ନାବାଳକ ଚାଲାଣ ଅଭିଯୋଗରେ ମୌଲାନା ଅଟକ
ମଦ୍ରାସାରେ ପାଠ ପଢ଼ାଇବା ଆଳରେ ବିହାର ଆରରିଆ ଜିଲାରୁ ଓଡ଼ିଶାର ସାଲେପୁରକୁ ୧୪ଜଣ ନାବାଳକଙ୍କୁ ଆଣିବା ଅଭିଯୋଗରେ କଟକ ରେଳବାଇ ପୁଲିସ ବଳ (ଆରପିଏଫ) ଜଣେ ମୌଲାନାଙ୍କୁ ଅଟକ କରିଛି ।
ସୂଚନା ଅନୁସାରେ ବିହାରର କିଶନଗଞ୍ଜରୁ ଟ୍ରେନ୍ ଯୋଗେ ନାବାଳକଙ୍କୁ କଟକ ଅଣାଯାଇଥିଲା । କଟକ ଷ୍ଟେନରେ ସେମାନେ ଯାଂଚ ବେଳେ ଆରପିଏଫ କର୍ମଚାରୀ ଓ ଅଧିକାରୀମାନେ ସେମାନଙ୍କୁ ପଚରାଉଚରା କରିଥିଲେ ।
ଏନେଇ ଉପସ୍ଥିତ ମୌଲାନା ମହମ୍ମଦ ମର୍ଗୁବର ରହମନ କୌଣସି ଠିକ୍ଠାକ ଉତର ଦେଇ ପାରି ନଥିଲେ । ମର୍ଗୁବର ରହମନ କଟକ ଜିଲା ପିକୋଲ ଗ୍ରାମପଂଚାୟତ ସାଲେପୁର ଅଂଚଳର ବୋଲି ଜଣାପଡ଼ିଛି । ସେଠାରେ ତାଙ୍କର ମଦ୍ରାସା ରହିଛି, ଯାହା ପଞ୍ଜିକତ ବୋଲି ମୌଲାନା କହିଛନ୍ତି ।
ତେବେ ପ୍ରକୃତରେ ନାବାଳକମାନଙ୍କୁ ମଦ୍ରାସାରେ ପାଠ ପଢ଼ାଇବାକୁ ଆଣିଥିଲେ ନା ଅନ୍ୟ କୌଣସି ଉଦେ୍ଦଶ୍ୟ ଥିଲା, ତାହା ନେଇ ପୁଲିସର ସନେ୍ଦହ ବଢ଼ିଛି ।
ଗୋଟିଏ ରାଜ୍ୟରୁ ଅନ୍ୟ ରାଜ୍ୟକୁ ଆଣିବାବେଳେ ଉପଯୁକ୍ତ କାଗଜପତ୍ର କରାଯାଇଛି କି ନାହିଁ ସେସବୁ ଦିଗକୁ ନେଇ ଖୋଳତାଡ଼ ଚାଲିଛି ।
ମୌଲାନାଙ୍କୁ ଅଟକ ରଖି ଆରପିଏଫ ଦଳ ଏବଂ କେନ୍ଦ୍ରୀୟ ଗୁଇନ୍ଦା ବିଭାଗ ଦଳ ଜେରା ଜାରି ରଖିଛି । ଏହା ସହିତ ଉଦ୍ଧାର ପିଲାମାନଙ୍କୁ ମଧ୍ୟ ପଚରାଉଚରା କରାଯାଉଛି ।