ଲାଲକିଲ୍ଲାରୁ ପିଏମଙ୍କ ‘ସପ୍ତଧାରା ଭିଜନ’
୨୦୪୭ ସୁଦ୍ଧା ବିକଶିତ ରାଷ୍ଟ୍ର ହେବ ଭାରତ
ଆଜି ୧୫ ଅଗଷ୍ଟ ୨୦୨୬ ଶନିବାର ସାରା ଭାରତବର୍ଷ ପାଳୁଛି ୮୦ତମ ସ୍ୱାଧୀନତା ଦିବସ । ଏହି ପରିପ୍ରେକ୍ଷୀରେ ଆଜି ସକାଳୁ ଐତିହାସି ଲାଲକିଲ୍ଲାରେ ତ୍ରିରଙ୍ଗା ଉଡ଼ାଇ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସେ ତାଙ୍କ ଅଭିଭାଷଣରେ ୨୦୪୭ ସୁଦ୍ଧା ଭାରତ ବିକଶିତ ରାଷ୍ଟ୍ର ହେବ ବୋଲି ଆଶା ପ୍ରକଟ କରିଛନ୍ତି । ଏଥିପାଇଁ ଦେଶବାସୀଙ୍କୁ ଆତ୍ମନିର୍ଭର ହେବାକୁ ଆହ୍ୱାନ ଦେବା ସହ ‘ସପ୍ତଧାରା ଭିଜନ’ ଉପରେ ଗୁରୁତ୍ୱାରୋପ କରିଛନ୍ତି ।
‘ସପ୍ତଧାରା ଭିଜନ’ ବିଷୟରେ କହିଥିଲେ ଯେ, ନୂଆ ସଂକଳ୍ପ ନେଇ ଆଗକୁ ବଢ଼ୁଛ ଦେଶ । ଆଜି ପ୍ରତିଟି ଘରେ ତି୍ରରଙ୍ଗା, ପ୍ରତିଟି ମନ ତି୍ରରଙ୍ଗା । ବିକାଶର ଧାରାକୁ ଗୁରୁତ୍ୱ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ୨୦୪୭ ମସିହା ସୁଦ୍ଧା ଭାରତର ଲକ୍ଷ୍ୟ ଓ ଉଦେ୍ଦଶ୍ୟ ଉପରେ ପ୍ରଧାନମନ୍ତ୍ରୀ ଆଲୋକପାତ କରିଛନ୍ତି ।
ସେ କହିଛନ୍ତି ଯେ, ଏହି ଶତାବ୍ଦୀର ଆଗାମୀ ଏକ ଚତୁର୍ଥାଂଶ ଆମ ପାଇଁ ଅତ୍ୟନ୍ତ ମହତ୍ୱପୂର୍ଣ୍ଣ । ଏଥିପାଇଁ ଆମକୁ ଆମର କାର୍ଯ୍ୟଶୈଳୀ ବଦଳାଇବାକୁ ପଡ଼ିବ । ଦେଶର ଯୁବଗୋଷ୍ଠୀ, କୃଷକ, ଶ୍ରମିକ ଏବଂ ମହିଳାଙ୍କ ଶକ୍ତି ଉପରେ ପ୍ରଧାନମନ୍ତ୍ରୀ ଅତୁଟ ବିଶ୍ୱାସ ପ୍ରକଟ କରିଛନ୍ତି । ଏଥିସହ ଦେଶର କୋଟିଏ ଛାତ୍ରଛାତ୍ରୀଙ୍କୁ ଏଆଇ ତାଲିମ ଦିଆଯିବ । ପ୍ରତିଯୋଗିତାମୂଳକ ପରୀକ୍ଷାର ମାଗଣା କୋଚିଂ ପାଇଁ ମଧ୍ୟ ପ୍ରଧାନମନ୍ତ୍ରୀ ଘୋଷଣା କରିଛନ୍ତି ।
ସେହିଭଳି ଯୁବଶକ୍ତି ଠାରୁ ଆରମ୍ଭ କରି ଏଆଇ, ସେମିକଣ୍ଡକ୍ଟର, ପରମାଣୁ ଶକ୍ତି, ଜାତୀୟ ସୁରକ୍ଷା ପାଇଁ ମଧ୍ୟ ରୋଡମ୍ୟାପ ପ୍ରସ୍ତୁତ କରିବାକୁ କହିଛନ୍ତି ।
ସେ ଆହୁରି କହିଛନ୍ତିଯେ, ଭାରତ ଯାହା ପୂର୍ବ ୫ରୁ ୭ଦଶନ୍ଧି ଧରି କରିପାରିନଥିଲା ତାହାକୁ ଆମକୁ ଅଗାମୀ ୫ରୁ ୭ବର୍ଷ ମଧ୍ୟରେ କରିବାକୁ ପଡ଼ିବ । ଏଥିପାଇଁ ଭାରତବାସୀଙ୍କୁ ‘ସପ୍ତଧାରା ଭିଜନ’ରେ ସାମିଲ ହେବାକୁ ପଡ଼ିବ । ସେ ତାଙ୍କର ସପ୍ତଧାରା ଭିଜନ ମଧ୍ୟରେ ନିର୍ମାଣ, କୃଷି, ବୈଷୟିକ ଜ୍ଞାନକୌଶଳ ଓ ଉଦ୍ଭାବନ, ଗତି ଶକ୍ତି, ଆତ୍ମନିର୍ଭର ଭାରତରେ ଆତ୍ମନିର୍ଭର ପ୍ରତିରକ୍ଷା, ନୀଳ ଓ ସବୁଜ ଅର୍ଥନୀତି, ଭାରତର ସୂକ୍ଷ୍ମ ଶକ୍ତି ଉପରେ ବିଶେଷ ଭାବେ ଆଲୋକପାତ କରିଥିଲେ ।
