ତ୍ରିଶୁଳିଆ-ବାଙ୍କୀ ରାସ୍ତା ଅବରୋଧ
ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ଉକ୍ରଟ ଖରା ସାଙ୍ଗକୁ ପାଣି ସମସ୍ୟା ।
ଏଭଳି ସ୍ଥଳେ ସାଧାରଣ ଯାତ୍ରୀ ବା ବାଟୋଇ ଯେପରି ପାଣି ସମସ୍ୟାରେ ନ ପଡ଼ିବେ ସେଥିପାଇଁ ପ୍ରଶାସନ ପକ୍ଷରୁ ବିଭିନ୍ନ ଆଶ୍ୱାସନା ଦିଆଯାଇଥିଲା, ଯାହାକି ସଂପ୍ରତି ବାସ୍ତବ ରୂପ ନେଇ ପାରି ନଥିବା ପରିଲକ୍ଷିତ ହୁଏ । ତେଣୁ ସୋମବାର ପାନୀୟ ଜଳ ସମସ୍ୟାକୁ ନେଇ କଟକ ଜିଲା ତ୍ରିଶୁଳିଆ-ବାଙ୍କୀ ରାସ୍ତା ଅବରୋଧ ହୋଇଥିବା ପରିଲକ୍ଷିତ ହୋଇଛି ।
ପାଟପୁର ନିକଟରେ ଗରା ମାଠିଆ ରଖି ଗ୍ରାମବାସୀମାନେ ପ୍ରତିବାଦ ଓ ଧାରଣା ଦେଇଥିଲେ । ଫଳରେ ଉଭୟ ପାର୍ଶରେ ଶହଶହ ଯାନବାହନ ଅଟକି ପଡ଼ିଥିଲା । ରାସ୍ତା ଉପରେ ହାଣ୍ଡି, ବାଲ୍ଟି, ଗରା ଆଦି ସାମଗ୍ରୀ ରଖି ରାସ୍ତାରୋକ କରିବାଦ୍ୱାରା ଅନେକେ ସମସ୍ୟାରେ ପଡ଼ିଥିଲେ ।
ବିକ୍ଷୋଭକାରୀମାନେ ରାସ୍ତା ଉପରେ ବସି ସ୍ଲୋଗାନ୍ ଦେଉଥିବା ଦେଖିବାକୁ ମିଳିଥିଲା । ଘଟଣାସ୍ଥଳରେ ବାରଙ୍ଗ ଥାନା ପୁଲିସ ଉପସ୍ଥିତ ରହି ବୁଝାସୁଝା କରାଉଥିବା ଦେଖାଯାଇଛି । ବିକ୍ଷୋଭକାରୀଙ୍କ ବକ୍ତବ୍ୟ ଯେ ପ୍ରଶାସନ ବିଭିନ୍ନ ଆଶ୍ୱାସନା ଦେଉଥିଲେ ସୁଦ୍ଧା କାର୍ଯ୍ୟ କ୍ଷେତ୍ରରେ କିଛି କରୁନାହିଁ ।
ଯାହାଦ୍ୱାରା ସାଧାରଣ ଯାତ୍ରୀ ହଟହଟାର ସମ୍ମୁଖୀନ ହେଉଛନ୍ତି । ଆଗକୁ ଏହି ଗ୍ରୀଷ୍ମ ପ୍ରବାହ ତୀବ୍ର ରୂପ ଧାରଣ କରିବାର ଆଶଙ୍କା ରହିଛି । ଯଦି ପାନୀୟ ଜଳର ସମସ୍ୟା ଏଭଳି ରହିଥାଏ, ତେବେ ଅନେକେ ସମସ୍ୟାରେ ପଡ଼ିବା ସ୍ୱାଭାବିକ ।
ତେଣୁ ଏହାର ପ୍ରତିକାର ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ଆବଶ୍ୟକତା ପଡ଼ିଛି । ନଚେତ୍ ଏହି ଅବରୋଧ ଆଗକୁ ଆହୁରି ଜୋରଦାର କରାଯିବ ବୋଲି ଧମକ ଦିଆଯାଇଛି ।