ଏବେ ପରଦାରେ ଦାଦା
କ୍ରିକେଟ ଜଗତରେ ଦାଦା କହିଲେ ସାଧାରଣତଃ ସୌରଭ ଗାଙ୍ଗୁଲିଙ୍କୁ ବୁଝାଇଥାଏ ।
ଏହି କ୍ରିକେଟ ଖେଳାଳୀଙ୍କ କାହାଣୀ ଏବେ ସିନେ ପରଦାରେ ଦେଖିବାକୁ ମିଳିବ । ପୂର୍ବରୁ ବହୁ କ୍ରିକେଟ ଖେଳାଳିଙ୍କ ଜୀବନ କାହାଣୀକୁ ନେଇ ଚଳଚ୍ଚିତ୍ର ହୋଇଥିବାବେଳେ ଏବେ ଦାଦାଙ୍କ କାହାଣୀ ସାଧାରଣ ଦର୍ଶକ ଚଳଚ୍ଚିତ୍ର ମାଧ୍ୟମରେ ପରଦାରେ ଦେଖିପାରିବେ ।
ଦାଦାଙ୍କ ଏହି ଚଳଚ୍ଚିତ୍ରକୁ ନେଇ ତାଙ୍କ ପ୍ରଶଂସକ ଓ ଅନୁଗାମୀମାନେ ଖୁବ୍ ଖୁସି । ବାଇଓପିକର ନାମ ହେଉଛି ଦାଦା : ଦ ସୌରଭ ଗାଙ୍ଗୁଲୀ ଷ୍ଟୋରୀ । ଇଡେନ ଗାର୍ଡେନ ଷ୍ଟାଡ଼ିୟମରୁ ଇଂଟରନ୍ୟାସନାଲ ଆଇକନ ।
ଦାଦା ସର୍ବଦା ଦାଦା… ବ୍ୟାଟିଂ ଯେମିତି, ବ୍ୟକ୍ତିତ୍ୱ ମଧ୍ୟ ସେମିତି । କେବଳ ଏତିକି ନୁହେଁ, ଜଣେ ସଫଳ ଅଧିନାୟକ ଭାବେ ମଧ୍ୟ ସମଗ୍ର ବିଶ୍ୱରେ ଚର୍ଚିତ ।
ଏପ୍ରିଲ ୧ରୁ ଏହି ଚଳଚ୍ଚିତ୍ରର ସୁଟିଂ ଆରମ୍ଭ ହୋଇଥିବାବେଳେ ଚଳଚ୍ଚିତ୍ରରେ ସୌରଭଙ୍କ ଭୂମିକାରେ ବଲିଉଡ ଅଭିନେତା ରାଜ କୁମାର ରାଓଙ୍କୁ ଦେଖିବାକୁ ମିଳିବ । ଦାଦାଙ୍କ ବ୍ୟାଟିଂ ଶୈଳୀ, ତାଙ୍କ ଚାଲିଚଳନକୁ ପରଦାରେ ଅବିକଳ ଦେଖାଇବା ପାଇଁ ରାଜ କୁମାର ବିଭିନ୍ନ ଭାବେ ପ୍ରଶିକ୍ଷଣ ଗ୍ରହଣ କରୁଛନ୍ତି ।
ସୌରଭଙ୍କ ଜୀବନକୁ ନେଇ ଚଳଚ୍ଚିତ୍ର ହେଉଥିବାରୁ ସାମାଜିକ ଗଣମାଧ୍ୟମରେ ଫଟୋ ପୋଷ୍ଟ କରି ଖୁସି ଜାହିର କରିଛନ୍ତି ରାଜକୁମାର ।
ଲଭ ଫିଲ୍ମସ ବ୍ୟାନରରେ ଏହି ବ୍ୟୟବହୁଳ ଚଳଚ୍ଚିତ୍ର ନିର୍ମାଣ ହେଉଥିବାବେଳେ ଦାଦାଙ୍କ ପ୍ରେମକାହାଣୀ ଏବଂ ୧୯୯୬ରେ ଲର୍ଡସରେ ଐତିହାସିକ ଶତକ ମାରିବାର ସେହି ସୁନ୍ଦର ମୁହୂର୍ତ ସାଧାରଣ ଦର୍ଶକ ଚଳଚ୍ଚିତ୍ରରେ ଦେଖିବାର ହୁଏତ ସୁଯୋଗ ପାଇବେ ।
ଯାହାକୁ ନେଇ ଦାଦାଙ୍କ ଚଳଚ୍ଚିତ୍ରକୁ ଦେଖିବା ପାଇଁ ତାଙ୍କ ସମର୍ଥକ ଓ ଅନୁଗାମୀମାନେ ଉକ୍ରଣ୍ଠାର ସହ ଚାହିଁ ବସିଛନ୍ତି ।