୨ଟଙ୍କା ବଢ଼ିଲା ପେଟ୍ରୋଲ ଦାମ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଦେଶରେ ପେଟ୍ରୋଲ ଦାମକୁ ପ୍ରଭାବିତ କରିବା ଆରମ୍ଭ କରିଛି ।
ପ୍ରିମିୟମ ପେଟ୍ରୋଲ ଦାମରେ ଲିଟର ପିଛା ୨-୩ଟଙ୍କା ବୃଦ୍ଧି ପାଇଛି ।
ଇଣ୍ଡିଆନ ଅଏଲର ଏକ୍ସପି୯୫ ଓ ହିନ୍ଦୁସ୍ତାନ ପେଟ୍ରୋଲିୟମର ପାୱାର ପେଟ୍ରୋଲ ଦାମରେ ବୃଦ୍ଧି ଘଟିଛି । ଏହି ମୂଲ୍ୟବୃଦ୍ଧି ଶୁକ୍ରବାରଠୁ କାର୍ଯ୍ୟକାରୀ ହୋଇଛି ।
ତେବେ ସାଧାରଣ ପେଟ୍ରୋଲ ଓ ଡିଜେଲ ଦର ଅପରିବର୍ତିତ ରହିଛି । କିଛିଦିନ ପୂର୍ବେ ତୈଳ କମ୍ପାନୀଗୁଡ଼ିକ ଉଭୟ ବାଣିଜ୍ୟିକ ଏଲ୍ପିଜି ଓ ଘରୋଇ ଏଲପିଜି ମୂଲ୍ୟ ବଢ଼ାଇଥିଲେ । ଘରୋଇ ଏଲ୍ପିଜି ଦାମ ୬୦ଟଙ୍କା ବଢ଼ିଥିଲା, କେତେକ ଇଣ୍ଡିଆନ୍ ଅଏଲ୍ ପେଟ୍ରେଲ ପମ୍ପରେ ଏକ୍ସପି୯୫ ପ୍ରିମିୟମ ପେଟ୍ରୋଲର ଲିଟର ପିଛା ମୂଲ୍ୟ ୧୦୧.୮୦ଟଙ୍କା ହୋଇଛି ।
ଏଚ୍ପିସିଏଲର ପାୱାର ପେଟ୍ରୋଲ ଦାମ ୨-୨.୩ ଟଙ୍କା ବଢ଼ିଛି ।
ପ୍ରିମିୟମ ପେଟ୍ରୋଲକୁ ତୈଳ କମ୍ପାନୀଗୁଡ଼ିକ ଉଚ୍ଚ ପ୍ରଦର୍ଶନକାରୀ ଇନ୍ଧନ ଭାବେ ଉପସ୍ଥାପନ କରି ବିକ୍ରି କରୁଛନ୍ତି । ତେବେ ମୋଟ ତୈଳ ବିକ୍ରିରେ ପ୍ରିମିୟମ ପେଟ୍ରୋଲର ଭାଗ ଯଥେଷ୍ଟ କମ ରହିଛି ।
ଅନେକ ସମୟରେ ସାଧାରଣ ପେଟ୍ରୋଲ ଶେଷ ହୋଇଯାଇଥିବା ଟାଙ୍କିଗୁଡ଼ିକରେ ପ୍ରିମିୟମ ପେଟ୍ରୋଲ ବିକ୍ରି ହୋଇଥାଏ ଓ ଗ୍ରାହକମାନେ ତାହା ପକାଇବାକୁ ବାଧ୍ୟ ହୋଇଥାଆନ୍ତି ।
ପେଟ୍ରୋଲ ପମ୍ପରୁ ମିଳିଥିବା ସୂଚନା ଅନୁସାରେ ଏହି ମୂଲ୍ୟବୃଦ୍ଧି ଦେଶବ୍ୟାପୀ ସମାନ ନାହିଁ । ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ରହିଛି । ତେବେ ମୋଟ ମୂଲ୍ୟବୃଦ୍ଧି ୨ରୁ ୩ଟଙ୍କା ମଧ୍ୟରେ ରହିଛି ।