ବିସ୍ଫୋରଣ ପରେ ମଣିପୁରରେ ଇଂଟରନେଟ୍ ବନ୍ଦ
ସଂପ୍ରତି ଯୁଦ୍ଧ ପରିସ୍ଥିତି ସମଗ୍ର ବିଶ୍ୱକୁ ଅଶାନ୍ତ ବଳୟରେ ରଖିଥିବାବେଳେ ନିଜ ଦେଶ ତଥା ଭାରତର ମଣିପୁରରେ ପୁଣି ଅଶାନ୍ତ ପରିସ୍ଥିତି ସୃଷ୍ଟି ନେଇ ଅଂଚଳର ଲୋକମାନେ ଦୁଃଶ୍ଚିନ୍ତାରେ ପଡ଼ିଛନ୍ତି ।
ଜଣାପଡ଼ିଛି ଯେ ବିଷ୍ଣୁପୁର ଜିଲାରେ ଏକ ବୋମା ବିସ୍ପୋରଣରେ ଦୁଇ ପିଲାଙ୍କ ମୃତ୍ୟୁ ଓ ସେମାନଙ୍କ ମାଆ ଆହତ ହେବା ପରେ ମଣିପୁର ସରକାର ପାଂଚ ଜିଲାରେ ତିନିଦିନ ପାଇଁ ମୋବାଇଲ ଇଂଟରନେଟ ସ୍ଥଗିତ ରଖିଛନ୍ତି ।
ମଙ୍ଗଳବାର ଗୃହ ବିଭାଗ ଜାରି କରିଥିବା ନିର୍ଦେଶ ଅନୁସାରେ ଇମ୍ପାଲ ପୂର୍ବ, ଇମ୍ପାଲ ପଶ୍ଚିମ, ଥୋବାଲ, କାକଚିଂ ଓ ବିଷ୍ଣୁପୁର ଜିଲାରେ ଇଂଟରନେଟ ବନ୍ଦ କରାଯାଇଛି । ଗତ ମଧ୍ୟରାତ୍ରି ପରେ ବିଷ୍ଣୁପୁରରେ ମଧ୍ୟ କର୍ଫୁ୍ୟ ଲାଗୁ କରାଯାଇଥିଲା ।
କର୍ତୃପକ୍ଷ ସୂଚାଇଛନ୍ତି ଯେ ଭୁଲ ସୂଚନା ଓ ମିଥ୍ୟା ଗୁଜବ ପ୍ରସାରକୁ ରୋକିବା ଏବଂ ସାଧାରଣ ଶୃଙ୍ଖଳାକୁ ବ୍ୟାହତ କରୁଥିବା କାର୍ଯ୍ୟକଳାପକୁ ରୋକିବା ପାଇଁ ଏଭଳି ପଦକ୍ଷେପ ହାତକୁ ନିଆଯାଇଛି ।
ମୋଇରାଙ୍ଗରେ କ’ଣ ହୋଇଥିଲା ପ୍ରସଙ୍ଗରେ ଜଣାପଡ଼ିଛି ଯେ ମୈତେୟୀ ଏବଂ କୁକୁ ସମ୍ପ୍ରଦାୟ ମଧ୍ୟରେ ଅଶାନ୍ତିର କେନ୍ଦ୍ରସ୍ଥଳ ମୋଇରାଙ୍ଗର ଟ୍ରୋଙ୍ଗଲାଓବି ଆୱାଙ୍ଗ ଲେଇକାଇ ଗ୍ରାମରେ ସନ୍ଦିଗ୍ଧ ଆତଙ୍କବାଦୀମାନେ ଘର ଉପରେ ବୋମା ଫିଙ୍ଗିବାରୁ ଜଣେ ୫ବର୍ଷର ବାଳକ ଓ ଛଅ ମଙ୍କସର ଝିଅ ଶୋଇଥିବା ଅବସ୍ଥାରେ ପ୍ରାଣ ହରାଇଥିଲେ ଏବଂ ସେମାନଙ୍କ ମାଆ ଗୁରୁତର ଭାବେ ଆହତ ହୋଇପଡ଼ିଥିଲେ ।
ଏହି ଘଟଣା ପରେ ସ୍ଥାନୀୟ ଲୋକମାନେ ପେଟ୍ରୋଲ ପମ୍ପ ନିକଟରେ ଦୁଇଟି ତୈଳ ଟ୍ୟାଙ୍କର ଓ ଏକ ଟ୍ରକରେ ନିଆଁ ଲଗାଇ ଦେଇଥିଲେ, ଏକ ପୁଲିସ ଷ୍ଟେସନ ବାହାରେ ଟାୟାର ଜାଳିଥିଲେ ଏବଂ ଏକ ଅସ୍ଥାୟୀ ପୁଲିସ ଫାଣ୍ଡିକୁ କ୍ଷତି ପହଂଚାଇଥିଲେ ।
ଶୃଙ୍ଖଳା ଫେରାଇ ଆଣିବା ପାଇଁ ସୁରକ୍ଷା ବଳ ମୁତୟନ କରାଯାଇଥିଲା ।
ପରେ ବିଷ୍ଣୁପୁର-ଚୁରାଚାନ୍ଦପୁର ସୀମା ନିକଟସ୍ଥ ପି ଗେଲମୋଲ ପାହାଡ଼ ପାଦଦେଶ ନିକଟରେ ଥିବା କେନ୍ଦ୍ରୀୟ ରିଜର୍ଭ ପୁଲିସ ଫୋର୍ସର ଏକ ଶିବିର ଉପରେ ଏକ ବଡ଼ ଆକ୍ରମଣ କରିଥିଲେ ।
ସୁରକ୍ଷା କର୍ମୀମାନେ ଭିଡ଼କୁ ଭାଙ୍ଗିବା ପାଇଁ ଗୁଳି ଚଳାଇଥିଲେ ଏବଂ ଧୂଆଁ ବୋମା ଫିଙ୍ଗିଥିଲେ । ଗୁଳିକାଣ୍ଡରେ ଅନ୍ୟୁନ୍ୟ ୧୯ଜଣ ଆହତ ହୋଇ ନିକଟସ୍ଥ ଡାକ୍ତରଖାନାରେ ଭର୍ତି ହୋଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ମଧ୍ୟ ଜଣାଯାଇଛି ।
ଘଟଣାକୁ ମୁଖ୍ୟମନ୍ତ୍ରୀ ୱାଇ ଖେମଚାନ୍ଦ ସିଂହ କହି ନିନ୍ଦା କରିଛନ୍ତି । ସେ କହିଛନ୍ତି ଦାୟୀ ଲୋକଙ୍କୁ ଚିହ୍ନଟ କରାଯିବ ଏବଂ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।