୧୩ବର୍ଷ ପରେ ସୁଦୀପ୍ତଙ୍କୁ ଜାମିନ
ଦୀର୍ଘ ୧୩ବର୍ଷ ପରେ ଜେଲରୁ ମୁକ୍ତି ପାଇବେ ସାରଦା ଚିଟଫଣ୍ଡ କର୍ଣ୍ଣଧାର ସୁଦୀପ୍ତ ସେନ । କଲକାତା ହାଇକୋର୍ଟ ତାଙ୍କର ଜାମିନ ପାଇଁ ନିର୍ଦେଶ ଦେଇଛନ୍ତି ।
ରାଜ୍ୟ ପୁଲିସ ହାତରେ ଥିବା ଦୁଇଟି ମାମଲାରେ ସେ ଜାମିନ ପାଇଛନ୍ତି । ହାଇକୋର୍ଟଙ୍କଠାରୁ ଜାମିନ ମଞ୍ଜୁର ପରେ ଆସନ୍ତାକାଲି (ଗୁରୁବାର) ସେ ଜେଲ (ସଂଶୋଧନାଗାର)ରୁ ବାହାରି ପାରନ୍ତି ବୋଲି ଜଣାପଡ଼ିଛି ।
ବିଚାରପତି ରାଜର୍ଷି ଭରଦ୍ୱାଜ ଓ ବିଚାରପତି ଉଦୟ କୁମାରଙ୍କ ଡିଭିଜନ ବେଂଚରେ ସୁଦୀପ୍ତ ସେନଙ୍କ ଜାମିନ ମାମଲାର ଶୁଣାଣି ହୋଇଥିଲା । ରାଜ୍ୟ ପୁଲିସରେ ଥିବା ଦୁଇଟି ମାମଲାରୁ ତାଙ୍କୁ ସର୍ତାଧୀନ ଜାମିନ ପ୍ରଦାନ କରାଯାଇଛି ।
ଜଣାପଡ଼ିଛି ଯେ ଏକ ଦଶକ ପୂର୍ବେ ମାମଲାର ଚାର୍ଜସିଟ ପେସ ହୋଇଥିଲେ ବି ଏପର୍ଯ୍ୟନ୍ତ ଅଦାଲତରେ ନଥି ପାଇ ନଥିଲେ ବୋଲି ସୁଦୀପ୍ତ ସେନ କହିଥିଲେ । ସୁଦୀପ୍ତଙ୍କ ଆଇନଜୀବୀ ଭାବେ ସବିର ଅହମ୍ମଦ ଉପସ୍ଥିତ ଥିଲେ ।
ତାଙ୍କର ବକ୍ତବ୍ୟ ଥିଲା ଯେ ୨୦୧୩ ମସିହାରେ ଆର୍ଥିକ ଦୁର୍ନୀତି ଅଭିଯୋଗରେ ୩୮୯ଟି ମାମଲା ସାରଦା ସଂସ୍ଥା ବିରୋଧରେ ହୋଇଥିଲା ।
ବିଧାନନଗର ଉତର ଥାନାରେ ରୁଜୁ ହୋଇଥିବା ଏକ ମାମଲାରେ ଅଭିଯୁକ୍ତ ହିସାବରେ ସୁଦୀପ୍ତ ସେନ ଗିରଫ ହୋଇଥିଲେ । ସେବେଠୁ ସେ ଜେଲରେ ରହିଛନ୍ତି ।
ଏପର୍ଯ୍ୟନ୍ତ ରାଜ୍ୟ ପୁଲିସ ହାତରେ ଥିବା ୩୦୮ଟି ମାମଲା ମଧ୍ୟରୁ ସୁଦୀପ୍ତ ସେନ ଏବେବି ଦୁଇଟି ମାମଲାରେ ଅଟକି ରହିଛନ୍ତି ।
ବାରାସାତ ଥାନାର ଏହି ଦୁଇଟି ମାମଲାରେ ଏପର୍ଯ୍ୟନ୍ତ ତାଙ୍କର ଜାମିନ ମିଳିନାହିଁ । ସିବିଆଇ ଅଦାଲତଙ୍କ ନିକଟରେ ପ୍ରକାଶ କରିଛି ଯେ ୨୦୧୪ ମସିହା ସୁପ୍ରିମ କୋର୍ଟଙ୍କ ନିର୍ଦେଶ କ୍ରମେ ସେମାନେ ଏହି ମାମଲାଗୁଡ଼ିକ ମଧ୍ୟରୁ ୭୬ଟି ମାମଲା ହାତକୁ ନେଇଥିଲେ ।
ସିବିଆଇ ସବୁ ମିଶାଇ ଚାରିଟି ମାମଲା ଦାଏର କରିଥିଲେ । ସେଗୁଡ଼ିକ ଇତି ମଧ୍ୟରେ ସୁଦୀପ୍ତ ସେନ ଜାମିନ ପାଇ ସାରିଛନ୍ତି ।