ବସ୍ରେ ନିଆଁ, ବର୍ତିଲେ ବିଧାୟକଙ୍କ ସହ ୪୦ଯାତ୍ରୀ
ଭୁବନେଶ୍ୱରରୁ ମାଲକାନଗିରି ଅଭିମୁଖେ ଶୁକ୍ରବାର ସନ୍ଧ୍ୟା ପ୍ରାୟ ୭ଟାରେ ଅରେଞ୍ଜ (ନୀଳକଣ୍ଠେଶ୍ୱର) ନାମକ ଏକ ବସ୍ ବାହାରିଥିଲା ।
ବିଳମ୍ବିତ ରାତ୍ରି ପ୍ରାୟ ସାଢ଼େ ତିନିଟା ବେଳକୁ ବସ୍ଟି ଯେତେବେଳେ ରାମଭଦ୍ରପୁରମ୍ ଅତିକ୍ରମ କରୁଥିଲା ଓ ସମସ୍ତ ଯାତ୍ରୀ ନିଘୋଡ଼ ନିଦରେ ଶୋଇଥିଲେ ସେସମୟରେ ରାମଭଦ୍ରପୁରମ ଓ ସାଲୁର ମଧ୍ୟସ୍ଥ ତାରାପୁରମ୍ ନିକଟରେ ବସ୍ର ପଛଚକାଟି ହଠାତ୍ ପମ୍ପଚର ହୋଇ ସେଥିରୁ ନିଆଁ ଲାଗି ଯାଇଥିଲା ।
ଭାଗ୍ୟବଶତଃ ଚାଳକ ଦଶରଥ ନିଆଁ ଲାଗିବା ଜାଣିପାରି ବସ୍ଟିକୁ ତୁରନ୍ତ ରାସ୍ତାକଡ଼ରେଅଟକାଇ ଶୋଇଥିବା ଯାତ୍ରୀଙ୍କୁ ବସ୍ରୁ ବାହାରିଯିବାକୁ କହିଥିଲେ ।
ବସ୍ରେ ରାଜ୍ୟର ଚିତ୍ରକୋଣ୍ଡା ବିଧାୟକ ମଙ୍ଗୁ ଖିଲଙ୍କ ସହ ୪୦ଜଣ ଭଳି ଯାତ୍ରୀ ଥିଲେ ।
ଚାଳକଙ୍କ ଅନୁରୋଧ କ୍ରମେ ବିଧାୟକଙ୍କ ସହ ସମସ୍ତ ଯାତ୍ରୀ ତରବରିଆ ଭାବେ ବସ୍ରୁ ବାହାରକୁ ଓହ୍ଲାଇ ଆସିବାଦ୍ୱାରା ସେମାନେ ଜୀବନରୁ ରକ୍ଷା ପାଇଯାଇଛନ୍ତି ।
ନିମିଷକ ମଧ୍ୟରେ ବସରେ ଲାଗିଥିବା ନିଆଁ ପ୍ରକୋପ ରୂପ ଧାରଣ କରିଥିଲା । ଚାଳକ ଯଦି ତତ୍କ୍ଷଣାତ୍ ଉଚିତ ପଦକ୍ଷେପ ଗ୍ରହଣ କରି ନଥାଆନ୍ତେ, ତେବେ ବଡ଼ ଧରଣର ବିପଦକୁ ଏଡାଇ ପାରି ହୋଇ ନଥାଆନ୍ତା । କିଛି ଯାତ୍ରୀଙ୍କ କେତେକ ସାମଗ୍ରୀ ନିଆଁରେ ନଷ୍ଟ ହୋଇଯାଇଥିଲେ ବି ପ୍ରତ୍ୟେକ ଉଦ୍ଧାର ହେବା ସମ୍ଭବ ହୋଇଛି ।
ପରେ ରାମଭଦ୍ରପୁରମ୍ ପୁଲିସ ଓ ସାଲୁର ଅଗ୍ନିଶମ ବାହିନୀ ପହଂଚି ନିଆଁ ଲିଭାଇଥିଲେ । ପରେ ଅନ୍ୟ ଏକ ଘରୋଇ ବସ୍ ଯୋଗେ ଯାତ୍ରୀଙ୍କୁ ପଠାଯାଇଥିଲା ।