ସେପ୍ଟେମ୍ବର ୨ରେ ପୁଣି ‘ଡିଜିପି’ ଶୁଣାଣି
ଓଡ଼ିଶା ପୁଲିସର ସ୍ଥାୟୀ ମହାନିର୍ଦେଶକ (ଡିଜିପି) କିଏ ହେବେ ତାହା ଏଯାବତ ସର୍ବୋଚ୍ଚ ନ୍ୟାୟାଳୟରେ ଝୁଲି ରହିଛି । ଏ ସଂକ୍ରାନ୍ତୀୟ ଏକ ଜନସ୍ୱାର୍ଥ୍ୟ ମାମଲାର ଶୁଣାଣି କରି ମାନ୍ୟବର ସୁପ୍ରିମକୋର୍ଟ ଚଳିତ ଅଗଷ୍ଟ ମାସର ୧୮ ତାରିଖକୁ ଦିନ ଧାର୍ଯ୍ୟ କରିଥିଲେ । ହେଲେ ୧୮ ତାରିଖ ମଙ୍ଗଳବାର ଏ ସଂକ୍ରାନ୍ତୀୟ ମାମଲାର ଶୁଣାଣି ହୋଇନପାରିବାରୁ ଏହାକୁ ଆସନ୍ତା ସେପ୍ଟେମ୍ବର ମାସ ୨ ତାରିଖକୁ ପରବର୍ତୀ ଦିନ ଧାର୍ଯ୍ୟ କରିଛନ୍ତି ମାନ୍ୟବର ସୁପି୍ରମକୋର୍ଟ । ଏ ସଂକ୍ରାନ୍ତୀୟ ଏକ ଜନସ୍ୱାର୍ଥ ମାମଲା ପରେ ମାନ୍ୟବର ସୁପ୍ରିମକୋର୍ଟ ଓଡ଼ିଶା ପୁଲିସ ମହାନିର୍ଦେଶକ ନିଯୁକ୍ତି ପ୍ରକ୍ରିୟାରେ ରୋକ ଲଗାଇଛନ୍ତି ।
ସୂଚନାଥାଉ କି, ଓଡ଼ିଶା ପୁଲିସ ମହାନିର୍ଦେଶକ ପାଇଁ ରାଜ୍ୟ ସରକାର ୩ ଜଣ ବରିଷ୍ଠ ଆଇପିଏସ ଅଧିକାରୀଙ୍କ ନାମ ସୁପାରିଶ କରିଥିଲେ । ଉକ୍ତ ତାଲିକାରେ ଅଗ୍ନିଶମ ଡିଜି ସୁଧାଂଶୁ ଷଡ଼ଙ୍ଗୀ, ଗୁଇନ୍ଦା ନିର୍ଦେଶକ ଆର.ପି.କୋଚେ ଏବଂ ଜେଲ ଡିଜି ସୁଶାନ୍ତ ନାଥଙ୍କ ନାମ ରହିଥିଲା ।
ତେବେ ପରବର୍ତୀ ସମୟରେ ଏହି ତାଲିକାରେ ଯୋଡ଼ି ହୋଇଛନ୍ତି ୧୯୯୪ ବ୍ୟାଚର ଆଇପିଏସ ଅଧିକାରୀ ସଞ୍ଜୀବ ପଣ୍ଡା ଯିଏ କି ବର୍ତମାନ ଗୁଇନ୍ଦା ଓ କ୍ରାଇମବ୍ରାଂଚର ନିର୍ଦେଶକ ମଧ୍ୟ ଅଛନ୍ତି । ରାଜ୍ୟରେ ମାଓବାଦୀଙ୍କୁ ନିପାତ କରିବାରେ ତାଙ୍କର ପ୍ରମୁଖ ଭୂମିକା ରହିଥିଲା । ଆଂଟି ନକ୍ସଲ ଅପରେସନ ଏଡିଜି ଭାବେ ମଧ୍ୟ ସେ ସୂଚାରୁରୂପେ ଦାୟିତ୍ୱ ତୁଲାଇ ସଫଳତା ହାସଲ କରିପାରିଥିଲେ । ଏଥିସହ ସେ ଟ୍ୱିନସିଟିର କମିଶନର ଭଳି ଗୁରୁତ୍ୱପୂର୍ଣ୍ଣ ପଦ ସମ୍ଭାଳି ସାରିଛନ୍ତି ।
ଅନ୍ୟପଟେ ବରିଷ୍ଠତା ଦୃଷ୍ଟିରୁ ୧୯୯୦ ବ୍ୟାଚ୍ ଆଇପିଏସ ଅଧିକାରୀ ସୁଧାଂଶୁ ଷଡ଼ଙ୍ଗୀଙ୍କ ନାମ ଚର୍ଚ୍ଚାରେ ରହିଛି । ଶ୍ରୀ ଷଡ଼ଙ୍ଗିୀ ଅଗ୍ନିଶମ ବିଭାଗ, ହୋମଗାର୍ଡ ଓ ସିଭିଲ ଡିଫେନ୍ସ ଡିଜି ଦାୟିତ୍ୱରେ ରହିଛନ୍ତି । ସେ ଏଥିପୂର୍ବରୁ ମାଲକାନଗିରି ଏସପି ଓ ଦକ୍ଷିଣ-ପଶ୍ଚିମ ରେଞ୍ଜର ଡିଆଇଜି ଭାବେ ଦାୟିତ୍ୱ ତୁଲାଇ ସାରିଛନ୍ତି ।








