲକୋଇ ବ୍ଲକ ତାଳପଦା ପଂଚାୟତ ରଙ୍ଗମାଟିଆ ଗ୍ରାମର ରବି ଜୁଆଙ୍ଗଙ୍କ ୧୭ ବର୍ଷର ଝିଆ ଗୁମାଣି ଜୁଆଙ୍ଗ, ବିମଳା ପଂଚାୟତ ଟାଙ୍ଗିରି ଗ୍ରାମର ଦୁବନାଳି ସାହିର ଜେମା ଜୁଆଙ୍ଗଙ୍କ ଝିଅ ଗୀତା ଜୁଆଙ୍ଗ ଓ ରବି ଜୁଆଙ୍ଗଙ୍କ ଝିଅ ଶିବାନୀ ଜୁଆଙ୍ଗ, ବାଂଶପାଣି ବ୍ଲକ କୋଡ଼ିପାଶା ଗ୍ରାମର ବାସଙ୍ଗ ଜୁଆଙ୍ଗଙ୍କ ଝିଅ ଫୁଲମଣି ଜୁଆଙ୍ଗ ଓ ତଳଚାମ୍ପୋଇ ଗ୍ରାମ ସୁଦୁର ଜୁଆଙ୍ଗଙ୍କ ଝିଅ ଚମ୍ପବତୀ ଜୁଆଙ୍ଗ ଏବଂ ସଦର ଥାନା କୋଡ଼ିପଶା ଗ୍ରାମର ସଜନୀ ଜୁଆଙ୍ଗ ଓ କେନ୍ଦୁଝର ଜିଲାର ଜାମୁନି ଜୁଆଙ୍ଗ ।
ଏହି ଗ୍ୟାସ ଲିକ ଘଟଣାରେ ୬୭ ଜଣ ଅସୁସ୍ଥ ହୋଇ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ।
ଗତ ସୋମବାର ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ରାଶି ଘୋଷଣା କରିଥିବାବେଳେ ମଙ୍ଗଳବାର ଏହାକୁ ବଢ଼ାଇ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରଯିବ ବୋଲି ଘୋଷଣା କରିଛନ୍ତି ।