କଟକରେ ସୌଭିକ, ସୋଫିଆ ଓ ଦେବୀଙ୍କ କୁଶପୁତଳିକା ଦାହ
ନବୀନ ନେପୋଟିଜିମକୁ ସୁରକ୍ଷା ପାଇଁ ସୁବାଷଙ୍କ ପ୍ରୟାସ
ଗତ ୧୬ ତାରିଖରେ ରାଜ୍ୟସଭା ଭୋଟିଂବେଳେ ଦଳୀୟ ହ୍ୱିପକୁ ନ ମାନି ଉଭୟ ବିଜେଡି ଓ କଂଗ୍ରେସର ୧୨ ଜଣ ବିଧାୟକ ଦଳ ସହ ୪ର୍ଥ ଆସନ ପାଇଁ ପ୍ରତିଦ୍ୱନ୍ଦ୍ୱିତା କରୁଥିବା ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ କ୍ରସ ଭୋଟିଂ କରି ଜିତାଇଛନ୍ତି ।
ସେବେଠାରୁ ରାଜ୍ୟ ରାଜନୀତି ଉଷ୍ମ ରହିଛି ।
ଦଳ ବିରୋଧୀ କାମ ପାଇଁ କଂଗ୍ରେସର ବାରବାଟୀ-କଟକ ବିଧାୟିକା ସୋଫିଆ ଫିର୍ଦୋଷଙ୍କୁ ଦଳ ନିଲମ୍ବନ କରିଥିବାବେଳେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ପିଏସି କାଉନସିଲର ରିପୋର୍ଟ ଆଧାରରେ ଚୌଦ୍ୱାର-କଟକ ବିଧାୟକ ତଥା ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ଓ ବାଙ୍କୀର ବିଧାୟକ ତଥା ପୂର୍ବତନ ବିଧାୟକ ପ୍ରଭାତ ତି୍ରପାଠୀଙ୍କ ପୁଅ ଦେବୀ ରଂଜନ ତ୍ରିପାଠୀଙକୁ ଦଳରୁ ନିଲମ୍ବନ କରିଛନ୍ତି ।
ଅନ୍ୟପଟେ ଏହି ଘଟଣାକୁ ନେଇ ରାଜ୍ୟରେ ରାଜନୀତି ପାଣିପାଗ ଗରମ ହୋଇସାରିଛି ।
ନିଲମ୍ବନକୁ ବିରୋଧ କରି ବିଜୁ ଲିଗାସୀ ଓ ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଆଦର୍ଶରେ ଅନୁପ୍ରାଣୀତ ଚୌଦ୍ୱାର-କଟକ ବିଧାୟକ ସୌଭିକ ବିଶ୍ୱାଳ ଏକ ସାମ୍ବାଦିକ ସମ୍ମିଳନୀରେ ବିଜୁ ଲିଗାସୀକୁ ସମ୍ମାନ ଜଣାଇ ସେ ତାଙ୍କ ବିବେକାନୁମୋଦିତ ଭୋଟ ଦିଲୀପଙ୍କୁ ଦେଇଥିବା କହିଥିଲେ ।
ପରେ ବାଙ୍କୀର ଯୁବ ବିଧାୟକ ଦେବୀ ରଂଜନ ତି୍ରପାଠୀ ମଧ୍ୟ ସମାନ କଥା କହିବା ସହ ଗତ କିଛି ଦିନ ତଳେ ବାଙ୍କୀରେ ଏକ ବିଶାଳ ଶୋଭାଯାତ୍ରା କରିଥିଲେ ।
ଶୋଭାଯାତ୍ରାବେଳେ ହାତରେ ସେ ଦଳୀୟ ପତାକା ପରିବର୍ତେ ସ୍ୱର୍ଗତ ବିଜୁ ବାବୁଙ୍କ ଚିତ୍ର ଥିବା ପତାକା ଧରିଥିବା ଦେଖାଯାଇଥିଲା । ସେହିପରି ଦେବୀଙ୍କ ସମର୍ଥକମାନେ ତାଙ୍କ ନିଲମ୍ବନକୁ ବିରୋଧ କରି ଶୋଭାଯାତ୍ରା ବାହାର କରିବା ସହ ଏହା ପଛରେ ଭି.କେ.ପାଣ୍ଡିଆନଙ୍କୁ ଦାୟୀ କରି ତାଙ୍କ ପୋଷ୍ଟରରେ କାଳି ବୋଳିଥିଲେ
ଅପରପକ୍ଷରେ ବିଜେଡି ସୁପ୍ରିମୋ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସୁରକ୍ଷା ଦେବାକୁ ଅଂଟା ଭିଡ଼ିଛନ୍ତି ସିଏମ୍ସି ମେୟର ସୁବାଷ ସିଂ ।
ତାଙ୍କ ନେତୃତ୍ୱରେ ବରିଷ୍ଠ ନେତା ମହମ୍ମଦ ସକିଲ ଓ ପ୍ରଫୁଲ ସିଂହଙ୍କ ଉପସ୍ଥିତିରେ କଟକରେ ୩ ନିଲମ୍ବିତ ବିଧାୟକ ସୌଭିକ ବିଶ୍ୱାଳ, ସୋଫିଆ ଫିର୍ଦୋଷ ଓ ଦେବୀ ରଂଜନ ତି୍ରପାଠୀଙ୍କ କୁଶପୁତଳିକାକୁ ବିଜେଡି କର୍ମୀମାନେ ଦାହ କରିବା ସହ ତାଙ୍କୁ ବିଶ୍ୱାସଘାତକ ଦର୍ଶାଇ ତାଙ୍କ ପୋଷ୍ଟରରେ କାଳି ବୋଳିଥିବା ଦେଖାଯାଇଛି ।
ତେବେ ଆଗକୁ ବିଜୁ ଲିଗାସୀ ଜିତିବ ନା ନବୀନ ନେପୋଟିଜିମର ଜିତାପଟ ହେବ ତାହା ଦେଖିବା ବାକି ରହିଲା ।