ମାର୍ଚ ସୁଦ୍ଧା ମାଲକାନଗିରିରୁ ଉଡ଼ିବ ବିମାନ
ବହୁ ପ୍ରତିକ୍ଷିତ ମାଲକାନଗିରିରୁ ଭୁବନେଶ୍ୱର ବିମାନ ସେବା ଚଳିତମାସ ଶେଷ ସୁଦ୍ଧା ଆରମ୍ଭ ହେବାକୁ ଯାଉଥିବା ଜଣାପଡ଼ିଛି । ଏ ନେଇ ଏକ ସ୍ୱତନ୍ତ୍ର ବୈଷୟିକ ଦଳ ମାଲକାନଗିରି ଜିଲା ବିମାନ ବନ୍ଦର ପରିଦର୍ଶନ କରିଛନ୍ତି ।
ରାଜ୍ୟ ସରକାରଙ୍କ ପରିବହନ ବିଭାଗର ଉଚ୍ଚସ୍ତରୀୟ ଦଳ ଏବଂ ଇଣ୍ଡିଆ ୱାନ୍ ଏୟାର କମ୍ପାନୀର ବୈଷୟିକ ଦଳ ମାଲକାନଗିରି ପହଂଚିଥିଲେ । ରାଜ୍ୟ ସରକାରଙ୍କ ବେସରମରିକ ବିମାନ ଚଳାଚଳ ପରାମର୍ଶଦାତା ସୁରେଶ ଚନ୍ଦ୍ର ହୋତା ଓ ସୁରକ୍ଷା ପରାମର୍ଶଦାତା ମନୋଜ କୁମାର ଦାସଙ୍କ ନେତୃତ୍ୱରେ ଏହି ଦଳ ମାଲକାନଗିରିର ବିମାନ ବନ୍ଦର ଯାଂଚ କରିଥିବା ଜଣାପଡ଼ିଛି ।
ବିଶେଷ କରି ରନ୍ ୱେ, ବିମାନ ବନ୍ଦର ପାଚେରି, ସୁରକ୍ଷା ବ୍ୟବସ୍ଥା, ସିସିଟିଭି କ୍ୟାମେରା, ଟିକଟ କାଉଂଟରଠାରୁ ଆରମ୍ଭ କରି ବିମାନ ବନ୍ଦରର ସମସ୍ତ ଗୃହ ମଧ୍ୟ ଯାଂଚ କରିଥିବା ଜଣାପଡ଼ିଛି । ଯେଉଁ ତ୍ରୁଟି ଚିହ୍ନଟ ହୋଇଛି, ସେଗୁଡ଼ିକୁ ତୁରନ୍ତ ସମାଧାନ କରିବାକୁ ରାସ୍ତା ଓ ଗୃହ ବିଭାଗକୁ ନିର୍ଦେଶ ଦିଆଯାଇଥିବା ଜଣାପଡ଼ିଛି ।
ବିମାନ ଚଢ଼ିବା ପାଇଁ ସ୍ୱତନ୍ତ୍ର ଶିଡ଼ି ସମେତ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯେପରି ଯାତ୍ରୀମାନେ ପାଇପାରିବେ ସେଥିପାଇଁ ତୁରନ୍ତ ପଦକ୍ଷେପ ଗ୍ରହଣ କରିବାକୁ ଦଳ ନିଷ୍ପତି ନେଇଛି । ପ୍ରଥମାର୍ଦ୍ଦରେ ଜୟପୁରଠାରୁ ଭୁବନେଶ୍ୱର ଯାଉଥିବା ଇଣ୍ଡିଆ ୱାନ ବିମାନକୁ ପରୀକ୍ଷାମୂଳକ ଭାବେ ମାଲକାନଗିରି ପର୍ଯ୍ୟନ୍ତ ସଂପ୍ରସାରଣ କରାଯାଇ ଏଠାରୁ ଜୟରପୁରକୁ ସଂଯୋଗ କରି ବିମାନ ଉଡ଼ିବା ପାଇଁ ନିଷ୍ପତି ହୋଇଛି । ପ୍ରଥମେ ୯ ଆସନ ବିଶିଷ୍ଟ ଯାତ୍ରୀବାହୀ ବିମାନ ଚଳାଚଳ କରିବ ।
ଆଗାମୀ ଦୁଇଦିନ ମଧ୍ୟରେ ରନ୍ୱେରେ ପରୀକ୍ଷାମୂଳକ ଭାବେ ବିମାନ ଅବତରଣ କରିବା ନେଇ ମଧ୍ୟ ସୂଚନା ମିଳିଛି । ପ୍ରକାଶ ଥାଉକି ୨୦୨୪ ନିର୍ବାଚନ ପୂର୍ବରୁ ତକ୍ରାଳିନ ସରକାର ଏହି ବିମାନ ବନ୍ଦରକୁ ଉଦ୍ଘାଟନ କରିଥିଲେ । ଦୁଇବର୍ଷ ବିତି ଯାଇଥିଲେ ସୁଦ୍ଧା ଏଠାରୁ କୌଣସି ଯାତ୍ରୀବାହୀ ବିମାନ ଉଡ଼ିନାହିଁ ।
କେନ୍ଦ୍ର ବେସାମରିକ ବିମାନ ଚଳାଚଳ ବିଭାଗ ତରଫରୁ ଅନୁମତି ମିଳି ନଥିବା ସରକାର କହିଥିବାବେଳେ ବର୍ତମାନ ଘରୋଇ ବିମାନ ଉଡ଼ିବାକୁ ଅନୁମତି ମିଳିଥିବା ଜଣାପଡ଼ିଛି ।