ତେଜିଲା ‘ନିତ୍ୟାନନ୍ଦ ଇସ୍ତଫା’ ରାଜନୀତି
ନିଟ୍ ପ୍ରଶ୍ନପତ୍ର ଲିକ ମାମଲାରେ କେନ୍ଦ୍ର ଗଣଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଇସ୍ତଫା ପରେ ଏବେ ସ୍କୁଲ ପାଠ୍ୟ ପୁସ୍ତକ ତ୍ରୁଟି ପ୍ରସଙ୍ଗରେ ତାତିଛନ୍ତି ବିରୋଧୀ ।
ଏଥିପାଇଁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡଙ୍କୁ ଦାୟୀ କରି ତାଙ୍କ ଇସ୍ତଫା ଦାବି କରିଛନ୍ତି ବିରୋଧୀ ବିଜେଡି ଦଳର ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ତାଙ୍କ ସହ ତାଳ ଦେଇ ଅଲଟିମେଟମ ଦେଇଛନ୍ତି ରାଜ୍ୟ କଂଗ୍ରେସ ସଭାପତି ଭକ୍ତ ଦାସ ।
ଧର୍ମେନ୍ଦ୍ରଙ୍କ ପଦକ୍ଷେପକୁ ଅନୁସରଣ କରି ଶ୍ରୀ ଗଣ୍ଡ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେବା ଉଚିତ ବୋଲି ନବୀନ କହିଛନ୍ତି ।
ସେହିପରି ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ରାଜନୀତି କରାଯାଇପାରିବନି ବୋଲି ପିସିସି ସଭାପତି ଭକ୍ତ ଦାସ ରୋକଠୋକ କହିବା ସହ ଶ୍ରୀ ଗଣ୍ଡଙ୍କ ଇସ୍ତଫା ଦାବି କରିଛନ୍ତି । ଏଥିସହ ସପ୍ତାହକ ମଧ୍ୟରେ ଗଣଶିକ୍ଷା ମନ୍ତ୍ରୀ ଇସ୍ତଫା ନ ଦେଲେ ମୁଖ୍ୟମନ୍ତ୍ରୀ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ଇସ୍ତଫା ଦାବି ନେଇ ସମଗ୍ର ଓଡ଼ିଶା ବନ୍ଦ କରାଯିବ ବୋଲି ଶ୍ରୀ ଦାସ ଚେତାବନୀ ଦେଇଛନ୍ତି ।
ଅନ୍ୟପଟେ ନବୀନକୁ ଜବାବ ଦେଇ ବିଜେପି କହିଛି ନବୀନ ନୀତି ନୈତିକତାର ପାଠ ନ ପଢ଼ାନ୍ତୁ ।
ବିଜେଡି ସରକାର ସମୟରେ ଅନେକ ବିଭ୍ରାଟ ହୋଇଥିଲାବେଳେ କେତେ ଜଣ ମନ୍ତ୍ରୀ ଇସ୍ତଫା ଦେଇଥିଲେ ବୋଲି ବିଜେପି ପ୍ରଶ୍ନ କରିଛି ।
ରାଜ୍ୟ ସରକାର ବହି ବିଭ୍ରାଟ ଘଟଣାରେ ପଦକ୍ଷେପ ନେଇଛନ୍ତି ।
ନବୀନ ନିଜେ ଶିଖନ୍ତୁ ବିଗତ ୨୪ ବର୍ଷ ଭିତରେ ସେ କେତେ ଉଦାହରଣ ସୃଷ୍ଟି କରିଛନ୍ତି ବୋଲି ସାମ୍ବାଦିକଙ୍କ ପ୍ରଶ୍ନର ଉତରରେ ରାଜ୍ୟ ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ଓଲଟା ବିଜେଡି ଓ ନବୀନଙ୍କୁ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ ଏସସିଇଆରଟିର ପୂର୍ବତନ ନିର୍ଦେଶକ ମନୋଜ ପାଢ଼ୀ ଗିରଫ ହୋଇସାରିଥିବାବେଳେ ଅନ୍ୟ ୪ ସହକାରୀ ନିର୍ଦେଶକଙ୍କୁ ରାଜ୍ୟ ସରକାର ନିଲମ୍ବିତ କରି ସାରିଛନ୍ତି ବୋଲି ମନ୍ତ୍ରୀ ଶ୍ରୀ ଜେନା କହିଛନ୍ତି ।








