ମହାପ୍ରଭୁଙ୍କ ଅନ୍ୟ ୨ଟି ସେଟ୍ ଅଳଙ୍କାର ରହୁ – ମୁଖ୍ୟ ସେବାୟତ
ପୂର୍ବ ଘୋଷଣାନୁଯାୟୀ ବୁଧବାର ମଧ୍ୟାହ୍ନ ୧୨ଟା ୦୯ ମିନିଟ୍ରେ ଆରମ୍ଭ ହୋଇଥିଲା ମହାପ୍ରଭୁ ବଳଭଦ୍ର, ମା’ ସୁଭଦ୍ରା ଓ ଜଗତର ନାଥ ଶ୍ରୀଜଗନ୍ନାଥଙ୍କ ଗଣତି ମଣତି କାର୍ଯ୍ୟ । ଶ୍ରୀମନ୍ଦିର ପ୍ରଶାସନ ଓ ସରକାରଙ୍କ ଦ୍ୱାରା ଧାର୍ଯ୍ୟ ଏସଓପି ଅନୁଯାୟୀ ଏହି ଗଣତି ମଣତି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି ।
ଏହି ଗଣତି ମଣତି ସମୟରେ ଭକ୍ତମାନେ ଶ୍ରୀଜୀଉଙ୍କୁ ବାହାରକାଠରୁ ଦର୍ଶନ କରିବେ ବୋଲି ଶ୍ରୀମନ୍ଦିର ପ୍ରଶାସନ ନିୟମ କରିଛି । ତେବେ ଆଜି ଏକ ସାକ୍ଷାତକାରରେ ଜଗତର ନାଥ ଶ୍ରୀଜଗନ୍ନାଥ, ମହାବାହୁ ବଳଭଦ୍ର ଓ ମା’ ସୁଭଦ୍ରାଙ୍କ ଆଉ ୨ଟି ଲେଖାଏଁ ଅଳଙ୍କାର ସେଟ୍ କରାଯାଉ ବୋଲି ମହାପ୍ରଭୁଙ୍କ ମୁଖ୍ୟ ସେବାୟତ ତଥା ବାଡ଼ଗ୍ରାହୀ ଜଗନ୍ନାଥ ସ୍ୱାଇଁ ମହାପାତ୍ର କହିଛନ୍ତି ।
କାରଣ ଓଡ଼ିଆ ଜାତିର ମଉଡ଼ମଣି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କ ପ୍ରତିଦିନ କୌଣସି ନା କୌଣସି ବିଶିଷ୍ଟ ନୀତିକାନ୍ତି ହେବା ସହ ବର୍ଷକ ୧୨ ମାସରେ ୧୩ ପର୍ବ ହୋଇଥାଏ । ଏହି ବିଶିଷ୍ଟ ପର୍ବପର୍ବାଣୀ ଗୁଡ଼ିକରେ ଶ୍ରୀଜୀଉମାନଙ୍କୁ ସ୍ୱତନ୍ତ୍ର ବେଶ କରାଯିବା ସହ ତଦନୁଯାୟୀ ଅଳଙ୍କାର ଲାଗି କରାଯାଇଥାଏ ।
ତେଣୁ ସେହି ଦିନଗୁଡ଼ିକ ପାଇଁ ସରକାର ଓ ପ୍ରଶାସନ ପକ୍ଷରୁ ମହାପ୍ରଭୁଙ୍କ ଆଉ ୨ଟି ଲେଖାଏଁ ଅଳଙ୍କାର ସେଟ୍ କରାଯିବା ଆବଶ୍ୟକ ବୋଲି ମୁଖ୍ୟ ସେବାୟତ ଶ୍ରୀ ମହାପାତ୍ର କହିଛନ୍ତି ।
ସେ ଆହୁରି ମଧ୍ୟ କହିଛନ୍ତି ଯେ, ୨୦୨୪ ସାଧାରଣ ନିର୍ବାଚନ ପୂର୍ବରୁ କ୍ଷମତାକୁ ଆସିଲେ ବିଜେପି ସରକାର ରତ୍ନଭଣ୍ଡାରରେ ଥିିବା ମହାପ୍ରଭୁଙ୍କ ଅଳଙ୍କାରଗୁଡ଼ିକର ଗଣତି ମଣତି କରିବେ ଏବଂ ଏହାର ମେଳକ କରାଯିବ ବୋଲି ଘୋଷଣା କରିଥିଲେ ।
ତେବେ ଇତିମଧ୍ୟରେ ଦେଢ଼ବର୍ଷ ବିତିସାରିଲା ପରେ ସରକାର ତାଙ୍କ ପ୍ରତିଶ୍ରୁତି ମୁତାବକ ଆଜି ଶ୍ରୀଜୀଉଙ୍କ ରତ୍ନଭଣ୍ଡାରର ଗଣତି ମଣତି କାମ ଆରମ୍ଭ କରିଛନ୍ତି ବୋଲି ଶ୍ରୀ ମହାପାତ୍ର କହିଛନ୍ତି ।