ହୋଟେଲ, ରେସ୍ତୋରାଁରେ ଏଲପିଜି ଚାର୍ଜ ମନା
ଆଦାୟ କରାଗଲେ କାର୍ଯ୍ୟାନୁଷ୍ଠାନ
ସିିସିପିଏ (କେନ୍ଦ୍ରୀୟ ଗ୍ରାହକ ସୁରକ୍ଷା ପ୍ରାଧିକରଣ) ହୋଟେଲ ଓ ରେସ୍ତୋଁରା କ୍ଷେତ୍ରରେ ଏକ ନୂତନ ନିର୍ଦେଶାବଳି ଜାରି କରିଛି ।
ଗ୍ରାହକଙ୍କ ବିଲ୍ରେ ଯଦି ଏଲ୍ପିଜି ଚାର୍ଜ, ଗ୍ୟାସ୍ ସରଚାର୍ଜ ଇତ୍ୟାଦି ଭଳି ଅତିରିକ୍ତ ଶୁଳ୍କ ଆଦାୟ କରାଯାଏ, ତେବେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଗ୍ରାହକ ସୁରକ୍ଷା ଆଇନ ୨୦୧୯ ଅନୁସାରେ ଏହାକୁ ଏକ ଅସାଧୁ ବ୍ୟବସାୟ ଅଭ୍ୟାସ ବୋଲି କୁହାଯାଇଛି । ଉପଭୋକ୍ତା ବ୍ୟାପାର, ଖାଦ୍ୟ ଏବଂ ସାଧାରଣ ବଂଟନ ମନ୍ତ୍ରଣାଳୟ ଦ୍ୱାରା ଜାରି କରାଯାଇଥିବା ଏହି ନିର୍ଦେଶାବଳିରେ ଉଲ୍ଲେଖ କରାଯାଇଛି ଯେ କୌଣସି ଶୁଳ୍କ ସ୍ୱୟଂଚାଳିତ ଭାବେ ଲାଗୁ କରାଯିବ ନାହିଁ । ସେ ଦୃଷ୍ଟିରୁ ଗ୍ରାହକଙ୍କ ବିଲ୍ରେ ଅଲଗା ଭାବେ ଯୋଡ଼ା ଯାଇପାରିବ ନାହିଁ ।
ଏଲ୍ପିଜି ଚାର୍ଜ ଓ ସେହି ଧରଣର ଅତିରିକ୍ତ ଶୁଳ୍କ ସମ୍ପର୍କରେ ଜାତୀୟ ଗ୍ରାହକ ହେଲ୍ପଲାଇନ୍ରେ ମିଳିଥିବା ଅଭିଯୋଗ ଅନୁଯାୟୀ ଅନେକେ ରେସ୍ତୋରାଁ ଖାଦ୍ୟର ଧାର୍ଯ୍ୟ ମୂଲ୍ୟ ଉପରେ ଏହି ଚାର୍ଜ ଯୋଡ଼ୁଥିଲେ, ଯାହାଦ୍ୱାରା ଗ୍ରାହକମାନେ ସମସ୍ୟାରେ ପଡ଼ୁଥିଲେ ।
ସିସିପିଏ ସ୍ପଷ୍ଟ କରିଛି ଯେ ପରିଚାଳନା ଖର୍ଚକୁ ପୃଥକ ବାଧ୍ୟତାମୂଳକ ଶୁଳ୍କ ମାଧ୍ୟମରେ ଆଦାୟ କରିବା ଗ୍ରାହକ ସୁରକ୍ଷା ଆଇନର ଧାରା ଉଲଂଙ୍ଘନ ଅଟେ । ମେନୁ କାର୍ଡରେପ୍ରଦର୍ଶିତ ମୂଲ୍ୟ ହିଁ ଚୂଡ଼ାନ୍ତ ମୂଲ୍ୟ ହେବା ଆବଶ୍ୟକ ।
ଯଦି କେହି ଏହାକୁ ଅଗ୍ରାହ୍ୟ କରନ୍ତି ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସତର୍କ କରାଯାଇଛି ।
ଯଦି ସମାଧାନ ନହୁଏ ତେବେ ୧୯୧୫ ନମ୍ବରକୁ କଲ୍ କରି ଅଭିଯୋଗ କରିହେବ ।