ନିର୍ମାଣକ୍ଷେତ୍ରରେ ମଧ୍ୟ ଭାରତକୁ ଆତ୍ମନିର୍ଭର ହେବାକୁ ପଡ଼ିବ । ଆମକୁ କୌଣସି ଏକ ଦ୍ରବ୍ୟର ମୂଳ ନକ୍ସା ଠାରୁ ଆରମ୍ଭ କରି ତ୍ରୁଟିଶୂନ୍ୟ ଭାବେ ତାହାର ସମ୍ପୂର୍ଣ୍ଣ ନିର୍ମାଣକୁ ବିଶ୍ୱସ୍ତରୀୟ କରିବାକୁ ପଡ଼ିବ । ସେହିପରି କୃଷି କ୍ଷେତ୍ରରେ ଅଧିକ ଗୁଣାତ୍ମକ ଫସଲ ଉତ୍ପାଦନ କରିବା ସହ ଉକ୍ତ ଉତ୍ପାଦନକୁ ବିଶ୍ୱ ବଜାରରେ ପହଂଚାଇବାକୁ ପଡ଼ିବ ବୋଲି ମୋଦି କହିଥିଲେ । ବିକାଶ ପାଇଁ ଉନ୍ନତଧରଣରର ରାସ୍ତା ନିର୍ମାଣ, ରେଳପଥ, ସଂଯୋଗୀକରଣକୁ ମଧ୍ୟ ସେ ପ୍ରାଧାନ୍ୟତା ଦେଇ ଦେଶକୁ ତା’ର ଗତିଶକ୍ତି ବଢ଼ାଇବାକୁ ପଡ଼ିବ ବୋଲି କହିଥିଲେ ।
ସେହିଭଳି ଦେଶର ସୁରକ୍ଷାକୁ ଗୁରୁତ୍ୱ ଦେଇ ପ୍ରତିରକ୍ଷା ଶକ୍ତି ଓ ଆତ୍ମନିର୍ଭର ପ୍ରତିରକ୍ଷା ଉପରେ ସେ ଆଲୋକପାତ କରିଥିଲେ । ପ୍ରତିରକ୍ଷା ସାମଗ୍ରୀ, ଉପକରଣ ଓ ଯୁଦ୍ଧାସ୍ତ୍ର ପାଇଁ ଅନ୍ୟ ଦେଶ ଉପରେ ନିର୍ଭର ନ କରି ନିଜେ ବିଶ୍ୱସ୍ତରୀୟ ସବୋକ୍ରୃଷ୍ଟ ଯୁଦ୍ଧାସ୍ତ୍ର ନିର୍ମାଣ କରିବାକୁ ଆହ୍ୱାନ ଦେଇଥିଲେ ।
ଏଥିସହ ସବୁଜ ଓ ନୀଳ ଅର୍ଥନୀତି ଉପରେ ପ୍ରାଧାନ୍ୟତା ଦେଇଥିଲେ । ଦେଶର କୃଷକମାନେ ଅତ୍ୟାଧୁନିକ ଜ୍ଞାନକୌଶଳ ଓ ଉନ୍ନତ କିସମର ବିହନ ପ୍ରୟୋଗ କରି ଦେଶକୁ ଖାଦ୍ୟ କ୍ଷେତ୍ରରେ ଆତ୍ମନିର୍ଭର ହେବା ସହ ବିଶ୍ୱ ବଜାର ମୁହାଁ ହେବାକୁ ସେ ଆହ୍ୱାନ ଦେଇଥିଲେ ।
ସେହିଭଳି ଭାରତରେ ଥିବା ବିଶାଳ ସମୁଦ୍ରରୁ ମତ୍ସ୍ୟ, ସାମୁଦ୍ରିକ ଦ୍ରବ୍ୟ ଆଦିର ଉପଯୋଗ କରି ନିଜର ଅର୍ଥନୀତିକୁ ସୁଦୃଢ଼ କରିବାକୁ ସେ କହିଥିଲେ । ସର୍ବୋପରି ଦେଶକୁ ‘ସୂକ୍ଷ୍ମ ଶକ୍ତି’ ରେ ମଧ୍ୟ ଆଗକୁ ନେବାକୁ ପଡ଼ିବ ବୋଲି ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି କହିଥିଲେ । ବିଶେଷ କରି ବିଶ୍ୱ ବଜାରରେ ଭାରତୀୟ ଦ୍ରବ୍ୟ ର ମାନ ଓ ମୂଲ୍ୟ ଅନ୍ୟ ଦେଶର ସମକକ୍ଷ କରିବାକୁ ସେ ଭାରତବାସୀଙ୍କୁ ଆହ୍ୱାନ ଦେଇଥିଲେ ।







