ରାଜ୍ୟସଭା ନିର୍ବାଚନ ପୂର୍ବରୁ କାଦୁଅଫିଙ୍ଗା ରାଜନୀତି
କଂଗ୍ରେସ ଓ ବିଜେଡି ବିଧାୟକଙ୍କୁ ହାତମୁଠାକୁ ନେବାକୁ ବିଜେପିର ଅପଚେଷ୍ଟା
ଆଉ ୨ ଦିନ ପରେ ରାଜ୍ୟସଭା ପାଇଁ ନିର୍ବାଚନ ହେବ । ଏଥିପାଇଁ ଏବେ ଠାରୁ ଅଙ୍କ କଷାକଷି ଓ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇସାରିଛି । ବିଜେପି ଘୋଡ଼ା ବେପାର କରୁଛି ବୋଲି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ବୋଲି ନବୀନ କହିଛନ୍ତି ।
ସେହିପରି ଶାସକ ବିଜେପିି ଦଳର ନେତା ଓ ମନ୍ତ୍ରୀମାନେ ରାଜ୍ୟସଭା ସିଟ୍ ହାତେଇବା ପାଇଁ ବିରୋଧୀ କଂଗ୍ରେସ ଓ ବିଜେଡି ବିଧାୟକଙ୍କୁ ହାତମୁଠାକୁ ନେବାକୁ ଅପଚେଷ୍ଟା ଚଳାଇଛନ୍ତି ବୋଲି କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମା ବିଜେପିକୁ ଟାର୍ଗେଟ କରିଛନ୍ତି; କିନ୍ତୁ ସେମାନେ ଏଥିରେ ଆଦୌ ସଫଳ ହେବେ ନାହିଁ ବୋଲି ଶ୍ରୀ କାଡ଼ାମା ନାସ୍ତିବାଣୀ ଶୁଣାଇ ସାରିଛନ୍ତି । କାରଣ କଂଗ୍ରେସର ସମସ୍ତ ଭୋଟ୍ କମନ ପ୍ରାର୍ଥୀ ଦତେଶ୍ୱର ହୋତାଙ୍କୁ ଯିବ ବୋଲି ସେ କହିଛନ୍ତି ।
କଂଗ୍ରେସର ସମସ୍ତ ଭୋଟ୍ କମନ ପ୍ରାର୍ଥୀଙ୍କୁ ଯିବ ବୋଲି କଂଗ୍ରେସ ନିର୍ଦେଶ ଜାରି କରିଛି । ଏହାକୁ ସମସ୍ତ କଂଗ୍ରେସ ବିଧାୟକ ଓ ସାଂସଦ ମାନିବାକୁ ପଡ଼ିବ ବୋଲି ଦଳ ପକ୍ଷରୁ ସ୍ପଷ୍ଟ କରାଯାଇଛି । ଏଆଇସିସି ଦାଶରଥୀ ଗମାଙ୍ଗଙ୍କ ସହ ଯୋଗାଯୋଗରେ ଅଛନ୍ତି । ପିସିସି ସଭାପତି ଏବଂ ଏଆଇସିସି ନେତାମାନେ ମଧ୍ୟ ଦାଶରଥୀଙ୍କ ସହ ଯୋଗାଯୋଗ କରୁଛନ୍ତି । ସେ ନିଶ୍ଚେ ଦତେଶ୍ୱର ହୋତାଙ୍କୁ ଭୋଟ୍ ଦେବେ ବୋଲି କଂଗ୍ରେସ ବିଧାୟକଦଳ ନେତା ଶ୍ରୀ କାଡ଼ାମା ଦୃଢ଼ୋକ୍ତି ପ୍ରକାଶ କରିବା ସହ କ୍ରସ୍ ଭୋଟିଂ ହାତେଇବାକୁ ବିଜେପି ଯେଉଁ ଯୋଜନା କରୁଛି ସେଥିରେ ସେ କଦାପି ସଫଳ ହେବ ନାହିଁ ବୋଲି କହିଛନ୍ତି ।