ହର୍ମୁଜ ଦ୍ୱୀପରେ ଜେଟ ଖସାଇଲା ଇରାନ
ରବିବାର ଦେଶର ଦକ୍ଷିଣ ଉପକୂଳ ଏବଂ ହର୍ମୁଜ ଦ୍ୱୀପ ନିକଟରେ ଇରାନ ସେନା ଏହାର ବାୟୁ ପ୍ରତିରକ୍ଷା ପ୍ରଣାଳୀ ବ୍ୟବହାର କରି ଶତ୍ରୁପକ୍ଷର ଏଫ-୧୫ ଲଢ଼ୁଆ ବିମାନକୁ ଗୁଳି କରି ଖସାଇ ଦେଇଥିବା ଦାବି କରିଛି ।
ଯଦି ଇରାନ ଦାବି ସତ ହୁଏ, ତେବେ ଆମେରିକା ବିରୋଧରେ ଚାଲିଥିବା ସଂଘର୍ଷରେ ଇରାନ ପକ୍ଷରୁ ଅତି କମରେ ୬ଟି ଭଳି ଆମେରିକୀୟ ଜେଟ ଖସାଇ ଦିଆଯାଇଛି ।
ଏଫ-୧୫ ଲଢ଼ୁଆ ବିମାନକୁ ଭୂପୃଷ୍ଠରୁ ଆକାଶକୁ ନିକ୍ଷେପିତ ହୋଇ ପାରୁଥିବା ବାୟୁ ପ୍ରତିରକ୍ଷା ପ୍ରଣାଳୀଦ୍ୱାରା ନଷ୍ଟ କରାଯାଇଥିବା ଇରାନର ଫାର୍ସ ନ୍ୟୁଜ ପକ୍ଷରୁ କୁହାଯାଇଛି ।
ଇରାନ ଗଣମାଧ୍ୟମ ମଧ୍ୟ ବାୟୁ ପ୍ରତିରକ୍ଷା ପ୍ରଣାଳୀ କିପରି ସଫଳ ଭାବେ ଏଫ୍-୧୫ ଯୁଦ୍ଧ ବିମାନକୁ ନଷ୍ଟ କରିପାରିଛି, ତାର ଭିଡ଼ିଓ ମଧ୍ୟ ଜାରି କରିଛି । ତେବେ ଉତ୍ପାଦକ ଦେଶ ଆମେରିକା କିମ୍ବା ମଧ୍ୟପ୍ରାଚ୍ୟ ଦେଶଗୁଡ଼ିକ ଏ ସମ୍ପର୍କରେ କିଛି କହିନାହାନ୍ତି ।
ସାଉଦି ଆରବ, ଇସ୍ରାଏଲ ଓ କତର ମଧ୍ୟ ବାୟୁ ପ୍ରତିରକ୍ଷାପାଇଁ ଏଫ-୧୫ ବିମାନ ରଖିଛନ୍ତି । ଗୋଟିଏ ଏଫ୍-୩୫ ବିମାନ ଜରୁରୀକାଳୀନ ଅତରଣ କରିଥିବା ଓ ପାଇଲଟ ସୁରକ୍ଷିତ ଭାବେ ବାହାରକୁ ବାହାରି ଆସିଥିବା ଘଟଣାର ତଦନ୍ତ ଚାଲିଥିବା ସିଏନଏନ ମଧ୍ୟ ଏହାର ରିପୋର୍ଟରେ ଦର୍ଶାଇଛି ।
ମଧ୍ୟପ୍ରାଚ୍ୟରେ ଚାରି ସପ୍ତାହ ହେଲା ଯୁଦ୍ଧ ଚାଲିଥିବାବେଳେ ଏଫ-୧୫ ଲଢ଼ୁଆ ବିମାନ କ୍ଷତିଗ୍ରସ୍ତ ହେବାର ଏହା ଚତୁର୍ଥ ଘଟଣା ।