ଲିଙ୍ଗରାଜଙ୍କ ଅଶୋକାଷ୍ଟମୀ ରଥଯାତ୍ରା ପ୍ରସ୍ତୁତି
ପ୍ରଭୁ ଲିଙ୍ଗରାଜଙ୍କ ପ୍ରସିଦ୍ଧ ଅଶୋକାଷ୍ଟମୀ ଯାତ୍ରା ଗୁରୁବାର (୨୬ତାରିଖ)ରେ ପାଳିତ ହେବାକୁ ଥିବାବେଳେ ୩୦ରେ ବାହୁଡ଼ା ଯାତ୍ରା ଅନୁଷ୍ଠିତ ହେବ ।
ସେଥିପାଇଁ ମନ୍ଦିର କମିଟି ଓ ପ୍ରଶାସନ ପକ୍ଷରୁ ବିଶେଷ ପ୍ରସ୍ତୁତି ଗ୍ରହଣ କରାଯାଇଛି ।
ଏହି ସମୟରେ ରାଜ୍ୟ ଓ ରାଜ୍ୟ ବାହାରୁ ବହୁ ଭକ୍ତଙ୍କ ସମାଗମ ଘଟିବ । ଜନଗହଳିକୁ ଦୃଷ୍ଟିରେ ରଖି ଭୁବନେଶ୍ୱର-କଟକ ପୁଲିସ କମିସନରେଟ୍ ପକ୍ଷରୁ ଟ୍ରାଫିକ୍ ନିୟମାବଳି ଜାରି କରାଯାଇଛି ।
ଜାରି ନିୟମାବଳି ଅନୁସାରେ କୌଣସି ପ୍ରକାର ଯାନବାହନ ମାଉସୀ ମାଙ୍କ ଛକଠାରୁ ରଥ ରୋଡ଼ରେ ଯିବାକୁ ଦିଆଯିବ ନାହିଁ ।
ସେହି ଗାଡ଼ିଗୁଡ଼ିକୁ ମ୍ୟୁଜିୟମ ଛକ ଦିଗକୁ କିମ୍ବା ବିବେକାନନ୍ଦ ମାର୍ଗ ରାସ୍ତାରେ ଯିବା ଆସିବା କରିପାରିବେ ନାହିଁ ବୋଲି କୁହାଯାଇଛି । ତେବେ ଏଥିପାଇଁ ଅନ୍ୟ ରୁଟ୍ ପୁଲିସ ପକ୍ଷରୁ ବ୍ୟବସ୍ଥା କରାଯାଇଛି । ସମଗ୍ର ରଥଯାତ୍ରା ଯେପରି ଶାନ୍ତିଶୃଙ୍ଖଳାରେ ପରିଚାଳିତ ହୁଏ ସେଥିପ୍ରତି ପୁଲିସ ପ୍ରଶାସନ ପକ୍ଷରୁ ବିଶେଷ ଗୁରୁତ୍ୱ ଦିଆଯାଇଥିବାବେଳେ ଯେପରି କୌଣସି ବିଶୃଙ୍ଖଳା ସୃଷ୍ଟି ନହୁଏ ସେଥିପାଇଁ ବ୍ୟାପକ ପଦକ୍ଷେପ ଗ୍ରହଣ କରାଯାଇଛି ।
କୌଣସି ଯାନବାହନ ରଥଖଳାରୁ ରଥ ରୋଡ଼ରେ ଯିବାକୁ ଦିଆଯିବ ନାହିଁ । ତେବେ ସେହି ଗାଡ଼ିଗୁଡ଼ିକୁ ରଥଖଳାରୁ ବାଟ ମହାଦେବ ମନ୍ଦିର ରାସ୍ତା ଦେଇ ଯାଇପାରିବେ ବୋଲି ଜଣାପଡ଼ିଛି ।
ପୁଲିସ ନିର୍ଦେଶକୁ ଯେପରି ପ୍ରତ୍ୟେକ ଗ୍ରହଣ କରିବେ ସେଥିପାଇଁ ଅନୁରୋଧ କରାଯାଇଛି । ସେହିପରି ମନ୍ଦିର କମିଟି ପକ୍ଷରୁ ମଧ୍ୟ ବିଶେଷ ବ୍ୟବସ୍ଥାମାନ ଗ୍ରହଣ କରାଯାଇଥିବା ପରିଲକ୍ଷିତ ହୁଏ ।