ଚୋର ସନେ୍ଦହରେ ଯୁବକକୁ ପିଟିପିଟି ମାରିଦେଲେ
ଓଡ଼ିଶାର ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଇଲାକାରେ ଏକ ଘଟଣାକୁ କେନ୍ଦ୍ରକରି ସାଧାରଣରେ ଚର୍ଚା ହେଉଛି । ଜଣାପଡ଼ିଛି ଯେ ଜଣେ ଯୁବକଙ୍କୁ ଚୋରି ବୋଲି ସନେ୍ଦହ କରି ଏକ ସଂସ୍ଥାର ସୁପରଭାଇଜର ଓ ସିକ୍ୟୁରିଟି ଗାର୍ଡ଼ ପିଟିପିଟି ମାରି ଦେଇଛନ୍ତି ।
ସୂଚନା ଅନୁସାରେ ମୟୁରଭଞ୍ଜ ଜିଲା ବଡ଼ସାହି ଥାନା ଅଧୀନରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କନଷ୍ଟ୍ରକସନ କାମ ଚାଲିଛି, ଯେଉଁଥିପାଇଁ ନିର୍ମାଣ କାର୍ଯ୍ୟରେ ବ୍ୟବହୃତ ବିଭିନ୍ନ ସାମଗ୍ରୀ ଏଣେତେଣେ ପଡ଼ିଛି ।
ତେବେ ଗତକାଲି ସକାଳେ ଜଣେ ସ୍ଥାନୀୟ ଯୁବକ ଡାକ୍ତରଖାନା ପରିସରକୁ ଯାଇଥିବା ସମୟରେ ଯୁବକକୁ ଚୋରି ସନେ୍ଦହରେ ଧରି ନିର୍ମାଣ କାର୍ଯ୍ୟ ତଦାରଖ କରୁଥିବା ସୁପରଭାଇଜର ଓ ସିକ୍ୟୁରିଟି ଗାର୍ଡ ଏକ ଲୁହା ରଡ଼ରେ ମାଡ଼ ମାରିଥିଲେ । ଯୁବକଜଣକ କ୍ଷତବିକ୍ଷତ ହୋଇ ଗୁରୁତର ଭାବେ ଆହତ ହେବାରୁ ସ୍ଥାନୀୟ ଲୋକେ ତାଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତି କରିଥିଲେ, ପରେ ବାରିପଦା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା ।
ବିଳମ୍ବିତ ରାତ୍ରିରେ ଆହତ ଯୁବକଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି । ଘଟଣା ଅଭିଯୋଗରେ ସ୍ଥାନୀୟ ଲୋକମାନେ ବଡ଼ସାହି ଥାନାରେ ଅଭିଯୋଗ କରିବାଦ୍ୱାରା ପୁଲିସ ଆସି ଅଭିଯୁକ୍ତ କମଲଲୋଚନ ରାଉତ ଓ ତାଙ୍କର ଜଣେ ସହଯୋଗୀଙ୍କୁ ଅଟକ ରଖି ତଦନ୍ତ ଚଳାଇଛି ।
ମୃତ ଯୁବକଙ୍କ ନାମ କାମିନୀକାନ୍ତ ବେହେରା (ଟିକି) ବୋଲି ଜଣାପଡ଼ିଛି ।