ନିଲମ୍ବିତ ୬ ବିଜେଡି ବିଧାୟକଙ୍କ ବଦଳୁନି ଆସନ
ରାଜ୍ୟସଭା ନିର୍ବାଚନରେ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇ ବିଜେଡିରୁ ନିଳମ୍ବିତ ୬ ବିଧାୟକଙ୍କ ବିଧାନସଭାରେ ଏପର୍ଯ୍ୟନ୍ତ ଆସନ ବଦଳିନାହିଁ ।
ଫଳରେ ଏହି ବିଧାୟକମାନେ ବିଧାନସଭା ଆସୁ ନଥିବା ଲକ୍ଷ୍ୟ କରାଯାଉଛି । ଅନ୍ୟପକ୍ଷରେ ନିଳମ୍ବନ ଓ କାରଣ ଦର୍ଶାଅ ନୋଟିସ ଜାରି କରାଯାଇଥିବାରୁ ଥାନାରେ ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକଙ୍କ ନାମରେ ଏତଲା ଦେବାକୁ ଏହି ବିଧାୟକମାନେ ସଜବାଜ ହେଉଥିବା ଜଣାପଡ଼ିଛି ।
ଏଭଳି ସ୍ଥିତିରେ ଉଭୟ ପକ୍ଷ ଆଇନଗତ ଲଢ଼େଇ ପାଇଁ ମଧ୍ୟ ତର୍ଜମା ଚଳାଇଛନ୍ତି । ରାଜ୍ୟସଭା ନିର୍ବାଚନରେ ବିଜେଡିରୁ ପୂର୍ବରୁ ନିଳମ୍ବିତ ୨ ବିଧାୟକଙ୍କ ସମେତ ମୋଟ ୮ ବିଧାୟକ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପଙ୍କୁ ଭୋଟ ଦେଇଥିଲେ ।
ବିଜେଡି ପକ୍ଷରୁ ୬ ବିଧାୟକଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରାଯାଇ ଶୃଙ୍ଖଳା କମିଟି ଓ ରାଜନୈତିକ ବ୍ୟାପାର କମିଟି (ପିଏସି) ନଷ୍ପତି ମୁତାବକ ଦଳ ସଭାପତି ନବୀନ ପଟ୍ଟନାୟକ ୬ ବିଧାୟକଙ୍କୁ ଗତ ୨୧ ତାରିଖରେ ନିଳମ୍ବନ କରିଥିଲେ ।
ମାତ୍ର ନିଲମ୍ବନ ପରେ ବି ଏହି ୬ ବିଧାୟକଙ୍କ ବିଧାନସଭାରେ ଆସନ ପରିବର୍ତନ ହୋଇନାହିଁ । ସେହିପରି ଗତ ୧୭ ତାରିଖରେ କଂଗ୍ରେସ ୩ ବିଧାୟକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ପୂର୍ବକ ଦଳରୁ ନିଲମ୍ବନ କରିଥିଲା । ନିଲମ୍ବିତ ବିଧାୟକଙ୍କ ଆସନ ପରିବର୍ତନ ପାଇଁ ଦଳ ବାଚସ୍ପତିଙ୍କୁ କହିବାରୁ ପରେ ଆସନ ବଦଳିଥିଲା ।
ମାତ୍ର ଏହି ୬ ବିଜେଡି ବିଧାୟକଙ୍କ ଆସନ ପରିବର୍ତନ ପାଇଁ ଚିଠି ବାଚସ୍ପତିଙ୍କୁ ଏପର୍ଯ୍ୟନ୍ତ ବିଜେପି ଦେଇ ନଥିବା ଜଣାପଡ଼ିଛି ।