ବିଜେପି ଘୋଡ଼ାବେପାର କରୁଛି : ନବୀନ
ବିଜେଡିର ହ୍ୱିପ୍ ଜାରି ସତ୍ୱେ ୬ ଜଣ ବିଧାୟକ ଅନୁପସ୍ଥିତ
ଆଉ ୨ ଦିନ ପରେ ରାଜ୍ୟସଭା ପାଇଁ ନିର୍ବାଚନ ହେବ । ଏଥିପାଇଁ ଏବେ ଠାରୁ ଅଙ୍କ କଷାକଷି ଓ ଶାସକ ଏବଂ ବିରୋଧୀ ଦଳ ମଧ୍ୟରେ କାଦୁଅ ଫିଙ୍ଗା ରାଜନୀତି ଆରମ୍ଭ ହୋଇସାରିଛି । ବିଜେପି ଘୋଡ଼ା ବେପାର କରୁଛି ବୋଲି ରାଜ୍ୟର ମୁଖ୍ୟ ବିରୋଧୀ ଦଳ ବିଜେଡିର ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜେପିକୁ ସମାଲୋଚନା କରିଛନ୍ତି । ଗଣତାନ୍ତ୍ରିକ ବ୍ୟବସ୍ଥାରେ ଏହା ଏକ ଅପରାଧ ବୋଲି ନବୀନ କହିଛନ୍ତି ।
ରାଜ୍ୟସଭା ନିର୍ବାଚନ ପାଇଁ ବିଜେଡିର କସରତ ଆରମ୍ଭ ହୋଇସାରିଛି । ଶନିବାର ସକାଳୁ ନବୀନ ନିବାସରେ ଉପସ୍ଥିତ ସମସ୍ତ ବିଜେଡି ବିଧାୟକମାନଙ୍କୁ ରାଜ୍ୟ ସଭା ନିର୍ବାଚନ ସଂକ୍ରାନ୍ତୀ ପ୍ରଶିକ୍ଷଣ ଦେଇଥିଲେ ଦଳ ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏଥିନିମନ୍ତେ ବିଧାନସଭାରୁ ବାହାରି ବିଜେଡିର ବିଧାୟକମାନେ ସିଧାସଳଖ ନବୀନ ନିବାସରେ ପହଂଚିଥିଲେ ।
ଏଥିରେ ନବୀନଙ୍କୁ ମିଶାଇ ୪୪ ଜଣ ବିଧାୟକ ସାମିଲ ହୋଇଥିଲେ । ବସ୍ତା ବିଧାୟିକା ତଥା ସଦ୍ୟତମ ବିଜେଡିରୁ ବିଜେପିକୁ ଲମ୍ପ ପ୍ରଦାନ କରିଥିବା ବାଲେଶ୍ୱର ବିଧାୟକ ରବିନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା ମଧ୍ୟ ଏଠାରେ ଉପସ୍ଥିତ ଥିଲେ । ସେହିପରି ବିଧାୟକ ନବ ମଲ୍ଲିକ, ସୌଭିକ ବିଶ୍ୱାଳ, ମନୋହର ରନ୍ଧାରୀ, ଚକ୍ରମଣି କଅଁର ପ୍ରମୁଖ ଉପସ୍ଥିତ ଥିଲେ ।
ଏହି ମକ ପୋଲିଂ ପରେ ସମସ୍ତ ଉପସ୍ଥିତ ବିଧାୟକମାନଙ୍କୁ ଲଂଚ ନିମନ୍ତେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ଆମନ୍ତ୍ରଣ କରିଥିଲେ । ତେବେ ବିଜେଡିର ହ୍ୱିପ୍ ଜାରି ସତ୍ୱେ ୬ ଜଣ ବିଧାୟକ ନବୀନ ନିବାସ ଯାଇନଥିଲେ । ଯାହାକୁ ନେଇ ଏବେ ରାଜନୈତିକ ଅଙ୍କ କଷା ଜୋର୍ ଧରିଛି ।