ବୀର ବିକ୍ରମ ଯାଦବ ହେଲେ ଡିଜିସିଏ ଅଧ୍ୟକ୍ଷ
ଡିଜିସିଏ ଅଧ୍ୟକ୍ଷ ହେଲେ ବରିଷ୍ଠ ଆଇଏଏସ ବୀର ବିକ୍ରମ ଯାଦବ ।
କେନ୍ଦ୍ର ସରକାରଙ୍କ ପକ୍ଷରୁ ବେସାମରିକ ବିମାନ ଚଳାଚଳ ନିର୍ଦେଶାଳୟ (ଡିଜିସିଏ)ରେ ବଡ଼ ଧରଣର ଅଦଳବଦଳ କରାଯାଇଛି ।
ସରକାର ବର୍ତମାନର ମହା ନିର୍ଦେଶକ ଫୈଜ ଅହମ୍ମଦ କିଦୱାଇଙ୍କୁ ପରିବର୍ତନ କରି ତାଙ୍କ ସ୍ଥାନରେ ବୀର ବିକ୍ରମ ଯାଦବଙ୍କୁ ନୂଆ ମହା ନିର୍ଦେଶକ ଭାବେ ନିଯୁକ୍ତ କରିଛନ୍ତି । ଶ୍ରୀ ଯାଦବ ହେଉଛନ୍ତି ୧୯୯୬ ବ୍ୟାଚର ଓଡ଼ିଶା କ୍ୟାଡର ଆଇଏଏସ ।
ସେ କେନ୍ଦ୍ରୀୟ ଡେପୁଟେସନରେ ଯିବା ପୂର୍ବରୁ ଓଡ଼ିଶାର ବିଭିନ୍ନ ପ୍ରଶାସନିକ ପଦପଦବୀରେ କାର୍ଯ୍ୟ କରିଥିଲେ । ୨୦୨୪ ମସିହାରେ ତାଙ୍କୁ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଦାୟିତ୍ୱ ମିଳିଥିଲା ।
ଶ୍ରୀ ଯାଦବ ବର୍ତମାନ ପରିବେଶ, ଜଙ୍ଗଲ ଏବଂ ଜଳବାୟୁ ପରିର୍ବତନ ମନ୍ତ୍ରଣାଳୟରେ ଅତିରିକ୍ତ ସଚିବ ଭାବେ କାର୍ଯ୍ୟ କରୁଛନ୍ତି । ନୂଆ ନିଯୁକ୍ତି ପରେ ସେ ଭାରତର ବିମାନ ନିୟାମକ ସଂସ୍ଥା ଡିଜିସିଏର ମୁଖ୍ୟ ହେବେ ।
ଭାରତର ବିମାନ ଚଳାଚଳ କ୍ଷେତ୍ର ବର୍ତମାନ ଦ୍ରୁତ ବିକାଶ ଆଡ଼କୁ ଅଗ୍ରସର ହେଉଥିବାବେଳେ ଏବଂ ଏୟାର ଟ୍ରାଫିକ୍ ବୃଦ୍ଧି ପାଉଥିବା ସମୟରେ ଏହି ନିଯୁକ୍ତି ବେଶ୍ ଗୁରୁତ୍ୱପୂର୍ଣ୍ଣ ବୋଲି ମନେ କରାଯାଉଛି ।
କେନ୍ଦ୍ର ସରକାର ବୀର ବିକ୍ରମଙ୍କୁ ନିଯୁକ୍ତି ଦେଇଥିବାବେଳେ ଏହାର ଅତିରିକ୍ତ ସଚିବ ଭାବେ ପୁନୀତ କଂସଲଙ୍କୁ ଦାୟିତ୍ୱ ଅର୍ପଣ କରାଯାଇଛି ।
ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରଣାଳୟଳର ଅତିରିକ୍ତ ସଚିବ ହୋଇଛନ୍ତି ମୋନା କେ ଖଣ୍ଡାର ।
ଜ୍ଞାନେନ୍ଦ୍ର ଡି ତ୍ରିପାଠୀଙ୍କୁ କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ଅଧିନରେ ଥିବା କୃଷି ଗବେଷଣା ଓ ଶିକ୍ଷା ବିଭାଗର ଅତିରିକ୍ତ ସଚିବ ସହିତ ଇଣ୍ଡିଆନ୍ କାଉନ୍ସିଲ ଅଫ୍ ଏଗ୍ରିକଲ୍ଚରାଲ ରିସର୍ଚର ସଚିବ ଭାବେ ନିଯୁକ୍ତି ଦିଆଯାଇଛି ।
ସେହିପରି ବିଶାଲ ଗଗନଙ୍କୁ କେନ୍ଦ୍ରୀୟ ସୂଚନା ଆୟୋଗର ସଚିବ ହୋଇଛନ୍ତି ।