ପ୍ରେମିକାକୁ ହତ୍ୟା, ନୌସେନା ଅଧିକାରୀ ଗିରଫ
ବିଶାଖାପଟନମ୍ର ଏକ ହତ୍ୟା ଘଟଣାକୁ ନେଇ ସମଗ୍ର ଅଂଚଳରେ ଚର୍ଚା ଆରମ୍ଭ ହୋଇଛି ।
ଘଟଣା ସୂତ୍ରରୁ ଜଣାପଡ଼ିଛି ଯେ ଜଣେ ଭାରତୀୟ ନୌସେନା କର୍ମଚାରୀ ତାଙ୍କ ପ୍ରେମିକା (୨୮ବର୍ଷ)ଙ୍କୁ ହତ୍ୟା କରିବା ପରେ ତାଙ୍କ ଶରୀରକୁ ଖଣ୍ଡଖଣ୍ଡ କରି ପ୍ରମାଣ ନଷ୍ଟ ନିମିତ୍ତ ଏକ ଫ୍ରିଜ୍ରେ ଲୁଚାଇ ରଖିଥିଲେ । ତେବେ ପ୍ରମାଣ ନଷ୍ଟ ହେବା ପୂର୍ବରୁ ଅଭିଯୁକ୍ତକୁ ପୁଲିସ ଗିରଫ କରିବାରେ ସମର୍ଥ ହୋଇଛି ।
ପୁଲିସ ସୂତ୍ରରୁ ପ୍ରକାଶ ଯେ ଅଭିଯୁକ୍ତଜଣକ ଅନଲାଇନରେ ଏକ ଛୁରୀ ଅର୍ଡର କରି ପ୍ରେମିକାକୁ ହତ୍ୟା କରିଥିଲା, ପରେ ତାର ଶରୀରକୁ ଖଣ୍ଡଖଣ୍ଡ କରି କାଟିଥଲା ଏବଂ କିଛି ଅଂଶ ଫ୍ରିଜରେ ଲୁଚାଇ ରଖିଥିଲା । ରବିବାର ଆଦାଭିଭରମ ନିକଟରେ ଏକ ଜନଶୂନ୍ୟ ଅଂଚଳରେ କଟାମୁଣ୍ଡ ଓ ହାତ ନେଇ ପୋଡ଼ିଥିଲା ।
ତେବେ ସେ କେଉଁ କାରଣରୁ ଏଭଳି ଜଘନ୍ୟ ଅପରାଧ ଅଭିଯୁକ୍ତଜଣକ କରିଥିଲା, ସେ ସମ୍ବନ୍ଧରେ ପୁଲିସ ସମ୍ପୂର୍ଣ୍ଣ ଅବଗତ ହୋଇପାରି ନାହିଁ । ତେବେ ପୁଲିସ କହିଛି ଯେ ଅଭିଯୁକ୍ତକୁ ଆଇଏନ୍ଏସ ଡେଗାରେ ନିଯୁକ୍ତ ସିଏଚ ରବୀନ୍ଦ୍ର ଭାବେ ଚିହ୍ନଟ କରାଯାଇଛି ।
ମୃତକାଙ୍କ ନାମ ମୋନିକା । ତାଙ୍କ ସହ ରବୀନ୍ଦ୍ରଙ୍କ ୨୦୨୧ ମସିହାରୁ ଯୋଗାଯୋଗ ଥିଲା ।
ପୁଲିସି କହିଛି ଯେ ସେଦୁହେଁ କ୍ରମଶଃ ପ୍ରେମିକା-ପ୍ରେମିକ ଭାବେ ପରିଚିତ ହେବାକୁ ଲାଗିଥିଲେ । ଅଭିଯୁକ୍ତଙ୍କ ବକ୍ତବ୍ୟ ଅନୁସାରେ ମହିଳା ଜଣକ ତାଙ୍କ ନିକଟରୁ ସାଢ଼େ ତିନି ଲକ୍ଷ ଯଙ୍କା ବିଭିନ୍ନ ଆଳ ଦେଖାଇ ନେଇଥିଲା ଏବଂ ବିଭିନ୍ନ ସମୟରେ ଧମକପୂର୍ଣ୍ଣ ବାର୍ତା ଦେଉଥିଲା ।
ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ପ୍ରାୟତଃ ଝଗଡ଼ା ଓ ବଚସା ଲାଗି ରହୁଥିଲା । ତେଣୁ ଏଥିରୁ ନିସ୍ତାର ପାଇଁ ସେ ଏଭଳି ହତ୍ୟା କରିଥିବା ସ୍ୱୀକାର କରିଛି ବୋଲି ପୁଲିସ ସୂତ୍ରରୁ ଜଣାପଡ଼ିଛି ।
ତେବେ ଘଟଣା ପଛରେ ଅନ୍ୟ କୌଣସି ରହସ୍ୟ ଲୁଚି ରହିଛି କି ନାହିଁ ତାହା ନେଇ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି ।