ଟ୍ରମ୍ପଙ୍କ ଶାନ୍ତି ପ୍ରସ୍ତାବକୁ ମାନିଲେନି ଇସ୍ରାଏଲ-ଇରାନ
ଇସ୍ରାଏଲ ଉପରେ ଇରାନର ଅଗ୍ନି ବର୍ଷା
ମଧ୍ୟପ୍ରାଚ୍ୟରେ ଇରାନ ଏବଂ ଆମେରିକା-ଇସ୍ରାଏଲ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧ ବୁଧବାର ୨୫ ଦିନରେ ପହଂଚିଛି । ଗତ ସୋମବାର ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୫ ଦିନିଆ ଯୁଦ୍ଧ ବିରତି ଘୋଷଣା କରିଥିଲେ ।
ଅର୍ଥାତ୍ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ଇରାନର କୌଣସି ପାୱାର ପ୍ଲାଂଟ ଉପରେ ଆକ୍ରମଣ କରାଯିବନି ବୋଲି ଟ୍ରମ୍ପ ଘୋଷଣା କରିଥିଲେ; କିନ୍ତୁ ମଙ୍ଗଳବାର ଇରାନ ଏହାକୁ ଅସ୍ୱୀକାର କରିବା ସହ ଏହା ଟ୍ରମ୍ପଙ୍କ ଏକତରଫା ଘୋଷଣା ଏବଂ ଯୁଦ୍ଧ ବନ୍ଦ ସଂକ୍ରାନ୍ତରେ ଆମେରିକା ସହିତ କୌଣସି ଶାନ୍ତି ବାର୍ତା ହୋଇନାହିଁ ବୋଲି ଇରାନ ସ୍ପଷ୍ଟ କରିଥିଲା ।
ସେପଟେ ଏହି ଯୁଦ୍ଧରେ ଆମେରିକାକୁ ଘୋଷାଡ଼ିଥିବା ଇସ୍ରାଏଲ ମଧ୍ୟ ଟ୍ରମ୍ପଙ୍କ ଯୁଦ୍ଧବିରତି ଘୋଷଣାକୁ ନ ମାନି ଗତ ମଙ୍ଗଳବାର ଇରାନର ରାଜଧାନୀ ତେହେରାନ ସମେତ ଇସଫାହାନ ଓ ତବ୍ରିଜ ଉପରେ ଭୟଙ୍କର ଆକ୍ରମଣ କରିଥିଲା ।
ଏହି ଆକ୍ରମଣରେ ଇରାନର ଏକ ଅତ୍ୟାଧୁନିକ ଡ୍ରୋନ ନିର୍ମାଣ କାରଖାନା ଏବଂ କମାଣ୍ଡ ସେଂଟର ଧ୍ୱଂସ ହୋଇଯାଇଛି । ବିଶେଷ କରି ଇରାନ କୋଇଲା ଓ ଗ୍ୟାସ ପାଇପଲାଇନ ସମେତ ବହୁ ଗୁରୁତ୍ୱପୂର୍ଣ୍ଣ ଭିତିଭୂମି ଉପରେ ଇସ୍ରାଏଲ ସେନା ପ୍ରଚଣ୍ଡ ଆକ୍ରମଣ କରିଥିଲା । ଏହି ଆକ୍ରମଣରେ ଇରାନର ୨ଟି ବଡ଼ ଗ୍ୟାସ କେନ୍ଦ୍ର ଧ୍ୱଂସ ହୋଇଯାଇଛି ।
ଏଣେ ଏହାର କଡ଼ା ଜବାବ ଦେଇଛି ଇରାନ । ଗତ ମଙ୍ଗଳବାର ରାତିରେ ଇରାନ ପଟୁ ଇସ୍ରାଏଲର ୨ଟି ସହର ତେଲ ଅଭିଭ ଓ ଜେରୁଜେଲମର ଆଖାପାଖ ଅଂଚଳ ଉପରେ ରାତି ତମାମ ଇରାନ ଶତାଧିକ କ୍ଷେପଣାସ୍ତ୍ର ମାଡ଼ କରିଥିଲା ।
ତେବେ ସେଥିମଧ୍ୟରୁ କେତୋଟିକୁ ଇସ୍ରାଏଲର ଏୟାର ଡିଫେନ୍ସ ସିଷ୍ଟମ ନଷ୍ଟ କରିଥିବାବେଳେ ଆଉ କିଛି ମିସାଇଲ ଇସ୍ରାଏଲରେ ପଡ଼ିବାରୁ ବ୍ୟାପକ କ୍ଷୟକ୍ଷତି ଘଟିଛି ।
ଅନ୍ୟପଟେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଯୁଦ୍ଧବିରତିକୁ ନା ଇସ୍ରାଏଲ ସମ୍ମାନ ଦେଉଛି ନା ଇରାନ ଖାତିର କରୁଛି ତାହା ଏହି ଆକ୍ରମଣ ଓ ପ୍ରତିଆକ୍ରମଣରୁ ସ୍ପଷ୍ଟ ହେଉଛି ।