ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଲୋକାର୍ପିତ
ଗତ ବୁଧବାର ଜୁଲାଇ ୧ ତାରିଖରେ ଭୁବନେଶ୍ୱରସ୍ଥିତ ଓୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ପୂର୍ବତନ ଓଡ଼ିଶା କଂଗ୍ରେସ ସଭାପତି, ଧୂରୀଣ ରାଜନୀତିଜ୍ଞ, ଗାଳ୍ପିକ ତଥା କୋଟି ଓଡ଼ିଆଙ୍କ ନିକଟରେ ଅତି ପରିଚିତ ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ, ଜଣେ ସାଧାରଣ ଓଡ଼ିଆର କଥା’ – ନିରଞ୍ଜନ ପଟ୍ଟନାୟକଙ୍କ ଜୀବନ ସ୍ମୃତି ଲୋକାର୍ପିତ ହୋଇଯାଇଛି ।
ପୂର୍ବତନ ସାଂସଦ, ବିଧାୟକ, ସମ୍ବାଦର ପୂର୍ବତନ ସମ୍ପାଦକ, ଇଷ୍ଟର୍ଣ୍ଣ ମିଡିଆର ପ୍ରତିଷ୍ଠାତା ତଥା ଆମ ଓଡ଼ିଶାର ସଂସ୍ଥାପକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି ଉତ୍ସବରେ ବହୁ ରାଜନେତା, ପୂର୍ବତନ ମନ୍ତ୍ରୀ, ସାଂସଦ, ଅବସରପ୍ରାପ୍ତ ପ୍ରଶାସନିକ ଅଧିକାରୀମାନେ ଯୋଗ ଦେଇଥିଲେ ।
ଗତ ଜୁଲାଇ ୧ ତାରିଖ ସନ୍ଧ୍ୟାରେ ଓୟୁଏଟିର କୃଷି ଶିକ୍ଷା ସଦନ ପ୍ରେକ୍ଷାଳୟରେ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକଙ୍କ ଆତ୍ମଜୀବନୀ ‘ସମୟ ସାକ୍ଷୀ’ ଏକ ଅଭିନବ ରୂପରେ ଲୋକାର୍ପିତ ହୋଇଯାଇଛି ।
ଏହି ପୁସ୍ତକକୁ ଜଣେ ସାଧାରଣ ଓଡ଼ିଆର କଥା ଭାବେ ଶ୍ରୀ ପଟ୍ଟନାୟକ ଉଲ୍ଲେଖ କରିବା ସହ ଓଡ଼ିଶାର ବିଭିନ୍ନ କ୍ଷେତ୍ରରୁ ୯ ଜଣ ସାଧାରଣ ଓଡ଼ିଆ ଏହାକୁ ଲୋକାର୍ପିତ କରିଥିଲେ ।
ସେହି ଅତିଥମାନଙ୍କ ମଧ୍ୟରେ ଥିଲେ ବିଶିଷ୍ଟ ଗାନ୍ଧୀବାଜୀ ନେତ୍ରୀ ଶ୍ରୀମତୀ କୃଷ୍ଣା ମହାନ୍ତି, କେନାଲ ମଣିଷ ରୂପେ ପରିଚିତ କେନ୍ଦୁଝରର ଦୈତାରୀ ନାୟକ, ନିଜ ସ୍ତ୍ରୀଙ୍କ ଶବକୁ କାନ୍ଧରେ ବୋହି ଡାକ୍ତରଖାନାକୁ ଫେରିଥିବା କଳାହାଣ୍ଡିର ଦାନ ମାଝୀ, ଆନୁଷ୍ଠାନିକ ଶିକ୍ଷାରୁ ବଂଚିତ ହୋଇ ମଧ୍ୟ ଗଳ୍ପ କବିତା ରଚନା କରିଥିବା ତଥା ତୁମୁଡ଼ିବନ୍ଧର ବ୍ଲକ ଚେୟାରମ୍ୟାନ ଶ୍ରୀମତୀ ବାସନ୍ତୀ ମାଝୀ, ନିଜର ଦୃଷ୍ଟିଶକ୍ତି ନଥାଇ ମଧ୍ୟ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଅଧୀନରେ ଶିକ୍ଷାଦାନ କରୁଥିବା ଘସିପୁରାର ପ୍ରଫେସର ଦୁର୍ଯେ୍ୟାଧନ ନାହାକ, ନିଜର ବାଲ୍ୟକାଳରେ ଆର୍ଥିକ ଅସ୍ୱଚ୍ଛଳତାରେ ହାରି ନ ଯାଇ ସମ୍ପ୍ରତି ଭାରତର ପ୍ରସିଦ୍ଧ କେଶ ପ୍ରତିରୋପଣକାରୀ ଡାକ୍ତର ଭାବେ ପରିଚିତ କେନ୍ଦୁଝରର ଡା. ପ୍ରଦୀପ ସେଠୀ, କରୋନା ସମୟରେ ପୁରୀରେ ରଥଯାତ୍ରା କରାଇବାକୁ ମାନ୍ୟବର ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିଥିବା ନୟାଗଡ଼ର ତରୁଣ ଅଫତାପ ହୋସେନ ଏବଂ ନିଜର ସ୍ୱଳ୍ପ ଆୟକୁ ସଂଚୟ କରି ଗ୍ରାମବାସୀଙ୍କ ପାଇଁ ୭ଟି ପାଣିଟାଙ୍କି ବସାଇଥିବା ମନ୍ମଥ ମହାରଣା ଓ ବିଶିଷ୍ଟ ଲେଖକ ଦାସ ବେନହୁର ପ୍ରମୁଖ ।