ବାଣ ଭିଡ଼ିବା ବେଳେ ବିସ୍ଫୋରଣ, ୬ ଗୁରୁତର
ଗୁରୁତରଙ୍କ ମଧ୍ୟରେ ୨ ମହିଳା, ଜଣେ ବାଳକ
ଦଶପଲ୍ଲାରେ ବାଣ ଭିଡ଼ିବାବେଳେ ବିସ୍ଫୋରଣ ଘଟିବାରୁ ୬ ଜଣ ଗୁରୁତର ହୋଇଛନ୍ତି । ନୂଅାଁଗାଁ ଥାନା କୋରଡ଼ା ଗ୍ରାମରେ ଗୋଟିଏ ଘରେ କିଛି ଲୋକ ବାଣ ଭିଡ଼ୁଥିଲେ ।
ଏହି ସମୟରେ କୌଣସି କାରଣରୁ ସେଥିରେ ନିଅାଁ ଲାଗି ବିସ୍ଫୋରଣ ଘଟିଥିଲା । ଏହି ବିସ୍ଫୋରଣରେ ୬ ଜଣ ଗୁରୁତର ହୋଇଛନ୍ତି । ଗୁରୁତରମାନେ ହେଲେ ମନୋଜ ନାୟକ, ବାପୁଜି ନାହାକ, ଅମିତ ତୀର୍ଥ, ବାପୀ ନାହାକ, ନବ ସେଠୀ ଓ ହାଡ଼ି ସେଠୀ ।
ଆସନ୍ତା ୭ ତାରିଖରେ ଲଙ୍କାପୋଡ଼ି ଊତ୍ସବ ପାଇଁ ସେମାନେ ଏହି ବାଣ ଭିଡ଼ୁଥିବାବେଳେ ଏହି ଅଘଟଣ ଘଟିଛି । ଗୁରୁତର ୬ ଜଣଙ୍କ ମଧ୍ୟରେ ୨ ଜଣ ମହିଳା ଓ ଜଣେ ବାଳକ ଥିବା ଜଣାପଡ଼ିଛି । ଗୁରୁତର ୬ ଜଣଙ୍କୁ ପୁଲିସର ଉପସ୍ଥିତିରେ ଅଗ୍ନିଶମବାହିନୀ ସହାୟତାରେ ଆମ୍ବୁଲାନ୍ସ ଯୋଗେ ଜିଲା ମୁଖ୍ୟ ହସ୍ପିଟାଲରେ ଭର୍ତି କରାଯାଇଛି ।
ସୂଚନାଥାଉ କି, ଦଶପଲ୍ଲା ଜିଲା ବାସୀ ଯେ କୌଣସି ଉତ୍ସବରେ ବାଣ ପାଇଁ କୋରଡ଼ା ଗାଁ ଉପରେ ନିର୍ଭର କରିଥାନ୍ତି । କାରଣ କୋରଡ଼ା ଗ୍ରାମରେ ବହୁ ବେଆଇନ ବାଣ କାରଖାନା ରହିଛି ।
ଏଠାରେ ଲୋକେ ବିବାହ, ବ୍ରତଘର, ପର୍ବପର୍ବାଣୀରେ ଅର୍ଡର ମୁତାବକ ବାଣ ତିଆରି କରି ଯୋଗାଇ ଦେଇଥାନ୍ତି । ତେବେ ଦଶହରା ରାବଣ ଦହନ ବା ଲଙ୍କାପୋଡ଼ି ପାଇଁ କୋରଡ଼ାଗ୍ରାମରୁ ହିଁ ‘ବ୍ରହ୍ମଶର’ ନାମକ ଏକ ବିଶେଷ ବାଣ ପ୍ରସ୍ତୁତ କରାଯାଇଥାଏ ବୋଲି ପୁଲିସ ସୂତ୍ର.ରୁ ପ୍ରକାଶ ।